OnaKhabar

ସାଇବର ଠକେଇ : ୩ ଗିରଫ

19

କଟକ : ଅନଲାଇନ ମାଧ୍ୟମରେ ନେଟରେ ନକଲି ଆଇଡି ବ୍ୟବହାର କରି ଲୁଟୁଥିବା ଏକ ଗ୍ୟାଙ୍ଗକୁ କ୍ରାଇମବ୍ରାଞ୍ଚ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରୁ ମଧ୍ୟ ତାଙ୍କର ଜାଲ ବିଛାଇ ଟଙ୍କା ଲୁଟୁଥିବା ପୁଲିସକୁ ସୁରାକ ମିଳିଛି । ଅଭିନବ ଉପାୟରେ ଠକୁଥିବା ଏହି ଗ୍ୟାଙ୍ଗ ରିଲାଏନ୍ସ ପେଟ୍ରୋଲ ପମ୍ପ ଡିଲରଶିପ୍ ଦେବାର ଲୋଭ ଦେଖାଇ ରିଲାଏନ୍ସ ପେଟ୍ରୋଲିୟମ(ଡଟ) ଓଆରଜି ନାମରେ ନକଲି ୱେବସାଇଟ୍ ଖୋଲିଥିଲା । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ଲକ୍ଷ ୪୫ ହଜାର ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏ ସଂକ୍ରାନ୍ତରେ ତଦନ୍ତ କରି ଏକ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ବିହାର ରାଜ୍ୟ ପାଟନାର ହାୱାଇ ଆଡ୍ଡା ଥାନା ଅଞ୍ଚଳରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ ୮ ଲକ୍ଷ ୫୯ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କର ୪୭ଟି ଏଟିଏମ କାର୍ଡ, ୧୬ଟି ମୋବାଇଲ ଫୋନ, ବିଭିନ୍ନ ସିମ୍ କାର୍ଡ, ପେନଡ୍ରାଇଭ୍‌, ଡଙ୍ଗଲ, ଲାପ୍‌ଟପ, ଚେକବୁକ୍‌, ନୋଟବୁକ୍‌, ଡ୍ରାଇଭିଙ୍ଗ ଲାଇସେନ୍ସ, ଅଧାର ଓ ପ୍ୟାନ କାର୍ଡ ଆଦି ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ଭୁବନ କୋର୍ଟରେ ହାଜର କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି ।