OnaKhabar

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

12

ନିଶ୍ଚିନ୍ତକୋଇଲି : ମଙ୍ଗଳବାର ନିଶ୍ଚିନ୍ତକୋଇଲି ବ୍ଲକ୍ ବରାଦୋ ଗ୍ରାମ ପଞ୍ଚାୟତ କଟକ ଚାନ୍ଦବାଲି ରାସ୍ତାର ଜହ୍ନିଆ ବଜାରରେ ଥିବା ଡଲଫିନ୍ ବିଅର ବାର ଛାତ ଉପରେ ବିଦ୍ୟୁତ ଆଘାତରେ ଜଣେ ଦଳିତ ଯୁବକର ଅକାଳ ମୃତ୍ୟୁକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବି ନେଇ ଶହ ଶହ ଉତ୍ତ୍ୟକ୍ତ ଜନତା ଟାୟାର ଜାଳି କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ । ଦୀର୍ଘଦିନ ହେଲା କଟକ ଚାନ୍ଦବାଲି ରାସ୍ତାର ଜହ୍ନିଆ ବଜାରରେ ଅବାଧରେ ଓ ପୁଲିସ ପ୍ରଶାସନର ଜ୍ଞାତସାରରେ ଡଲଫିନ ବିଅର ବାର ଚାଲିଛି । ଏହି ବିଅର ବାର କୋଠାଘରର ଛାତ ଉପର ଦେଇ ସେସୁର ୩୩ କେଭି ବିଦ୍ୟୁତ୍ ତାର ବିପଦସଙ୍କୁଳ ଭାବେ ଯାଇଛି । ଆଜି ସକାଳେ କୋଲଣପୁର ଗ୍ରାମର ଦଳିତ ଜିତେନ୍ଦ୍ର ସାମଲଙ୍କ ପୁତ୍ର ଆଲୋକ ସାମଲ ୨୪ ବର୍ଷ କାମ କରୁଥିଲା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଆଲୋକ ହୁତୁହୁତୁ ହୋଇ ଜଳି ଯାଇଥିଲେ । ଶହ ଶହ ଲୋକ ଚିତ୍କାର କରି ଏହି ଲୋମହର୍ଷଣକାରୀ ଘଟଣା ଦେଖୁଥିଲେ ମଧ୍ୟ ଆଲୋକକୁ ଉଦ୍ଧାର କରିବା ନିମନ୍ତେ କେହି ସାହସ କରିପାରିନଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଆଲୋକଙ୍କର ଜୀବନ ଦୀପ ଲିଭି ଯାଇଥିଲା । ଖବର ପାଇ ସାଲେପୁର ଅଗ୍ନିଶମ ବିଭାଗର କର୍ମଚାରୀ ଭାବେ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଆଲୋକକୁ ବଞ୍ଚାଇ ପାରିନଥିଲେ । ଏହି ଘଟଣା ପ୍ରଚାରିତ ହେବା କ୍ଷଣି ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ରାସ୍ତା ଉପରେ ଶବ ରଖି ନାରାବାଜି ଦେଇ ଓ ଟାୟାର ଜାଳି କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ସାଲେପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଘରର ସତ୍ତ୍ୱ୍ୱାଧିକାରୀ ଚୌଧୁରୀ ପ୍ରମୋଦ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସାଢେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେବା ସହ ନଗଦ ୧ଲକ୍ଷ ଟଙ୍କା ଦେବା ସହ ଅବଶିଷ୍ଟ ସାଢେ ୩ଲକ୍ଷ ଟଙ୍କା ଆଗାମୀ ୩୧ ତାରିଖ ମଧ୍ୟରେ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ସାଲେପୁର ପୁଲିସ ମୃତ ଆଲୋକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡ଼ାକ୍ତରଖାନାକୁ ପଠାଇଛନ୍ତି । ଏ ସମ୍ପର୍କରେ ସାଲେପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ଏହି ସ୍ଥାନରେ କାର୍ଯ୍ୟ କରୁଥିଲା ବେଳେ ସାଲେପୁର ଥାନା ନାନ୍ଦୋଳଗଡ଼ା ଅଞ୍ଚଳର ଜଣେ ଶ୍ରମିକର ଅନୁରୂପ ଭାବେ ବିଦ୍ୟୁତ୍ ଆଘାତରେ ଅକାଳ ବିୟୋଗ ଘଟିଥିବାର ନଜିର ରହିଛି । ତେବେ ଏହି ଘଟଣାଟି ଏଠାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ବିଜେଡି ନେତା ଯତୀନ୍ଦ୍ରନାଥ ଜେନା, ବ୍ଳକ୍ ବିଜେଡି ଯୁବନେତା ଅଶୋକ କୁମାର ଓଝା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସବିତା ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ସରପଞ୍ଚ ରୁପାଲିନ ନାୟକ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମୃତକଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।