OnaKhabar

ଆଗଲପୁର ବ୍ଲକରେ ଧାନକିଣା ସମସ୍ୟା : ୫ ଦିନ ହେଲା ମଣ୍ଡିରେ ପଡି ରହିଛି ଧାନ, ଗୃହ କମିଟି ଅଧ୍ୟକ୍ଷଙ୍କୁ ଦେଲେ ଲିଖିତ ଅଭିଯୋଗ

4

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଏ ବର୍ଷ ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ପଂଚାୟତର ନୁନିଆପାଲି, ରୋଥ୍ ଓ ଉପରବାହାଲ ଏହି ତିନୋଟି ଗ୍ରାମର ସମସ୍ତ ଚାଷୀ ରୋଥ୍ ସ୍ଥିତ କୃଷି ସମବାୟ ସମିତିରେ ଧାନ ବିକ୍ରି କରନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏ ଅଂଚଳର ଚାଷୀମାନେ ଦିର୍ଘ ୫ଦିନ ହେଲା ହଜାର ହଜାର ବସ୍ତା ଧାନ ଆଣି ମଣ୍ଡିରେ ରଖିଥିଲେ ହେଁ ଆଜି ପର୍ଯ୍ୟନ୍ତ ତାଙ୍କର ଧାନ କିଣା ହୋଇନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଧାନକିଣା ନିୟମ ଅନୁଯାୟୀ ମିଲର୍ସମାନେ ମଣ୍ଡିକୁ ଆସିବା କଥା ନୁହେଁ କିନ୍ତୁ ସଭା ସମିତି ତଥା ବିଭାଗିୟ ଅଧିକାରୀମାନେ କହୁଛନ୍ତି ଯେହେତୁ ମିଲର୍ସ ଆସୁନାହାନ୍ତି ସେମାନେ ଧାନ କିଣିବେ ନାହିଁ । ଆହୁରି ମଧ୍ୟ ଅଭିଯୋଗ ଅଛି ଯେ ମିଲର୍ସମାନେ ଯଦି ଧାନ କିଣିବେ ୩ ରୁ ୫ କେଜି ଧାନ କ୍ୱିଣ୍ଟାଲ ପିଛା କାଟି ଧାନ କ୍ରୟ କରିବେ ବୋଲି ଅଧିକାରୀମାନେ କହୁଛନ୍ତି ତେଣୁ ବହୁ କଷ୍ଟେ ଧାନ ଅମଳ କରି ଚାଷୀମାନେ ମଣ୍ଡିକୁ ଆଣିଥିଲେ ହେଁ ଧାନ ପଡି ରହିଥିବାରୁ ଏଠାରେ ଏକ ଅଭାବନିୟ ପରିସ୍ଥିତି ସୃଷ୍ଟି ହୋଇଛି । ଏ ସବୁ ସମାଧାନ ପାଇଁ ଆଜି ଏ ଅଂଚଳ ୫୦ରୁ ଉଦ୍ଧ୍ୱର୍ ଚାଷୀ ସାଧାରଣ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଥିବା ଗୃହ କମିଟି ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଭେଟି ଏ ବାବଦରେ ଅଭିଯୋଗ କରିଛନ୍ତି । ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଏହି ଅଭିଯୋଗକୁ ଗ୍ରହଣ କରି ତତକ୍ଷଣାତ ଏହି ସମ୍ବନ୍ଧୀୟ ଗୃହ କମିଟି ଆଗରେ ହାଜର ହେବାକୁ ଜିଲ୍ଲା ସାଧାରଣ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ ସହିତ ଫୋନ ଯୋଗେ କଥା ହୋଇ ତୁରନ୍ତ ରୋଥ୍ ସମବାୟ ସମିତିରେ ଉପୁଜିଥିବା ଧାନର ଅଭାବି ବିକ୍ରି ସମସ୍ୟା ସମାଧାନ ପାଇଁ ରୋଥକୁ ଯାଇ ସମାଧାନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଗଲପୁର ବ୍ଲକର ସମସ୍ତ ଅଂଚଳରୁ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ ଧାନ କିଣିବା କଥା କିନ୍ତୁ ଏଫସିଆଇ ଅଧିକାରୀମାନେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନୁନଥିବାରୁ ଚାଷୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।