OnaKhabar

ଏକତରଫା ପ୍ରେମର କରୁଣ ପରିଣତି

11

ଅଲିଗଡ଼: ଅଲିଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକତରଫା ପ୍ରେମର କରୁଣ ପରିଣତି ଭୋଗିବାକୁ ପଡିଛି । ଏକତରଫା ପ୍ରେମ କରୁଥିବା ପ୍ରେମିକ ନିଜ ପ୍ରେମିକାକୁ ଆଉ କାହାର ହେଉଥିବା ଦେଖି ହତ୍ୟା ଭଳି ଅପରାଧ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଅଲିଗଡ଼ ଜିଲ୍ଲାର ଇଗଲାଶ ଅଞ୍ଚଳରେ ହୋଇଥିବା ଜଣାପଡିଛି । ଆଉ ଦିନ କେଇଟା ପରେ ପୀଡିତା ଜଣଙ୍କର ବିବାହ ହୋଇଥାଆନ୍ତା । ବିବାହ ପୂର୍ବରୁ ସବୁ କିଛି ବିଗିଡି ଯାଇଛି ।

ସୂଚନା ଅନୁସାରେ, ମଙ୍ଗଳବାର ପୀଡ଼ିତାଙ୍କ ଘରେ କେହି ନଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ତାଙ୍କ ବାପା ଓ ଭାଇ ଘରକୁ ଫେରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଏଭଳି ଘଟଣା ପରେ ପରିବାର ଲୋକେ ପଡ଼ୋଶୀ ଯୁବକ ରାହୁଲଙ୍କୁ ଦୋଷୀ ବୋଲି କହି ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରାଯାଇଛି। ରାହୁଲ ପୀଡ଼ିତାଙ୍କୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ପୀଡ଼ିତା ତାଙ୍କ ପ୍ରେମ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ। ଏ ମଧ୍ୟରେ ପୀଡ଼ିତାଙ୍କ ବିବାହ ସ୍ଥର ହେବାରୁ ସେ ଏଭଳି କରିଥିବା ପୀଡ଼ିତାଙ୍କ ପରିବାର କହିଛନ୍ତି । ଘଟଣା ଦିନ ପୀଡ଼ିତାଙ୍କ ବାପା-ଭାଇ ଘରକୁ ଫେରି ପୀଡ଼ିତାଙ୍କୁ ଖୋଜିଥିଲେ। ଏହି ସମୟରେ ଛାତ ଉପରକୁ ପୋଷାକ ଶୁଖାଇବା ପାଇଁ ଯାଇ ଆଉ ଫେରି ନଥିବା କଥା କହିଥିଲେ ପୀଡ଼ିତାଙ୍କ ଭାଉଜ। ସବୁ ଶୁଣି ଛାତ ଉପରକୁ ଯାଇ ଦେଖିବା ପରେ ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାର ଦେଖାଯାଇଥିଲା। ପରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।