OnaKhabar

ତଡ଼ିଦେଇଥିବା ବୃଦ୍ଧାଙ୍କୁ ଫେରାଇ ଆଣିଲେ ପୁଅ-ବୋହୂ

3

ସାଲେପୁର : କିଛିଦିନ ତଳେ ଜଣେ ବୃଦ୍ଧାକୁ ତାଙ୍କ ସାବତ ପୁଅ-ବୋହୂ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବାବେଳେ ଗଣମାଧ୍ୟମ ପ୍ରଭାବରେ ଏବେ ସଂପୃକ୍ତ ପୁଅ-ବୋହୂ ତାଙ୍କୁ ଘରକୁ ଫେରାଇ ଆଣିଥିବା ଜଣାପଡ଼ିଛି । ବୃଦ୍ଧା ଜଣକ ପୁରୀର ଏକ ଅନାଥାଶ୍ରମରେ ରହିବା ଭିଡିଓ ଭାଇରାଲ୍ ହେବାପରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ସାଲେପୁର ପୁଲିସ ପକ୍ଷରୁ ବୃଦ୍ଧାଙ୍କ ସଠିକ୍ ପରିଚୟ ଖୋଜି ବାହାର କରାଗଲାପରେ ତୁରନ୍ତ ନିଜ ପାଖକୁ ଆଣିବାପାଇଁ ବୃଦ୍ଧାଙ୍କ ସାବତ ପୁଅ ଓ ବୋହୂମାନଙ୍କୁ ପୁଲିସ ତାଗିଦ କରିଥିଲା । ଫଳରେ ପରିବାର ସଦସ୍ୟ ପୁରୀରୁ ନିଜ ଘରକୁ ବୃଦ୍ଧାଙ୍କୁ ଆଣିଛନ୍ତି । ସାଲେପୁର ଥାନା ଅନ୍ତର୍ଗତ ତାଳପଦା ଗ୍ରାମର ବାବାଜୀ ସ୍ୱାଇଁଙ୍କ ପତ୍ନୀ ନୟନା ଦେଈଙ୍କୁ ତା’ର ସାବତ ପୁଅ ଓ ବୋହୂମାନେ ନିର୍ଯାତନା ଦେବା ସହ ଘରୁ ବାହାର କରିଦେଇଥିଲେ । କିଛିଦିନ ପରେ ନୟନା ପୁରୀରେ ଏକ ଡାକ୍ତରଖାନାରେ ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ । ସେଠାକାର କେତେକ ସ୍ୱେଚ୍ଛାସେବୀ ନୟନାଙ୍କୁ ଉଦ୍ଧାର କରି ପୁରୀ ପୌରପାଳିକାର ବାସହୀନମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଆଶ୍ରୟସ୍ଥଳରେ ରଖିଥିଲେ । ଏହି ଅବସ୍ଥା ପାଇଁ ତାଙ୍କର ସାବତ ପୁଅ ଓ ବୋହୂ ଦାୟୀ ବୋଲି ସ୍ୱେଚ୍ଛାସେବୀଙ୍କ ନିକଟରେ ପ୍ରକାଶ କରିବାପରେ ସ୍ୱେଚ୍ଛାସେବୀମାନେ ଏହ ଖବରକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲେ । ଏହାପରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ସାଲେପୁର ପୁଲିସ ପକ୍ଷରୁ ଏହି ଘଟଣାକୁ ନେଇ ତତ୍ପରତା ପ୍ରକାଶ ପାଇଥିଲା । ବୃଦ୍ଧାଙ୍କ ପରିଚୟ ପୁଲିସ ପାଇବାପରେ ବୃଦ୍ଧାଙ୍କୁ ତୁରନ୍ତ ଅନାଥ ଆଶ୍ରମରୁ ନେଇ ଆସିବାକୁ ତା’ ପରିବାର ଲୋକମାନଙ୍କୁ ପୁଲିସ ତାଗିଦ କରିଥିଲା । ଏପରିକି ବୃଦ୍ଧାଙ୍କ ସାବତପୁଅ ଓ ନାତିମାନେ ପୁରୀରେ ପହଞ୍ôଚ ଭବିଷ୍ୟତରେ କୌଣସି ନିର୍ଯାତନା ଦେବେ ନାହିଁ, ଯଦି ଦିଅନ୍ତି, ତେବେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇ ନିଜ ସାଥିରେ ଘରକୁ ନେଇ ଆସିଥିବା ଜଣାଯାଇଛି ।