OnaKhabar

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ : ଓଡ଼ିଶା ଚାଷୀ ଉପରେ ଛତିଶଗଡ଼ ପୁଲିସର ଅତ୍ୟାଚାର

27

ଝାରସୁଗୁଡ଼ା : ଓଡ଼ିଶା-ଛତିଶଗଡ଼ ସୀମାରେ ଅବସ୍ଥିତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କନକତୋରା ଗ୍ରାମରେ ଛତିଶଗଡ଼ ପୁଲିସ ପ୍ରବେଶ କରି ଚାଷୀଙ୍କୁ ହଇରାଣ କରୁଥିବା ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ କନକତୋରାବାସୀ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଶନିବାର ରାତିରେ କନକତୋରାର ଜଣେ ଚାଷୀ ମନୋଜ ମେହେରଙ୍କୁ ଓଡ଼ିଶା ସୀମାରୁ ଛତିଶଗଡ଼ ପୁଲିସ ଉଠାଇନେଇ ହଇରାଣ କରିବା ସହ ତାଙ୍କ ଧାନ ଗାଡ଼ି ଜବତ କରିଛି । ତେଣୁ ବିନା କାରଣରେ ଓଡ଼ିଶା ସୀମାରୁ ଓଡ଼ିଶା ଚାଷୀଙ୍କୁ ଉଠାଇବାସହ ତାଙ୍କ ଧାନ ଜବତ କରିଥିବାରୁ ଛତିଶଗଡ଼ ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସୀମାକୁ ଛତିଶଗଡ଼ ପୁଲିସ ବିଭିନ୍ନ ସମୟରେ ଆସି ଲୋକଙ୍କ ନାଁରେ ମିଥ୍ୟା କେସ ଲଗାଇ ନିର୍ଯାତନା ଦେଉଛି । ଏହାସହ ବିଭିନ୍ନ ସମୟରେ ଓଡ଼ିଶା ସୀମାକୁ ପଶି ଗାଡ଼ି କାଗଜ ପତ୍ର ଯାଞ୍ଚ ବାହାନାରେ ବେଆଇନ ଟଙ୍କା ଅସୁଲ କରୁଛନ୍ତି । ପ୍ରତ୍ୟେକ ଦିନ ଛତିଶଗଡ଼ର ଅସାମାଜିକ ବ୍ୟକ୍ତି ଆସି ଓଡ଼ିଶା ସୀମାରେ ଦାଦାଗିରି, ମାରପିଟ କରୁଛନ୍ତି । ତେଣୁ ଛତିଶଗଡ଼ ପୁଲିସ ଓ ଅସାମାଜିକ ବ୍ୟକ୍ତିଙ୍କର ପ୍ରବେଶ ତଥା ଅତ୍ୟାଚାରକୁ ରୋକିବା ପାଇଁ ଓଡ଼ିଶା-ଛତିଶଗଡ଼ ସୀମାକୁ ସଂଯୁକ୍ତ କରୁଥିବା ସାପଖଣ୍ଡ ରାସ୍ତା, ଚାଣ୍ଟିପାଲି-ଲରା ରାସ୍ତା, କଟାପାଲି-ବାଉସେନପାଲି ରାସ୍ତା, କନକତୋରା-କାଳୀମନ୍ଦିର- ଏକତାଲ ରାସ୍ତା, କନକତୋରାଛକ-ବଡ଼ମାଲ ରାସ୍ତାଗୁଡ଼ିକର ଓଡ଼ିଶା ସୀମା ଆରମ୍ଭରେ ଓଡ଼ିଶା ସରକାରଙ୍କ ସୂଚନା ଫଳକ ଲଗାଯାଉ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏହାସହ କନକତୋରାରେ ଥିବା ଫରେଷ୍ଟ ଗେଟକୁ ଓଡ଼ିଶା ସୀମାରୁ ଜିରୋ (୦) ପଏଣ୍ଟରେ ସ୍ଥାନାନ୍ତର କରି ଷ୍ଟାଫ ନିୟୋଜିତ କରିବା ପାଇଁ ସେମାନେ ଦାବି କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲଖନପୁର ତହସିଲଦାର ଜ୍ୟୋତ୍ସାରାଣୀ ସାହୁ କନକତୋରା ଗ୍ରାମକୁ ଯାଇ ମନୋଜ ମେହେରଙ୍କ ଚାଷ ଜମି ପରିଦର୍ଶନ କରି ଆରଆଇଙ୍କୁ ଜମିର ରିର୍ପୋଟ ପ୍ରଦାନ କରିବା ପାଇଁ କହିଛନ୍ତି । ଅନ୍ୟପଟେ ଛତିଶଗଡ଼ ଏକତାଲ ପଞ୍ଚାୟତ ଓ ଧନୁଆଡେରା ପଞ୍ଚାୟତର ଚାଷୀମାନେ ମଧ୍ୟ ରାୟଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଚାଷୀ ମନୋଜ ମେହେରଙ୍କ ଧାନ ବୋଝେଇ ଗାଡ଼ିକୁ ଛତିଶଗଡ଼ ପୁଲିସ ଜବତ କରି ତାଙ୍କୁ ଦୋଷୀ ଭାବରେ ଛିଡ଼ା କରି ଫଟୋ ଉଠାଇବା ଏକ ନିନ୍ଦନୀୟ ଘଟଣା । ତେଣୁ ପୁଲିସର ଏପରି କାର୍ଯ୍ୟକଳାପ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଛତିଶଗଡ଼ ରାଜ୍ୟର ଏକତାଲ ଏବଂ ଧନୁଆଡେରା ପଞ୍ଚାୟତର ଚାଷୀମାନେ ରାୟଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୩୫ ଟଙ୍କା ରହିଥିବା ବେଳେ ଗତବର୍ଷ ଠାରୁ ଛତିଶଗଡ଼ର ସରକାର ଏମଏସପି ୨୫ଶହ ଟଙ୍କା କରିଛନ୍ତି । କ୍ୱିଣ୍ଟାଲ ପିଛା ୬୬୫ ଟଙ୍କାର ପାର୍ଥକ୍ୟ ରହିଥିବାରୁ ଅସାଧୁ ବ୍ୟବସାୟୀ ଏବଂ ଦଲାଲ ଓଡ଼ିଶାରୁ ସ୍ୱଳ୍ପ ମୂଲ୍ୟରେ ଧାନ କିଣି ନେଇ ଛତିଶଗଡ଼ରେ ବିକ୍ରି କରୁଛନ୍ତି । ହେଲେ ଛତିଶଗଡ଼ ପୁଲିସ ଦଲାଲମାନଙ୍କୁ ନଧରି ବେଆଇନ ଭାବେ ଓଡ଼ିଶା ସୀମାକୁ ପ୍ରବେଶ କରି ନିରୀହ ଚାଷୀଙ୍କୁ ହଇରାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।