OnaKhabar

ଆଦର୍ଶର ଉଚ୍ଚ ସୋପାନ : ରାସ୍ତା ପାଇଁ ନିଜ ଘର ଭାଙ୍ଗିଲେ ଗ୍ରାମବାସୀ

3

ଟିଟିଲାଗଡ଼ : ସାମୂହିକ ସ୍ୱାର୍ଥ ପାଇଁ ନିଜ ସ୍ୱଇଚ୍ଛାରେ ଟିଟିଲାଗଡ଼ ବ୍ଲକ୍ ସିହିନି ଗ୍ରାମବାସୀ ଜେସିବିରେ ନିଜ ଘର ନିଜେ ଭାଙ୍ଗିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ନିଜ ରୟତି ଜମିରେ ତୋଳାଇଥିବା ମାଟି କାନ୍ଥ ଘର, ପକ୍କାଘର, ପାଚେରି ଭାଙ୍ଗି ରାସ୍ତାକୁ ବାଟ ଫିଟାଇଛନ୍ତି । ସୂଚନାଯୋଗ୍ୟ ଯେ ସିହିନି ଗ୍ରାମକୁ ଟିଟିଲାଗଡ଼ ଉପକଣ୍ଠସ୍ଥ ଟିଟିଲାଗଡ଼ କଣ୍ଟାବାଞ୍ଜି ରାସ୍ତାର ତୁର୍ଲା ଗ୍ରାମରୁ ସଂଯୋଗ ରହିଛି । ଏହି ରାସ୍ତାରେ ଗ୍ରାମର ବହୁ ଛାତ୍ରଛାତ୍ରୀ କଲେଜ ଯିବା ଆସିବା କରୁଥିବା ବେଳେ ରାସ୍ତାଟି ଅପରପଟରେ ସିଧାସଲଖ ମାର୍ଲାଡ ଗ୍ରାମ ଦେଇ କଳାହାଣ୍ଡି ଜିଲ୍ଲା ସେଁପୁର ଠାରେ ଖରିଆର ଭବାନୀପାଟଣାକୁ ସଂଯୋଗ ରହିଛି । ଏହି ରାସ୍ତାର ଉନ୍ନତିକରଣ ପାଇଁ ସିହିନି ସରପଞ୍ଚ ବିରବର ସାହୁ ପୁର୍ବରୁ ତକ୍ରାଳିନ ସାଂସଦ କଳିକେଶ ନାରାୟଣ ସିଂଦେଓ, ବିଧାୟିକା ଟୁକୁନୀ ସାହୁଙ୍କ ସହ ପୂର୍ତ୍ତମନ୍ତ୍ରୀ ଓ ସଚିବଙ୍କ ଠାରେ ଦାବି ଉପସ୍ଥାନ କରିଥିଲେ । ତେବେ ଗ୍ରାମ ଭିତର ଅଣଓସାରିଆ ରହିଥିବା ଯୋଗୁଁ ରାସ୍ତା ନିର୍ମାଣ ସମ୍ଭବପର ହେଉନଥିଲା । ଏନେଇ ଗାଁ ଭିତର ରାସ୍ତା ବିଶେଷ କରି ବର୍ଷା ଋତୁରେ ସର୍ବଦା ନର୍ଦ୍ଦମାମୟ ହୋଇ ଯାତ୍ରିବାହୀ ବସ୍ ସମେତ ବିଭିନ୍ନ ଯାନବାହାନ ଚଳାଚଳରେ ଘୋର ସମସ୍ୟା ସୃଷ୍ଟି ହେଉଥିଲା । ଅପରପକ୍ଷରେ ଅନେକ ଲୋକଙ୍କ ରୟତି ଜମି ରହିଥିବା ନେଇ ଅଧିଗ୍ରହଣ ସମସ୍ୟା, ବିରୋଧ ଆଦି ଚିନ୍ତାରେ ପ୍ରଶାସନ ମନ୍ଥରତା ପ୍ରଦର୍ଶନ ଜାରି ରଖିଥିଲା । ଏନେଇ ବିଭିନ୍ନ ସମୟରେ ଦାବି ନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ପକ୍ଷରୁ ଅଣଓସାରିଆ ସ୍ଥାନରେ ରାସ୍ତା କାମ କିଭଳି ହେବ ବୋଲି ଗ୍ରାମବାସୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏନେଇ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ବୈଠକ ବସି ଭବିଷ୍ୟତ ପୀଢ଼ିଙ୍କ ସୁବିଧା ଦୃଷ୍ଟିରୁ ରାସ୍ତା ନିର୍ମାଣ ସଂକଳ୍ପ ନିଆଯାଇଥିଲା । ନିଷ୍ପତ୍ତି କ୍ରମେ ରବିବାର ଠାରୁ ଗ୍ରାମବାସୀ ସ୍ୱତଃ ନିଜ ମାଟି ଘର, ପକ୍କା ଘର, ପାଚେରି ଭାଙ୍ଗି ଚାଲିଛନ୍ତି । ନା ପ୍ରଶାସନ ଅଛି, ନା ପୁଲିସ ଜଗିଛି, ଆଜିର ଗଣତନ୍ତ୍ର ଯୁଗରେ ଏହା ଏକ ଭିନ୍ନ ପରମ୍ପରାର ବାହକ ହୋଇ ଉଚ୍ଚ ଆଦର୍ଶ ପ୍ରତିଷ୍ଠା କରିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ସହ ଉଚ୍ଚ ପ୍ରଶଂସା କରାଯାଇଛି । ଗ୍ରାମର ରୋହିତ ଚନ୍ଦନ, ନୂଆ ଭୋଇ, ସୁଧୀର ମାଝୀ, ସତ୍ୟନାରାୟଣ ହେର୍ଣ୍ଣା, ବୃହସ୍ପତି ଜାନୀ, ଜଗବନ୍ଧୁ ସାହୁ, ବାବୁଲି ଭୋଇ, ଉଜ୍ଜ୍ୱଲ ସାହୁ, ଅଲେଖ ସାହୁ, ତହସିଲ ଭୋଇ, କପିକେତନ ଭୋଇ, ତୁଲସି ସାହୁ, ଟିକେଧର ଭୋଇ, ରମେଶ ଛତର, ତପି ଛତର, ବେଣୁଧର ମାଝୀ, ପ୍ରତାପ ନାଏକ, ପ୍ୟାରି ଛତର, ରାଧେଶ୍ୟାମ ଛତର, ବୃଷଭ ମାଝୀ, ଗଜିନ ମାଝୀ ପ୍ରମୁଖ ଜମି ଦାନ କରି ଉଚ୍ଚ ଆଦର୍ଶର ଗାଥା ରଚୟିତା ହୋଇଛନ୍ତି । ଗ୍ରାମବାସୀଙ୍କ ମହତାକାର୍ଯ୍ୟକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଥମ ଦଫାରେ ଗ୍ରାମ ଭିତର ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ ଲକ୍ଷ ଟଙ୍କା ମନ୍ତ୍ରୀ ଶ୍ରୀମତି ସାହୁ ଘୋଷଣା କରିଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ମନ୍ତ୍ରୀଙ୍କ ଠାରେ କୃତଜ୍ଞତା ଜ୍ଞାପନ କରାଯାଇଛି ।