OnaKhabar

ଝାଡ଼ଖଣ୍ଡ ନିର୍ବାଚନରେ ହିଂସା: ସୁରକ୍ଷାକର୍ମୀଙ୍କ ଗୁଳିରେ ୧ ମୃତ, ୨ ଆହତ

4

ରାଂଚି : ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟ ଚାଲିଛି । ଅପରାହ୍ନ ୪ଟା ସୁଦ୍ଧା ପ୍ରାୟ ୬୨ ପ୍ରତିଶତ ମତଦାନ ହୋଇଥିବା ଆକଳନ କରାଯାଇଛି । କିନ୍ତୁ ମତଦାନ ସମୟରେ ହିଂସାଘଟି ପୁଲିସ ଗୁଳିରେ ଜଣକର ମୃତ୍ୟୁ ହୋଇଥିଲା ବେଳେ ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଗୁଳିକାଣ୍ଡ ଗୁମଲାସ ସିସିଆଇ ନିର୍ବାଚନମଣ୍ଡଳୀରେ ଘଟିଛି ।
ଘଟଣା ସମ୍ପର୍କରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁରାଲିଲାଲ ମିନା କହିଛନ୍ତି ରାପିଡ ଆକ୍ସନ ଫୋର୍ସ ଗୁଳିରେ ଜଣେ ମୃତ୍ୟୁବରଣ କରିଛନ୍ତି । ସିସିଆଇ ନିର୍ବାଚନମଣ୍ଡଳୀର ୩୬ ନମ୍ବର ବୁଥରେ ଏହି ଘଟଣା ଘଟିଛି । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଉଦ୍ୟମ କଲାବେଳେ ଏହି ଗୁଳିକାଣ୍ଡ ହୋଇଛି । ଝାଡ଼ଖଣ୍ଡ ମୁଖ୍ୟନିର୍ବାଚନ ଅଧିକାରୀ ବିନୟ କୁମାର ଚୁବେ କହିଛନ୍ତି ଏହି ଘଟଣାର ତଦନ୍ତ ଆଦେଶ ଦିଆଯାଇଛି ଓ ଉକ୍ତ ବୁଥରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୨୦ଟି ନିର୍ବାଚନମଣ୍ଡଳୀରେ ହୋଇଛି । ସକାଳ ୭ଟାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ କାର୍ଯ୍ୟ ଆରମ୍ଭ କରାଯାଇଛି । ୮୧ ଆସନ ବିଶିଷ୍ଟ ବିଧାନସଭାର ନିର୍ବାଚନ ୫ଟି ପର୍ଯ୍ୟାୟରେ କରାଯାଉଛି । ଅପରାହ୍ନ ୩ଟା ସୁଦ୍ଧା ୧୮ଟି ଆସନରେ ଭୋଟ ଗ୍ରହଣ ଶେଷ ହୋଇଥିଲା ବେଳେ ଜାମସେଦପୁର ପୂର୍ବ ଓ ଜାମସେଦପୁର ପଶ୍ଚିମରେ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ଚାଲିବ । ଭୋଟ ଗ୍ରହଣ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଆସନଗୁଡ଼ିକ ମଧ୍ୟରୁ ହେଉଛି ଅଧିକାଂଶ ନକ୍ସଲ ଉପଦୃତ । ସେଥିପାଇଁ ସଶସ୍ତ୍ର ପୁଲିସ ବାହିନୀ ଓ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।
ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ୬୦୬୬ ବୁଥ ହୋଇଛି । ଏଥିରୁ ୯୮୫ଟି ଅତି ଉତ୍ତେଜନା ପ୍ରବଣ ଓ ୭୬୨ଟି ଉତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ୧୦୧ଟି ବୁଥରେ ଭୋଟରଙ୍କୁ ନବା ଆଣିବା ପାଇଁ ଯାନବାହନ ଯୋଗାଇ ଦିଆଯାଇଛି । ୧୦୧୬ଟି ଭୋଟ କେନ୍ଦ୍ର ସହରାଂଚଳରେ ଥିବା ବେଳେ ୫୦୫୦ଟି ଗ୍ରାମାଞ୍ଚଳରେ ରହିଛି । ୩୩୭ଟି ମଡେଲ ଭୋଟ କେନ୍ଦ୍ର କରାଯାଇଥିଲା ବେଳେ ୯୪ଟି ପୁଲିଂ କେନ୍ଦ୍ରକୁ ମହିଳାମାନେ ପରିଚାଳନା କରୁଛନ୍ତି । ଏହି ଦ୍ୱିତୀୟ ପର୍ଯ୍ୟାୟରେ ୪୮ଲକ୍ଷ ୩୮ ହଜାର ଭୋଟରଙ୍କ ମଧ୍ୟରୁ ୨୩ ଲକ୍ଷ ୯୩୪୩୬ ମହିଳା ଭୋଟର ଥିଲାବେଳେ ୯୦ ଜଣ ହେଉଛନ୍ତି କିନ୍ନର । ୨୬୦ ଜଣ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟରେ ମଇାଦନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରେ ୩୯ ଜଣ ହେଉଛନ୍ତି ମହିଳା ଓ ୭୩ ଜର ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ।
୨୦ ଆସନରେ ହେଉଥିବା ଏହି ନିର୍ବାଚନରେ ୪୨ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏଥିରେ କେନ୍ଦ୍ରୀୟ ବାହିନୀ ମଧ୍ୟ ଅଛନ୍ତି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀରଙ୍କ ଭାଗ୍ୟ ଇଭିଏମରେ ସିଲ