OnaKhabar

‘ନିର୍ଭୟା’ ଦୋଷୀଙ୍କ ପାଇଁ ତିଆରି ହେଉଛି ଫାଶୀ…..

19

ନୂଆଦିଲ୍ଲୀ: ଡିସେମ୍ବର ୧୪ ସୁଦ୍ଧା ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବା ଭଳି କିଛି ନିର୍ଦ୍ଦେଶ ଏବେ ବିହାରର ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ ଆସିଛି | ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ତେବେ କୁହାଯାଉଛି ଦିଲ୍ଲୀରେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ଏହି ଫାଶୀ ଦଉଡି ପ୍ରସ୍ତୁତ କରିବାକୁ କୁହାଯାଇଛି |

ମିଳିଥିବା ସୂଚନା ଅନୁଯାୟୀ, ବକ୍ସର ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡାଙ୍କୁ ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି | ଏହାକୁ ନେଇ ଜେଲ ଅଧିକ୍ଷକ କହିଛନ୍ତି ଯେ ଡିସେମ୍ବର ୧୪ ସୁଦ୍ଧା ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ କୁହାଯାଇଥିବାବେଳେ କାହାକୁ ଫାଶୀ ଦିଆଯିବ ସେ ନେଇ କିଛି ତଥ୍ୟ ମିଳିନାହିଁ | ସଂସଦ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ ଗୁରୁକୁ ମୃତ୍ୟଦଣ୍ଡ ଦେବା ପାଇଁ ଏହି ଜେଲ ଦ୍ୱାରା ପ୍ରସ୍ତୁତ ଫାଶୀ ଦଉଡ଼ିକୁ ବ୍ୟବହାର କରାଯାଇଥିଲା |ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡା କହିଛନ୍ତି ଯେ ଗୋଟିଏ ଫାଶୀ ଦଉଡି ପ୍ରସ୍ତୁତ କରିବାକୁ ଦୁଇରୁ ତିନିଦିନ ସମୟ ଲାଗିଥାଏ | ୫ରୁ ୬ ଜଣ କଏଦୀ ଏହି ଫାଶୀ ଦଉଡି ପ୍ରସ୍ତୁତ କରିଥାନ୍ତି | ଏଠାରେ ସୂଚନା ଥାଉ କି ଡିସେମ୍ବର ୧୬, ୨୦୧୨ ମସିହାରେ ଦିଲ୍ଲୀରେ ଏକ ଚଳନ୍ତା ବସରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ୪ ଜଣ ଦୋଷୀଙ୍କୁ ବର୍ଷ ଶେଷ ସୁଦ୍ଧା ଫାଶୀ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି |