OnaKhabar

ମହିଳା ଅତିଥିଙ୍କୁ ହାଇଦ୍ରାବାଦ ‘ରୋଡ ସୋ’କୁ ବିମାନରେ ନେବା ଏବଂ ହୋଟେଲରେ ରହଣି ବ୍ୟବସ୍ଥା ପାଇଁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଇସ୍ତଫା ଦିଅନ୍ତୁ : କଂଗ୍ରେସ

6

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍‌କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ କମିଟି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ୍ତ୍ରୀପଦର ଅପବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦ ଠାରେ “ଟୁରିଜିମ୍‌ ରୋଡ୍ ସୋ”ରେ ଭାଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜର ବ୍ୟକ୍ତିଗତ ଅତିଥି ଭାବେ ଦୁଇଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେବା ଏବଂ ହୋଟେଲ ତାଜ୍ କ୍ରିଷ୍ଣା ଠାରେ ରହିବା ବନ୍ଦୋବସ୍ତ
କରିବାରେ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି ।
ସଂପୃକ୍ତ ଦୁଇଜଣ ମହିଳାଙ୍କ ପାଇଁ ବିମାନ ଟିକେଟ୍ ଏବଂ ହୋଟେଲରେ ରହଣି ପାଇଁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ଟୁରିଜିମ୍ ଡେଭଲପମେଂଟ କର୍ପୋରେସନ (ଙଞଊଉ) ର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା କେତେଦୂର ସମୀଚିନ ବୋଲି କଂଗ୍ରେସ ପକ୍ଷରୁ ପଚରାଯାଇଛି । ମନ୍ତ୍ରୀ ପାଣିଗ୍ରାହୀ ସ୍ପଷ୍ଟ କରନ୍ତୁ ଯେ ସଂପୃକ୍ତ ମହିଳାଙ୍କ କେଉଁ ଯୋଗ୍ୟତା ଓ ଅଭିଜ୍ଞତା ହାଇଦ୍ରାବାଦ ରୋଡ ସୋରେ ଓଡିଶାବାସୀଙ୍କୁ ସହାୟତା କରିଛି ବୋଲି ସତ୍ୟ ନାୟକ ପ୍ରଶ୍ନ କରିଛନ୍ତି ।
ସଂପୃକ୍ତ ମହିଳା ଦୁଇଜଣଙ୍କୁ ମନ୍ତ୍ରୀ ନିଜ ସହ ଅତିଥି ଭାବରେ ହାଇଦ୍ରାବାଦ ନେବା ପାଇଁ ମନ୍ତ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କଠୁ ଅନୁମତି ନେଇଛନ୍ତି ନା ନାହିଁ? ହାଇଦ୍ରାବାଦ ଠାରେ ତାଜ୍ କ୍ରିଷ୍ଣା ହୋଟେଲରେ ମନ୍ତ୍ରୀ ଏବଂ ଦୁଇଜଣ ମହିଳାଙ୍କ ରହଣିର ହୋଟେଲ ଖର୍ଚ୍ଚ କିଏ ବହନ କରିଛି, ଓଟିଡିସି ନା ଅନ୍ୟ ସଂସ୍ଥା ? ଅନ୍ୟ ସଂସ୍ଥା ଠାରୁ ଅନୁଗ୍ରହ ଆଣିବାରେ ଓଟିଡିସିର ଭୂମିକାର ତଦନ୍ତ ହେଉ ବୋଲି ଶ୍ରୀ ନାୟକ ଦାବି କରିବା ସହ ଏ ଘଟଣାରେ କ’ଣ ସତ୍ୟାସତ୍ୟ ରହିଛି ମୁଖ୍ୟମନ୍ତ୍ରୀ ଅବିଳମ୍ବେ ସ୍ପଷ୍ଟିକରଣ ଦିଅନ୍ତୁ ଓ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।