OnaKhabar

ବଜ୍ରକାପ୍ତା ରପ୍ତାନି ର‌୍ୟାକେଟର ପୁଣି ୩ ଗିରଫ

337

ଆଠଗଡ : ଆଠଗଡ ବନବିଭାଗ ପକ୍ଷରୁ ପୁଣି ୩ ଜଣ ବଜ୍ରକାପ୍ତା ଚୋର ଚାଲାଣ କାରିଙ୍କୁ ଗିରପ କରି କୋର୍ଟ ଚାଲାଣ କରାଯାଇଛି । ଗିରଫମାନଙ୍କ ମଧ୍ୟରେ ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବିଶ୍ୱଜିତ୍ ସାମଲ, ଦଲକ ଗ୍ରାମର ରତିକାନ୍ତ ବେହେରା ଓ ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମର ଆଶୁତୋଷ ସାହୁଙ୍କୁ ବନବିଭାଗ ତରଫରୁ ଅଟକ ରଖାଯାଇଛି ।
ସୂଚନା ଅନୁଯାୟୀ, ବଜ୍ରକାପ୍ତା ଚୋରାଚାଲାଣ କାରୀ ଦଳଙ୍କର ଆନ୍ତର୍ଜାତିକ ସ୍ତର ସହିତ ଲିଙ୍କ ଥିବା ସନ୍ଦେହ କରାଯାଇଛି । ଉକ୍ତ ବ୍ୟବସାୟରେ ଆନ୍ତର୍ଜାତିକ ସ୍ତରରେ ମୂଲ୍ୟ ଯଥେଷ୍ଟ ଅଧିକ ରହୁଥିବାରୁ ଏହି ସଦସ୍ୟମାନେ ଅତ୍ୟନ୍ତ ସନ୍ତର୍ପଣ ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସାଂକେତିକ ସୂଚନା ମାଧ୍ୟମରେ ବଜ୍ରକାପ୍ତାର ଓଜନ ଓ ତା ସହିତ କିଙ୍ଗପିନ୍ ଠାରୁ ଆସୁଥିବା ନୋଟର ନମ୍ବରକୁ ପ୍ରଦର୍ଶନ କରାଯାଇ ପସନ୍ଦ ହେଲା ପରେ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ଏହି ମାମଲାରେ ଆନ୍ତଃରାଜ୍ୟ ଓ ଆନ୍ତର୍ଜାତିିକ ସଂପର୍କ ରହୁଥିବା କାରଣରୁ ଏହାକୁ ଭାରତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ହସ୍ତାନ୍ତର କରାଯାଇଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି । ଗତ କିଛି ଦିନ ତଳେ ବଜ୍ରକାପ୍ତା ରପ୍ତାନୀ ର‌୍ୟାକେଟର ୯ ଜଣ ସଦସ୍ୟ ଗୁରୁଡ଼ିଝାଟିଆ ପୋଲିସ ଓ ବନବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ସୋମବାର ୩ଜଣଙ୍କୁ ଅଟକ ରଖାଯାଇଛି । ଏହାକୁ ମିଶାଇ ଏହି ର‌୍ୟାକେଟର ୧୦ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀଙ୍କୁ ଧରିବାରେ ବନବିଭାଗ ବିଫଳ ହୋଇଛି ।