OnaKhabar

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୱାର୍ଲଡ ସ୍କିଲ୍ ସେଣ୍ଟର: ମୁଖ୍ୟମନ୍ତ୍ରୀ

11

ଭୁବନେଶ୍ୱର :ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୱାର୍ଲଡ ସ୍କିଲ୍ ସେଣ୍ଟର| ସମ୍ପ୍ରତି ସ୍କିଲ୍‌ଡ ଇନ୍‌ ଓଡ଼ିଶା ଏକ ଗ୍ଲୋବାଲ୍ ବ୍ରାଣ୍ଡର ପରିଚିତି ଲାଭ କରିଛି। ରାଜ୍ୟ ଅର୍ଥନୈତିକ ପ୍ରଗତି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଉଛି। ଓଡ଼ିଶାରେ ଜାରି ରହିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆଗୁଆ ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ଖୁବ୍‌ଶୀଘ୍ର ଏକ ୱାର୍ଲଡ ସ୍କିଲ୍‌ ସେଣ୍ଟର ନିର୍ମାଣ କରାଯିବ। ସିଙ୍ଗାପୁର ଆଇଟିଇଇଏସ୍‌ ସହଭାଗିତାରେ ରାଜ୍ୟ ସରକାର ଏଭଳି ଏକ ବିଶାଳ ଦକ୍ଷତା ବିକାଶ କେନ୍ଦ୍ର କରିବାକୁ ଯାଉଛନ୍ତି। ମଙ୍ଗଳବାର ଜଟଣୀସ୍ଥିତ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟ(ସିୟୁଟିଏମ୍‌)ରେ ବଲିଉଡ୍‌ର ପ୍ରଖ୍ୟାତ ଅଭିନେତା କମଲ୍‌ ହାସନ୍‌ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କମଲ୍‌ ହାସନ୍‌ଙ୍କୁ ଡକ୍ଟର ବୋଲି ସମ୍ବୋଧନ କରିବା ସହ ତାଙ୍କ କଳା ପ୍ରଦର୍ଶନର ନିପୁଣତାକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ଡକ୍ଟରେଟ୍‌ ଉପାଧିରେ ଭୂଷିତ ହେବା ପରେ ବିଶ୍ବବିଦ୍ୟାଳୟ ପ୍ରତି କୃତଜ୍ଞତା ଜ୍ଞାପନ କରି ଶ୍ରୀ ହାସନ୍‌ କହିଲେ, କଳିଙ୍ଗ ରାଜ୍ୟ ଜ୍ଞାନର କେନ୍ଦ୍ର। ତେଣୁ ସେ ଶିଖିବା ପାଇଁ ଏଠାକୁ ବାରମ୍ବାର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଦେଶରେ ଅଗ୍ରଣୀ ହୋଇପାରିଥିବାରୁ ତାମିଲ୍‌ନାଡ଼ୁରେ ମଧ୍ୟ ଏଭଳି କାର୍ଯ୍ୟକ୍ରମର ଅଧିକ ପ୍ରସାର କରିବାକୁ ସେ ଉଦ୍ୟମ କରିବେ ବୋଲି କହିଥିଲେ। ପିଲାମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ, ସମୟ ଅସୀମ ନୁହେଁ, ସୀମିତ। ତେଣୁ ଜୀବନର ପ୍ରତି କ୍ଷଣକୁ ସଫଳତାର ସହ ବଞ୍ଚିବାକୁ ପଡ଼ିବ। ଏଥିପାଇଁ ଛୋଟ ଛୋଟ ଲକ୍ଷ୍ୟ ନିରୁପଣ କରି ତାହାକୁ ହାସଲ କରିବାକୁ ଉଦ୍ୟମ କରିବା ଉଚିତ। ପର୍ଯ୍ୟାୟକ୍ରମେ ଉପଯୁକ୍ତ ଯୋଜନା ଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ ବୋଲି ସେ ଉପଦେଶ ଦେଇଥିଲେ।