OnaKhabar

କମୁଛି ଶୁନୁ ଗାଡିର ଚାହିଦା : ଚିନ୍ତାରେ ସାଇକେଲ ମିସ୍ତ୍ରୀ

9

ବାରିକପୁର : ସମୟ ଥିଲା ଗାଁ ଦାଣ୍ଡରେ ସାଇକେଲର ଘଂଟି ଶୁଭିଲେ ଘର ଭିତରୁ ଛୁଆ ଦଉଡି ପଳାଇ ଆସୁଥିଲେ । ସାଇକେଲ ଚଢିଯାଉଥିବା ବ୍ୟକ୍ତି ଜଣକ ମୁଖ୍ୟ ରାସ୍ତାକୁ ଛୁଇଁଲା ପର୍ଯ୍ୟନ୍ତ ପିଲାମାନେ ପଛେ ପଛେ ଧାଉଁଥିଲେ । ଆଗକାଳରେ ସାଇକେଲକୁ ଶୁନୁଗାଡି ବୋଲି ଲୋକେ ଅଭିହିତ କରୁଥିଲେ । ଏହା ବିନା ତେଲ ପାଣିରେ ଚାଲୁଥିବାରୁ ବୁଢା ବୁଢୀମାନେ ଏହାକୁ ଶୁନୁଗାଡି ବୋଲି କହୁଥିଲେ । ପରବର୍ତି ସମୟରେ ପେଟ୍ରୋଲ ଚାଳିତ ଇଂଜିନ ଉବ୍ଦାବନ ହେଲାପରେ ଧିରେ ଧିରେ ଶୁନୁ ଗାଡିର ସ୍ଥାନକୁ ଅକ୍ତିଆର କରିନେଲା ମୋଟର ସାଇକେଲ । ପ୍ରାୟ ୭୦ ଦଶକରୁ ୯୦ଦଶକରେ ଯେଉଁମାନେ ସାଇକେଲ ଚଢୁଥିଲେ ସେମାନେ ଥିଲାବାଲା ଲୋକ ବୋଲି ସୂଚିତ ହେଉଥିଲା । ଏହାଛଡା ଝିଅ ବାହାଘରରେ ଜ୍ୱାଇଁକୁ ଶ୍ୱଶୁର ଘର ଲୋକ ସାଇକେଲ ଉପହାର ମଧ୍ୟ ଦେଉଥିଲେ । ପାଖାପାଖି ୨୦୦୫ ପର୍ଯ୍ୟନ୍ତ ସାଇକେଲ ବା ଶୁନୁଗାଡି ସମସ୍ତଙ୍କର ଆଦୃତ ଲାଭ କରିଥିବାବେଳେ ପରେପରେ ଏଗୁଡିକ ଆଉ ରାସ୍ତା ଘାଟରେ ବହୁଳ ପରିମାଣରେ ଚାଲୁଥିବାର ଦେଖାଗଲା ନାହିଁ । କାରଣ ବହୁ ରାଷ୍ଟ୍ରୀୟ କମ୍ପାନୀ ନୂଆ ନୂଆ ମୋଟରସାକେଲ ବଜାରକୁ ଛାଡିବାରୁ ଲୋକମାନେ ସାଇକେଲରୁ ମୁହଁ ଫେରାଇ ନେଲେ । ଯେଉଁ ସମୟ ମଧ୍ୟରେ ସାଇକେଲର ବହୁଳ ବ୍ୟବହାର ହେଉଥିଲା ଠିକ ସେତିକିବେଳେ ବିଭିନ୍ନ ଗାଁ ଛକ ଓ ଛୋଟବଡ ବଜାର ମାନଙ୍କରେ ସାଇକେଲ ମରାମତି ପାଇଁ ମିସ୍ତ୍ରୀଙ୍କର ଆର୍ବିଭାବ ହୋଇଥିଲା । ପରିବାର ପ୍ରତିପୋଷଣ ପାଇଁ ଯେଉଁ ବ୍ୟକ୍ତିମାନେ ସାଇକେଲ ମିସ୍ତ୍ରୀଭାବେ ଦୋକାନ ଆରମ୍ଭ କରିଥିଲେ ଆଜି ସେମାନେ ହାତେଯାଡି ବସିଛନ୍ତି । କାଁଭାଁ ଦିନକୁ ୫୦/୧୦୦ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡୁଛି ।
ସାଇକେଲ ମରାମତି ସମ୍ପର୍କରେ ଭଣ୍ଡାରିପୋଖରୀ ଗଣେଶ ବଜାର ଠାରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବାବଜୀ ଚରଣ ଜେନାଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ୧୯୭୫ ମସିହାରେ ଏଠାରେ ସାଇକେଲ ମରାମତି ଦୋକାନ କରିଥିଲି । ସେତେବେଳେ ଗାଁ ଗଣ୍ଡାରେ ଏତେଟା ସାଇକେଲ ନଥିଲା ବେଳେ ପରେ ସାଇକେଲ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଲା । ୧୯୭୦ରୁ୧୯୭୫ ମସିହାରେ ପ୍ରାୟ ୫୦ଖଣ୍ଡ ସାଇକେଲ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଦେଖାଯାଉଥିଲା । ପରେ ସାଇକେଲ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରୁ ମୋର ବେପାର ମଧ୍ୟ ବଢିଥିଲା । ପ୍ରଥମେ ୨୦ପଇସାରେ ସାକେଲ ପେଚ ଓ ୧୫ ରୁ ୨୦ଟଙ୍କା ମଧ୍ୟରେ ଅଏଲିଂ କରୁଥିଲି । ପରେପରେ ଏହାର ମୂଲ୍ୟ ବଢିଥିଲା ଏବଂ ପରିବାର ପ୍ରତିପୋଷଣ ସହଜ ହୋଇଥିଲା । ବିଶେଷକରି ୧୯୯୦ ମସିହାରୁ ୨୦୦୫ମସିହା ପର୍ଯ୍ୟନ୍ତ ବେପାର ଭଲ ଚାଲୁଥିଲା । ପରେ ଧିରେଧିରେ ନୂଆନୂଆ ମୋଟରସାଇକେଲ ବଜାରକୁ ଆସିବାରୁ ସାଇକେଲ ବ୍ୟବହାର କାରୀଙ୍କ ସଂଖ୍ୟା କମିଗଲା ।
ସାଇକେଲ ମିସ୍ତ୍ରୀ ଭାବେ ଦୋକାନ କରି ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି । ସାଇକେଲ ମରାମତି ଓ ପେଚ ବାବଦରେ ମୂଲ୍ୟବୃଦ୍ଧି ହୋଇଥିଲେ ସୁଦ୍ଧା ଗ୍ରାହକ କିନ୍ତୁ ଆସୁନାହାଁନ୍ତି । କାରଣ ସାଇକେଲ ଚଢୁଥିବା ଲୋକେ କିମ୍ବା ସେମାନଙ୍କ ପରବର୍ତୀ ପୀଢି ଏବେ ଯାତାୟତ ପାଇଁ ଆରମ୍ଭରୁ ମୋଟରସାଇକେଲ ବ୍ୟବହାର କରୁଛନ୍ତି । କାଁଭାଁ କିଛି କଲେଜ ପଢୁଆ ଛୁଆଙ୍କ ସାଇକେଲ ମରାମତି ହେଉଥିବାବେଳେ ଅନ୍ୟକିଛି ଖୁଚୁରା ବ୍ୟବସାୟୀ ବଜାରକୁ ଆସିଲେ ଟଲଟୁକୁରା କାମ ଟିକିଏ କରୁଛନ୍ତି । ଯାହା କିଛି ରୋଜାଗାର ହେଉଛି ଚାହା ପାନକୁ ଅଂଟୁ ନାହିଁ ତେଣୁ ସାକେଲ ମରାମତି ଛାଡି ଅନ୍ୟକିଛି ଧନ୍ଦା ଉପରେ ନିର୍ଭର କରିବାକୁ ପଡୁଛି । ସାଇକେଲର ସ୍ଥାନକୁ ମୋଟରସାଇକେଲ ନେଇଥିବାରୁ ଏହା ଉପରେ ନିର୍ଭରଶୀଳ ମିସ୍ତ୍ରୀମାନେ ଏବେ ରୋଜଗାର ପନ୍ଥାକୁ ହରାଇ ବସିଛନ୍ତି ।