OnaKhabar

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀରଙ୍କ ଭାଗ୍ୟ ଇଭିଏମରେ ସିଲ

13

ରାଂଚି : ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ଝାଡ଼ଖଣ୍ଡର ଭୋଟରମାନେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେ ପୁଣି ଥରେ କ୍ଷମତାକୁ ଫେରୁଛନ୍ତି କି ନାହିଁ ତାହା ଉପରେ ନଜର ରହିଛି । ଏହି ପର୍ଯ୍ୟାୟ ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଘାଟଶୀଳା (ସଂରକ୍ଷିତ), ପୋଟକା (ସଂ), ଜୁଗସଲାଇ (ସଂ), ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ସରେଇକେଲା (ସଂ) ଚାଇଁବସା (ସଂ), ମଝିଗାଓଁ (ସଂ), ଜଗନ୍ନାଥପୁର (ସଂ), ମନୋହରପୁର (ସଂ), ଚକ୍ରଧରପୁର (ସଂ), ତମାର (ସଂ), ତୋରାପା (ସଂ), ଖୁଂଟି (ସଂ), ମନ୍ଦାର (ସଂ), ସିସିଆଇ (ସଂ), ସମବେଗା(ସଂ) ଓ କୋଲବିରା (ସଂ) ଆସନରେ ନିର୍ବାଚନ ହେଉଛି ।
ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଝାଡ଼ଖଣ୍ଡ ବିଧାନସଭାର ବାଚସ୍ପତି ଦିନେସ ଓରାଓନ, ଶିଶାଇ ବିଧାନସଭା ଆସନରୁ ଓ ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ ନିଳକଣ୍ଠ ସିଂହମୁଣ୍ଡା ଖୁଣ୍ଟି ବିଧାନସଭା ଆସନରେ ଲଢ଼େଇ କରୁୂଛନ୍ତି । ବିଜେପି ରାଜ୍ୟ ସଭାପତି ଲକ୍ଷ୍ମଣ ଗିଲୁଆ ଗତ ଲୋକସଭା ନିର୍ବାଚନରେ ହାରିଯାଇଥିଲା ବେଳେ ଏଥର ଚକ୍ରଧରପୁର ବିଧାନସଭା ଆସନରେ ଲଢ଼ୁଛନ୍ତି । ଏଜେଏସୟୁ ପାର୍ଟିର ନେତା ତଥା ଝାଡ଼ଖଣ୍ଡ ଜଳସମ୍ପଦ ମନ୍ତ୍ରୀ ରାମଚନ୍ଦ୍ର ସାହିସ, ଯୁଗସଲାଇରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଝାଡ଼ଖଣ୍ଡ ପିସିସିର ପୂର୍ବତନ ସଭାପତି ପ୍ରଦୀପ କୁମାର ବାଲମାଛୁ ନିକଟରେ ଏଜେଏସୟୁରେ ଯୋଗଦେଇ ଘାଟଶିଳା ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜେଡିୟୁ ରାଜ୍ୟସଭାପତି ସଲଖେନ ମୁର୍ମୁ ମାଝଗାଓଁ ବିଧାନସଭା ଆସନରେ, ଜେଭିଏମ-ପି ପ୍ରାର୍ଥୀ ତଥା ପୂର୍ବତନ ଏଚଆରଡି ମନ୍ତ୍ରୀ ବନ୍ଧୁ ତିର୍କୀ ମନ୍ଦାର ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ବିଜେପି ଏହି ଦ୍ୱିତୀୟ ପର୍ଯ୍ୟାୟରେ ସବୁ ବିଧାନସଭା ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ବେଳେ କଂଗ୍ରେସ ୬ ଓ ଜେଏମଏମ ୧୪ଟି ଆସନରେ ଲଢ଼ୁଛି । ଆରଜେଡି ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଗୋଟିଏ ହେଲେ ଆସନରେ ଲଢ଼ୁନାହିଁ ।
ଏନଡିଏର ସହଯୋଗୀ ଏଜେଏସୟୁ ପାର୍ଟି ଏଥର ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି । ନୂତନ ରାଜ୍ୟ ଗଠନ ହେବା ପରଠାରୁ ପ୍ରଥମ ଥର ପାଇଁ ଏକାକି ଲଢ଼ୁଛି । ଏହି ପର୍ଯ୍ୟାୟ ନିର୍ବାଚନରେ ୧୨ଟି ଆସନରେ ଲଢ଼ୁଛି । କନ୍ତୁ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତାନ୍ତ୍ରିକ) ୨୦ଟି ଆସନରେ ଓ ବହୁଜନ ସାମାଜ ପାର୍ଟି ୧୪ଟି ଆସନରେ ଲଢ଼ୁଛି । ସିପିଆଇ ୨ଟି ଆସନରେ, ସିପିଏମ ଗୋଟିଏ ଓ ଏନସିପି ୨ଟି ଆସନରେ ଲଢ଼ୁଛି । ଅଲ ଇଣ୍ଡିଆ ତ୍ରୁଟମୂଳ କଂଗ୍ରେସ ବି ପ୍ରାର୍ଥୀ ଦେଇଛି । ଦଳର ୬ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ଲଢ଼ୁଛନ୍ତି ।
ତୃତୟ ପର୍ଯ୍ୟାୟ ନିର୍ବାଚନ ୧୨, ଚତୁର୍ଥ ପର୍ଯ୍ୟାୟ୧୬ ଓ ୫ମ ପର୍ଯ୍ୟାୟ ନିର୍ବାଚନ ୨୦ ତାରିଖ ହେବ ।

ବିଜେପି କ୍ଷମତାକୁ ଫେରିବା ନେଇ ବହୁ ପ୍ରତିବନ୍ଧକ!