OnaKhabar

ବରଯାତ୍ରୀ ଶୋଭାଯାତ୍ରାରେ ଲଙ୍କାକାଣ୍ଡ :ଢେଲାମାଡ଼ରେ ଭାଙ୍ଗିଲା ଶତାଧିକ ବରଯାତ୍ରୀ ଗାଡି

9

ଆଠଗଡ଼ : ଏକ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବା ସମୟରେ ରବିବାର ରାତି ପ୍ରାୟ ୧୦ଟାରେ ବରଯାତ୍ରୀ ଓ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଇଥିଲା । ମାତ୍ର ଏହାକୁ ନେଇ ପରବର୍ତ୍ତୀ ସମୟରେ ଲଙ୍କାକାଣ୍ଡ ହୋଇଛି । ଢେଲାପଥର ମାଡ଼ରେ ଶୋଭାଯାତ୍ରାରେ ଯାଉଥିବା ଶତାଧିକ ଗାଡ଼ିମୋଟର ଭଙ୍ଗିରୁଜି ଯାଇଛି । ଏ ସଂକ୍ରାନ୍ତରେ ଆଠଗଡ଼ ଥାନାରେ ମାମଲା ଦାଏର କରାଯାଇଛି । ଘଟଣାରୁ ପ୍ରକାଶ, ରବିବାର ରାତିରେ ଆଠଗଡ଼ ସହରର ବିଭିନ୍ନ ମଣ୍ଡପ ସହ ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ବିବାହ ଉତ୍ସବ ପାଇଁ ବରଯାତ୍ରୀ ଶୋଭାଯାତ୍ରା ସହର ମଧ୍ୟଦେଇ ବିଳମ୍ବିତ ରାତିରେ ଯାଉଥିଲା । ତନ୍ମଧ୍ୟରୁ ରାଜବାଟୀନଗରସ୍ଥିତ ନିହର ରଞ୍ଜନ ରାଉତଙ୍କ କନ୍ୟାଙ୍କ ସହ ସାନ ମୁଣ୍ଡଳି ନିବାସୀ କୁଞ୍ଜବିହାରୀଙ୍କ ପୁଅର ବିବାହ ନିମନ୍ତେ ଶୋଭାଯାତ୍ରା ଯାଉଥିଲା । ଏହି ସମୟରେ ଚାନ୍ଦବାଲି ଛକ ନିକଟରେ ରାସ୍ତାରେ ବରଯାତ୍ରୀ ଦଳ ତରଫରୁ କିଛି ସ୍ଥାନୀୟ ଯୁବକଙ୍କୁ ଗାଳିଗୁଲଜ କରାଯିବା ସହ ମାଡ଼ ମାରାଯାଇଥିଲା । ଏଥିସହ ବରଯାତ୍ରୀମାନେ ସେମାନଙ୍କ ବାଇକ୍ ଓ କାର୍ ଭଙ୍ଗାରୁଜା କରିଥିଲେ । ଖବରପାଇ ଉକ୍ତ ଯୁବକଙ୍କ ସାଥୀମାନେ ଘଟଣାସ୍ଥଳରେ ପହଞ୍ôଚ ସଂଗଠିତ ହୋଇ ବରଯାତ୍ରୀଙ୍କୁ ଆକ୍ରମଣ କରିବା ସହ ବର ଯାଉଥିବା କାର୍ ଓ ବରଯାତ୍ରୀ ଆସିଥିବା ଏକ ବସ୍କୁ ଭଙ୍ଗାରୁଜା କରିଥିଲେ । ଏଥିସହ ବରଯାତ୍ରୀ ଦଳରେ ବାଇକ୍ ନେଇ ଆସିଥିବା କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ । ଖବରପାଇ ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିିତିକୁ ଆୟତ୍ତ କରିବା ସହ କିଛି ଯୁବକଙ୍କୁ ଅଟକ ରଖିଥିଲା । ତେବେ ଘଟଣାକୁ ନେଇ ଆଠଗଡ଼ ଗଦାସାହିର ଜ୍ଞାନରଞ୍ଜନ ପଟ୍ଟନାୟକ ଆଠଗଡ଼ ଥାନାରେ ଏତଲା ଦେଇଥିବାବେଳେ ବରଯାତ୍ରୀଙ୍କ ତରଫରୁ କୌଣସି ଏତଲା ଦିଆଯାଇନାହିଁ । ତେବେ ସୋମବାର ସକାଳେ ମୁଣ୍ଡଳୀ ଦେଇ ଭୁବନେଶ୍ୱର ଓ କଟକ ଯାଉଥିବା ଆଠଗଡ଼ ଅଞ୍ଚଳର ଲୋକଙ୍କୁ ଅଟକାଇ ମାଡ଼ ମରାଯିବା ସହ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଠଗଡ଼ ଅଞ୍ଚଳର ହୋଟେଲ ମାଲିକ ରାଜୁ ମହାନ୍ତି ଗାଡ଼ି ନେଇ ଭୁବନେଶ୍ୱରରୁ ଫେରୁଥିବାବେଳେ ତାଙ୍କ ଗାଡ଼ିକୁ ମୁଣ୍ଡଳୀଠାରେ ଅଟକାଇ ଭଙ୍ଗାରୁଜା କରାଯାଇଥିବା ନେଇ ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ସମସ୍ତ ବରଯାତ୍ରୀ ଶୋଭାଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁମତିପତ୍ର ପ୍ରଦାନ କରାଯାଇଛି । ଶାନ୍ତିଶୃଙ୍ଖଳା ନିମନ୍ତେ ଆବଶ୍ୟକ ପରିମାଣର ପୁଲିସ କର୍ମଚାରୀ ନଥିବାବେଳେ କିଭଳି ଏକ ସମୟରେ ସମସ୍ତ ବରଯାତ୍ରୀ ଦଳକୁ ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏ ସମସ୍ତ ଘଟଣା ପାଇଁ ଉଭୟ ପକ୍ଷର ଲୋକ ପୁଲିସ ପ୍ରଶାସନକୁ ଦାୟୀ କରିଛନ୍ତି ।