OnaKhabar

ତୁରନ୍ତ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଉ : ବି.ଏଡ୍‌. ଶିକ୍ଷକ ସଂଘ

9

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇ ରାଜ୍ୟବାସୀଙ୍କଠାରୁ ସାବାସୀ ପାଉଥିବା ବେଳେ ଏହି ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବହୁ ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିତ୍ତିରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦେଇ ସେମାନଙ୍କୁ ମାସିକ ମାତ୍ର ୬୫୧୨ ଟଙ୍କା ଦରମାରେ କାର୍ଯ୍ୟ କରାଉଅଛନ୍ତି । ଏହି ସ୍ୱଳ୍ପ ଦରମାରେ ବର୍ତ୍ତମାନର ମହଙ୍ଗା ଯୁଗରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଜୀବନଧାରଣ କରିବା ଓ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ୁଛି । ତା’ଛଡ଼ା ଏହି ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କର ଦାୟିତ୍ୱ ନିଜ କାନ୍ଧଉପରେ ବହନ କରିଥିଲା ବେଳେ ସେମାନଙ୍କୁ ଏ ପ୍ରକାର ଦରମାରେ ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହାର ପ୍ରଭାବରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଅଧିକାରର ଗୁଣାତ୍ମକ ଶିକ୍ଷା ପାଇବାରେ ଅନ୍ତରାୟ ସୃଷ୍ଟି ହେଉଛି ଏବଂ ପ୍ରାଥମିକ ଶିକ୍ଷା ଭୁଷୁଡ଼ି ପଡୁଛି । ଯେଉଁଥିପାଇଁ ସାରା ରାଜ୍ୟରେ ଅଭିଭାବକମାନେ ସରକାରୀ ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଇ ଘରୋଇ ଶିକ୍ଷା ବ୍ୟବସ୍ଥାକୁ ଆପଣାଉଛନ୍ତି । ରାଜ୍ୟର ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ସରକାର ୭ମ ବେତନ କମିଶନ ସୁପାରିଶ ଆଧାରରେ ତା୦୧.୦୧.୨୦୧୬ରିଖ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରୁଥିଲାବେଳେ କନିଷ୍ଠ ଶିକ୍ଷକମାନଙ୍କ ଦରମା ଏପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ । ତା’ଛଡ଼ା ଜଣେ ନିୟମିତ ଶିକ୍ଷକ ଯାହା କାର୍ଯ୍ୟ କରେ କନିଷ୍ଠ ଶିକ୍ଷକ ମାନେ ମଧ୍ୟ ସେହି କାର୍ଯ୍ୟ କରୁଛନ୍ତି ଓ ଅଧିକାଂଶ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକମାନେ ପ୍ରଧାନ ଶିକ୍ଷକର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଏପରିସ୍ଥଳେ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ସମାନ କାମକୁ ସମାନ ଦରମା ଦେବାକଥାକୁ ମଧ୍ୟ ଏଡାଇ ଯାଉଛନ୍ତି । ଯାହା କନିଷ୍ଠ ଶିକ୍ଷକମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରୁଛି ଏବଂ ଏହାର ପ୍ରଭାବ ଗୁଣାତ୍ମକ ଶିକ୍ଷା ଉପରେ ସିଧାସଳଖ ପଡ଼ୁଛି । ଦାବି ହାସଲ ପାଇଁ ବାରମ୍ବାର ଆନ୍ଦୋଳନ ଏବଂ ସରକାରୀ ସ୍ତରରେ ଆଲୋଚନା କରାଯାଉଥିଲେ ମଧ୍ୟ ସରକାର ଏ କଥାକୁ ଟାଳି ଚାଲିଛନ୍ତି । କେନ୍ଦ୍ର ସରକାର ସମଗ୍ର ଶିକ୍ଷା ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ସ୍ତରର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ସର୍ବନିମ୍ନ ଦରମା ୧୫ ହଜାର ଟଙ୍କା ଓ ଉଚ୍ଚପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ୨୦ ହଜାର ଟଙ୍କା ହିସାବରେ ବଜେଟ୍ ସ୍ଥିର କରି ଅନୁଦାନ ରାଶି ରାଜ୍ୟକୁ ପ୍ରଦାନ କରୁଥିଲା ବେଳେ ଓଡ଼ିଶା ସରକାର କନିଷ୍ଠ ଶିକ୍ଷକମାନଙ୍କୁ ଏହି ଆଧାରରେ ଦରମା ନ ଦେଇ ମାସିକ ମାତ୍ର ୬୫୧୨ଟଙ୍କା ପ୍ରଦାନ କରୁଛନ୍ତି, ଯାହାକି ବିଡ଼ମ୍ବନାର ବିଷୟ । ତୁରନ୍ତ ସରକାର ଏ ଦିଗକୁ ବିଚାରକୁ ନେଇ କନିଷ୍ଠ ଶିକ୍ଷକ ଓ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଦରମା କେନ୍ଦ୍ରୀୟ ପ୍ରଦତ୍ତ ପି.ଏ.ବି. ଆଧାରରେ ବୃଦ୍ଧି କରନ୍ତୁ ଏବଂ ୬ ବର୍ଷର ଠିକା ଚାକିରୀକୁ ମୂଳ ଚାକିରୀରେ ଗଣନା କରି ନିୟମିତ କରନ୍ତୁ ବୋଲି ଓଡ଼ିଶା ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ ସଭାପତି ସରୋଜ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଯଦି ସରକାର ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିବେ ବୋଲି ଚେତାବନି ଦେଇଛନ୍ତି । ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିକ୍ଷକ ପ୍ରତିନିଧିମାନେ ଯୋଗଦେଇ ସରକାରଙ୍କ କନିଷ୍ଠ ଶିକ୍ଷକ ମାରଣ ନୀତିର ତୀବ୍ର ସମାଲୋଚନା କରି ବିଷୋଦ୍‌ଗାର କରିଥିଲେ ଏବଂ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷାକୁ ବଞ୍ଚାଇ ରଖିବାକୁ ସରକାର ପ୍ରଚେଷ୍ଟା କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ନିବେଦନ କରିଥିଲେ ।