OnaKhabar

ବିଜେଡିକୁ ବାଟ ଛାଡ଼ିଲା ବିଜେପି

318

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବିଜେପି-ବିଜେଡି ରାଜନୀତିକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜାରି ରହିଛି । ଦୁଇ ଦଳ ପରସ୍ପରର ନିକଟତର ହେଉଥିବା ଗୋଟିଏ ପରେ ଗୋଟିଏ ଘଟଣାରୁ ସ୍ପଷ୍ଟ ହେବାରେ ଲାଗିଛି । ‘ପଛ’କୁ ଦୁଇ ଦଳ ପୁଣି ଫେରିବା ପାଇଁ ଏବେଠାରୁ କଷରତ ଆରମ୍ଭ କରିଦେଇଥିବା କଥା ଅନେକ କହୁଛନ୍ତି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୁଇଦଳ କାର୍ଯ୍ୟକରି ଲୋକଙ୍କ ସମାଲୋଚନାକୁ ଓ ଆଲୋଚନାକୁ ଆକଳନ କରିବାରେ ଲାଗିଛନ୍ତି ବୋଲି କେହି କେହି କହୁଛନ୍ତି । ବିଜେଡି ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଟେକଦେବା ଓ କେନ୍ଦ୍ର ସରକାରଙ୍କ ସବୁ ବିଲ୍‌ରେ ପାର୍ଲାମେଣ୍ଟରେ ସମର୍ଥନ ଦେବା ଏବଂ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅମିତ ଶାହଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ଦେଖାଦେଉଛି । ଏବେ ଆଉ ଏକ ପାଦ ଦୁଇ ଦଳ ଆଗେଇଥିବା ଦେଖିବାକୁ ମିଳିଛି । ‘ଏମ୍ସ’ର ପରିଚାଳନା କମିଟି ସଦସ୍ୟ ପଦକୁ ନେଇ ବିଜେଡିକୁ ବାଟଛାଡ଼ିଛି ବିଜେପି । ଏ ଘଟଣା ପରେ ଦୁଇ ଦଳର ସମ୍ପର୍କ କ୍ରମେ ଅଧିକ ନୀବିଡ଼ ହେଉଥିବା କଥା ଆଲୋଚନା ପରିସରକୁ ଆସିଛି ।
ଭୁବନେଶ୍ୱରଠାରେ ଥିବା ‘ଏମ୍ସ’ର ପରିଚାଳନା କମିଟିରେ ଗୋଟିଏ ସଦସ୍ୟ ପଦ ପାଇଁ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲା । ଏଥିରେ ରାଜ୍ୟସଭାର ଜଣେ ସଦସ୍ୟ ନିର୍ବାଚିତ ହେବାର ଥିଲା । ଗୋଟିଏ ପଦବୀ ପାଇଁ ବିଜେଡିର ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଓ ବିଜେପିର ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଗୋଟିଏ ପଦବୀ ପାଇଁ ଦୁଇଜଣ ସଦସ୍ୟ ଆବେଦନ କରିଥିବାରୁ ନିର୍ବାଚନ ଆବଶ୍ୟକ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ନୀରବ ରହିଗଲେ । ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଜଣାଇଲେ ।
ଏଣୁ ବିଜେଡିକୁ ବିଜେପି ପଦବୀ ଛାଡ଼ିଦେଲା ବୋଲି କୁହାଯାଉଛି । ବିଜେଡି ନେତାମାନେ ଯଦିଓ କହୁଛନ୍ତି ସେଭଳି କିଛି ଲଢ଼େଇ ହେବାର ନ ଥିଲା, କାରଣ ଅଶ୍ୱିନୀ ବୈଷ୍ଣବ ଲଢ଼ିବେ ନାହିଁ ବୋଲି କହିଥିଲେ । କିନ୍ତୁ ଏଠି କଥା ଉଠୁଛି ବିଜେପି ପ୍ରାର୍ଥୀ କଣ ଆପଣାଛାଏଁ ଓହରିଗଲେ କି? ଯାହା ସ୍ଥିତି କହୁଛି ଅଶ୍ୱିନୀଙ୍କୁ ଓହରିଯିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଗଲା । ସେଥିପାଇଁ ସେ ଲଢ଼ିବେ ନାହିଁ ବୋଲି କହିଲେ । ପ୍ରକୃତରେ ଯଦି ତାଙ୍କର ଲଢ଼ିବାର ନ ଥିଲା ତେବେ ସେ ମୂଳରୁ ପ୍ରାର୍ଥୀ ପତ୍ର ଦାଖଲ କରି ନ ଥାନ୍ତେ । ଆଉ ଯଦିବା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ତେବେ ପ୍ରତ୍ୟାହାର ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ ହୋଇଥିଲା ତାହା ଭିତରେ ସେ ପ୍ରତ୍ୟାହାର କରି ନେଇଥାନ୍ତେ । ହେଲେ ସେ ସେପରି କିଛି କଲେନାହିଁ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବା ଦ୍ୱାରା ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛାଥିବା ସ୍ପଷ୍ଟ ହେଲା । କାରଣ ବିଜେପି ଏହି ଆସନ ଜିତିବା ନିଶ୍ଚିନ୍ତଥିଲା । ରାଜ୍ୟସଭାରେ ଏନଡିଏର ୧୦୨ ଜଣ ସଦସ୍ୟ ଥିଲା ବେଳେ ବିଜେଡିର ମାତ୍ର ୭ ଜଣ ସଭ୍ୟ ଅଛନ୍ତି । ଏ କ୍ଷେତ୍ରରେ ଅଶ୍ୱିନୀଙ୍କର ଜିତିବା ପକ୍କା । ବିଜେଡିକୁ ବାଟ ଛାଡ଼ିବା ପାଇଁ ସେ ଏଭଳି ପଦକ୍ଷେପ ନେଲେ ।
କୁହାଯାଉଛି ଅଶ୍ୱିନୀ ବୈଷ୍ଣବ ବିଜେଡି ଦୟାରୁ ରାଜ୍ୟସଭାକୁ ଯାଇଛନ୍ତି । କାରଣ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ବିଜେପି ହାତରେ ସେତିକି ବିଧାୟକ ଓଡ଼ିଶାରେ ନାହାଁନ୍ତି । ଏଣୁ ଯେହେତୁ ବିଜେଡି ଦୟାରେ ଅଶ୍ୱିନୀ ରାଜ୍ୟସଭାକୁ ଯାଇଛନ୍ତି ସେଥିପାଇଁ ସେ ପ୍ରତିଦାନ ଦେବାକୁ ଯାଇ ଓହରିଗଲେ । କିନ୍ତୁ ଏହା ପଛରେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କର ହାତ ରହିଛି । ବିଜେଡି ସହ ଅଯଥାରେ ପ୍ରତିଦ୍ୱନ୍ଦ୍ୱିତା କରି ବିବାଦ ଭିତରକୁ ଯିବାକୁ ବିଜେପି ନେତାମାନେ ଚାହୁଁଲେନାହିଁ । ବିଜେଡି ସବୁ କ୍ଷେତ୍ରରେ ବିଜେପିକୁ ଏବେ ସହାୟତା କରୁଥିବାରୁ ଦଳୀୟ ନେତାମାନେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏଣୁ ଉଭୟ ଦଳ ମଧ୍ୟରେ ବୁଝାମଣା ଭିତ୍ତିକ ରାଜନୀତି ବଢ଼ିବାରେ ଲାଗିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।