OnaKhabar

ମୁଁ ଚାହୁଁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

9

ପୁରୀ: ଦୁଇଦିନିଆ ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷର ଦିନକ ପୂର୍ବରୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ନୂଆବର୍ଷରେ ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଙ୍ଗଳ କାମନା କରିବା ସହ ୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମୟ ଅନୁସାରେ ପୁରୀର ରୂପ ବଦଳୁଛି । ଆଗାମୀ ଦିନରେ ସ୍ଥାନୀୟ ସମାଜ ତଥା ପୁରୀ ଅଂଚଳର ଧର୍ମାଚାର‌୍ୟ୍ୟଙ୍କ ସହଯୋଗରେ ଶ୍ରୀମନ୍ଦିରର ଆହୁରି ସୌନ୍ଦର‌୍ୟ୍ୟକରଣ କରାଯିବା ସମସ୍ତଙ୍କ ଦାୟିତ୍ୱ । ଧାର୍ମିକ ଭାବନା ସହ ଜଡିତ ପର‌୍ୟ୍ୟଟନ କ୍ଷେତ୍ରକୁ ବଢାଇବା ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଜଣେ ଭକ୍ତ ହିସାବରେ ମୁଁ ଚାହୁଁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍ । କିନ୍ତୁ ଏହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରେ । ବାଦ ବିବାଦ ନ ହୋଇ ସମସ୍ୟାର ସମାଧାନ ହେବା ଉଚିତ୍ ବୋଲି ସେ କହିଛନ୍ତି । ଏଥିସହ ପୁରୀର ବିକାଶ କାର‌୍ୟ୍ୟକୁ ଧର୍ମେନ୍ଦ୍ର ପ୍ରଶଂସା କରିବା ସହ ଏଥିପାଇଁ କେନ୍ଦ୍ର ପକ୍ଷରୁ ଆହୁରି ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି । ସେ କହିଛନ୍ତି, ପୁରୀର ଉନ୍ନତି ପାଇଁ ଗୁଣ୍ଡିଚି ମୂଷା ପରି ସେ ବାଲିବନ୍ଧରେ ମାଟି ପକାଇବେ । ତେବେ ପୁରୀ ସହ କୋଣାର୍କ, ସାକ୍ଷୀଗୋପାଳ, କାକଟପୁର ପରି ଧର୍ମପୀଠର ଉନ୍ନତି ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ୨୦୨୦ରେ ଓଡିଶାକୁ ଆହୁରି ବଡ କରିବାର ଆଶା ଓ ଆକଂକ୍ଷା ରହିଥିବା ସେ ପ୍ରକାଶ କରିଛନ୍ତି ।