OnaKhabar

ମହିଳାଙ୍କ ପାଇଁ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା

131

ବେଙ୍ଗାଲୁରୁ: ସାରା ଦେଶରେ ମହିଳା ହୁଅନ୍ତୁ କିମ୍ବା ଯୁବତୀ ମାନଙ୍କ ପ୍ରତି ଦିନକୁ ଦିନ ଦୁଷ୍କର୍ମ, ଅତ୍ୟାଚାର,ଅସଦାଚାରଣ ଭଳି ଘଟଣା ବଢିବାରେ ଲାଗିଛି । କେବେ ଘରେ ବାପା,ଭାଇ,ଦାଦା,ମାମୁଁ, ଅଜା ଏମାନେ ଦୁଷ୍କର୍ମ କଲେଣି ତ କେବେ ପଡୋଶୀ । କେବେ ବିଦ୍ୟାଳୟରେ ଶିକ୍ଷକ ତ କେବେ ଟ୍ୟୁସନ ସାର । କେବେ ରାସ୍ତାରେ ଯାଉଥିବା ସମୟରେ ଅଜଣା ଯୁବକ ଅସଦାଚରଣ କରୁଛି ତ କେବେ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ ତ କେବେ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ଘଟୁଛି । ନାରୀ କେବେ ବି କେଉଁଠି ବି ନିଜକୁ ସୁରକ୍ଷିତ ବୋଲି ଭାବିନାହିଁ । ତେବେ ପୋଲିସ ଯିଏ ସମସ୍ତଙ୍କୁ ସୁରକ୍ଷା ଦିଏ ରକ୍ଷା କରେ ସେ ବି ନାବାଳିକା ହେଉ କିମ୍ବା ମହିଳାଙ୍କୁବି ଦୁଷ୍କର୍ମ କରିବା ପାଇଁ ପଛାଉ ନାହିଁ । ନାରୀଟିଏ କେବଳ ରାତିରେ ନୁହେଁ ସେ ଦିନରେ ମଧ୍ୟ ସୁରକ୍ଷିତ ନୁହେଁ । ତେବେ ମହିଳା ମାନଙ୍କ ପ୍ରତି ହେଉଥିବା ଏହି ସବୁ ଘଟଣାକୁ ନେଇ କର୍ଣ୍ଣାଟକର ଗଡଗ ଜିଲ୍ଲାର ଏସପି ଶ୍ରୀନାଥ ଜୋଶୀ ମହିଳାଙ୍କ ସୁରକ୍ଷା ପାଇଁ ଏକ ବ୍ୟବସ୍ଥା କରିଛନ୍ତି ।

ନିକଟରେ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତର ସଂଧ୍ୟାରେ ଆସିବା ବେଳେ ତାଙ୍କର ସ୍କୁଟି ପମ୍ପଚର ହୋଇଥିଲା । ଟାୟାର ସଜାଡିବାକୁ କହି ଚାରି ଅଭିଯୁକ୍ତ ଡାକ୍ତର ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କୁ ହତ୍ୟା କରି ପୋଡ଼ି ଦେଇଥିଲେ । ଏହାପରେ ଦେଶର ବିଭିନ୍ନ ରାଜ୍ୟରେ ମହିଳାଙ୍କ ପରିବହନ ସେବା ଉପରେ ଗୁରୁତ୍ୱ ଦିଆଯାଉଛି । ନିକଟରେ ଉତ୍ତର ପ୍ରଦେଶର ଏକ ଜିଲ୍ଲାରେ ଜଣେ ହୋଟେଲ କର୍ମଚାରୀ ବିଳମ୍ୱିତ ରାତିରେ ଚାଲି ଚାଲି ଫେରୁଥିଲେ । ପୁଲିସ ଦେଖିବା ପରେ ସଙ୍ଗେସଙ୍ଗେ ବ୍ୟକ୍ତିଙ୍କୁ ନେଇ ସେହି ହୋଟେଲକୁ ଯାଇଥିଲେ । ଏହାପରେ ସଂପୃକ୍ତ ହୋଟେଲ ସମେତ ଜିଲ୍ଲାରେ ଥିବା ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ରାତିରେ କାରରେ କର୍ମଚାରୀଙ୍କୁ ଘରେ ଛାଡ଼ିବା ପାଇଁ ।

ଗାଡ଼ି ଅଛି, ଡ୍ରାଇଭର ଅଛି । ତଥାପି ରାତିରେ ଘରକୁ ଫେରିବାରେ ଅସୁବିଧା ହେଉଛି କି ? ତାହାଲେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ କର୍ମଜୀବୀ ହେଉ କି ସାଧାରଣ ମହିଳାଙ୍କ ପାଇଁ ପୁଲିସ କରିଛି ସ୍ୱତନ୍ତ୍ର ବ୍ୟବସ୍ଥା । ରାତି ୧୦ରୁ ସକାଳ ୬ ଭିତରେ କୌଣସି ମହିଳା ଯେକୌଣସି ସ୍ଥାନକୁ ଯିବାକୁ ଚାହୁଁଥିଲେ ପୁଲିସ୍ ନେବା ଆଣିବା ବ୍ୟବସ୍ଥା କରିବ । ଏକଥା ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ ।

ଆଇଟି ସିଟି ଭାବେ କ୍ଷ୍ୟାତି ଅର୍ଜନ କରିଥିବା କର୍ଣ୍ଣାଟକର ଗଡଗ ଜିଲ୍ଲାର ଏସପି ଶ୍ରୀନାଥ ଜୋଶୀ ଏହିପରି ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ମହିଳାଙ୍କୁ ପୁଲିସର ଟୋଲ ଫ୍ରି ନମ୍ୱରକୁ ଫୋନ୍ କରି କହିବାକୁ ପଡ଼ିବ । ଏହାପରେ ପୁଲିସ କଲ୍ କରିଥିବା ମହିଳାଙ୍କୁ ତାଙ୍କର ଠିକଣା ସ୍ଥାନରୁ ନିଜର ସ୍ୱତନ୍ତ୍ର ଗାଡ଼ିରେ ନେଇ ଗନ୍ତବ୍ୟ ସ୍ଥଳରେ ଛାଡ଼ିବ ବୋଲି ଏସପି ଶ୍ରୀନାଥ ଜୋଶୀ କହିଛନ୍ତି । ଏହି ସେବା ଗଡଗ ଜିଲ୍ଲାର ସମସ୍ତ ସ୍ଥାନରେ ମିଳିବ ବୋଲି ସେ କହିଛନ୍ତି । ଶନିବାର ରାତିରୁ ଏହି ସେବା ଆରମ୍ଭ ହୋଇଛି । ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏସପି ଶ୍ରୀନଥ ଜୋଶୀଙ୍କ ଦ୍ୱାରା ନିଆଯାଇଥିବା ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି ।