OnaKhabar

ପୁଣି ଥଣ୍ଡା, କାଶରେ ୧୭ ଶିଶୁ ଆକ୍ରାନ୍ତ

8

ମାଲକାନଗିରି : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ତାମାନପାଲ୍ଲୀ ଗ୍ରାମରେ ଥଣ୍ଡା, କାଶ, ଜ୍ୱରରେ ୬ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ବର୍ତ୍ତମାନ କାଟନପାଲ୍ଲୀ ଗ୍ରାମର ୧୭ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସରେ ୧୦ ଶିଶୁଙ୍କୁ ଏମ.ଭି-୭୯ ସ୍ଥିତ ଆଞ୍ଚଳିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କାଟନପାଲ୍ଲୀ ଗ୍ରାମର ମାଡ଼କାମ ବାଦ୍ରାଙ୍କ ଶିଶୁ ମାଡ଼କାମ ମାତା, ମାଡ଼କାମ ରିବିକା, ମାରି କାଟାମଙ୍କ ଶିଶୁ ରାମ କାଟାମ, ରାହୁଲ କାଟାମ, ମାଡ଼କାମ ଲକ୍ଷ୍ମୀଙ୍କ ଶିଶୁ ମାଡ଼କାମ ସୁଜିତା ଏବଂ ଜୟ କାଟାମଙ୍କ ଶିଶୁ କାର୍ତ୍ତିକ କାଟାମଙ୍କ ସମେତ ଅନ୍ୟ ଜଣେ ଶିଶୁଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ ହୋଇଛି । ତାମାନପାଲ୍ଲୀ ଗ୍ରାମର ଶିଶୁ ମୃତ୍ୟୁ ଘଟଣା ପରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଶିଶୁ ବିଶେଷଜ୍ଞ ଡଃ.ଶମ୍ଭୁ ଶଙ୍କର ପାତ୍ର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ସପ୍ତାହରୁ ଡେରା ପକାଇଥିବାରୁ ଆକ୍ରାନ୍ତ ଶିଶୁଙ୍କୁ କାଲିମେଳା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଅଜୟ କୁମାର ବୈଠାରୁ ପ୍ରକାଶ କରିଛନ୍ତି । କାଲିମେଳାରେ ଶିଶୁ ବିଶେଷଜ୍ଞ ଡଃ.ପାତ୍ର ଚିକିତ୍ସା କରିବା ପରେ ଯଦି ଆବଶ୍ୟକ ପଡ଼େ ତାହା ହେଲେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶିଶୁଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ସି.ଡି.ଏମ.ଓ ଶ୍ରୀ ବୈଠାରୁ ପ୍ରକାଶ କରିଛନ୍ତି ।