OnaKhabar

ଦୃଷ୍ଟିହୀନ ଯୁବତୀଙ୍କ ହାତ ଧରି ଉଦାହରଣ ସୃଷ୍ଟି କଲେ ତିରୂପତିର ଯୁବକ

25

ବ୍ରହ୍ମପୁର: ବିବାହ କରି ନିଜର ଖୁସିର ପରିବାରଟିଏ କରିବା ସାଧାରଣତଃ ସ୍ୱପ୍ନ ଥାଏ । ହେଲେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହା ଟିକିଏ ଭିନ୍ନ । ଆଉ ଯଦି ଝିଅ ଦିବ୍ୟାଙ୍ଗ ହୋଇଥାଏ ତେବେ କଥା ସରିଲା । ସେମାନଙ୍କ ପାଇଁ ବିବାହ ସମ୍ପର୍କରେ ଚିନ୍ତା କରିବା ମଧ୍ୟ ବୃଥା । ତେବେ ଏହାକୁ ଭୁଲ ପ୍ରମାଣିତ କରି ଜଣେ ଦୃଷ୍ଟିବାଧିତ ଯୁବତୀଙ୍କ ହାତଧରି ଉଦାହରଣ ସାଜିଛନ୍ତି ତିରୂପତିର ଜଣେ ଯୁବକ । ଏଭଳି ଆଦର୍ଶ ବିବାହ ହୋଇଛି ବ୍ରହ୍ମପୁରରେ ।

ବ୍ରହ୍ମପୁର ଗେଟବଜାର ରାଧାକୃଷ୍ଣ ସାହିର ଜି ଏଲ ଏନ ସ୍ୱାମୀ ଶେଖରଙ୍କ ସାନ ଝିଅ ସୌମ୍ୟା ଜନ୍ମରୁ ଦୃଷ୍ଟିହୀନ । ସୌମ୍ୟାଙ୍କ ବୟସ ବଢିବା ସାଙ୍ଗକୁ ତାଙ୍କର ବିବାହ ପ୍ରସଙ୍ଗକୁ ନେଇ ବାପାଙ୍କ ଚିନ୍ତା ବଢ଼ିବାରେ ଲାଗିଥାଏ । ଗତ କିଛି ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଜୟନଗରମର ଜଣେ ସମ୍ପର୍କୀୟ ଶେଖରଙ୍କୁ ମଦନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ମଦନ ତିରୂପତିର ଜି. ଭେଙ୍କେଟ ସୀମାଦ୍ରୀଙ୍କ ପୁଅ । ସେ ତିରୁମାଲା ମନ୍ଦିରର କ୍ୟାଣ୍ଟିନରେ କାମ କରନ୍ତି । ମଦନ ପୂର୍ବରୁ ସୌମ୍ୟାଙ୍କ ଦୃଷ୍ଟିହୀନତା ସମ୍ପର୍କରେ ଅବଗତ ଥିଲେ । ଏହା ଜାଣି ସୁଦ୍ଧା ମଦନ ସୌମ୍ୟାଙ୍କୁ ନିଜର ଧର୍ମପତ୍ନୀ ଭାବେ ଗ୍ରହଣ କରିବାକୁ ରାଜି ହୋଇଥିଲେ । ଆଉ ଉଭୟଙ୍କ ଆଦର୍ଶ ବିବାହ ବ୍ରହ୍ମପୁରରେ ଏକ କଲ୍ୟାଣ ମଣ୍ଡପରେ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ବିନା କୌଣସି ଯୌତୁକରେ ସେ ପୁଣି ଜଣେ ଦୃଷ୍ଟିବାଧିତ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ମଦନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।