OnaKhabar

ହକ୍କର କମଲ ବାଗ ହତ୍ୟାକାଣ୍ଡ ଘଟଣା : ୫ ଗିରଫ

51

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ପେପର ହକ୍କର କମଲ ବାଗ(୨୫)ଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମୃତ କମଲଙ୍କ ପ୍ରେମିକାର ବାପା ଦୁର୍ଜେ ସୁନା( ୪୦), ମା’ ପୁଷ୍ପା (୩୫), ଭାଇ ଗଗନ ସୁନା (୧୯) ଦାଦା ରଘୁନାଥ ସୁନା( ୪୬), ରାଜନ ସୁନା(୩୫) । ଏସଡିପିଓ. ଅଫିସରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତମାନଙ୍କୁ ସୋମବାର ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ପେପର ହକର କମଲ ବାଗ ବିଭିନ୍ନ ଖବର କାଗଜର ବିତରକ ଭାବେ କାମ କରିଆସୁଥିଲା । ଗତ ତା.୧୧.୧୧.୨୦୧୯ରିଖ ରାତିରୁ ନିଖୋଜ ହେବା ବିଷୟ ପରିବାର ତରଫରୁ ବଡଭାଇ ନୀଳକଣ୍ଠ ବାଗ ଅଭିଯୋଗ କରିଥିଲେ । ଏହାପରେ ତା. ୧୬.୧୧.୨୦୧୯ରିଖ ଦିନ କମଲର ମୃତ ଶରୀର ଆଶ୍ରମପଡ଼ାସ୍ଥିତ ରାଧାସ୍ୱାମୀ ସତସଙ୍ଗର ଏକ ପରିତ୍ୟକ୍ତ କୂଅରୁ ଗଳିତ ଶବ ଉଦ୍ଧାର ପରେ ପରିବାର ତରଫରୁ ଚିହ୍ନଟ ହୋଇଥିଲା । ପୁଲିସ ଗଳିତ ଶବକୁ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ । ପରେ ନୀଳକଣ୍ଠର ଅଭିଯୋଗକୁ ଭିତ୍ତିକରି ପୁଲିସ୍ ପ୍ରେମଜନିତ ହତ୍ୟାକାଣ୍ଡ ଅନୁମାନ ପରେ ଏସପି ସନ୍ଦୀପ ସମ୍ପଦ ଏକ ଅନୁସନ୍ଧାନ ଟିମ୍ ଗଢ଼ିଥିଲେ । ଏହି ଟିମରେ ସ୍ଥାନୀୟ ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ଆଇଆଇସି ବିଜୟାନନ୍ଦ କରକରା, ତୁରେକେଲା ଥାନା ଆଇଆଇସି ସତ୍ୟଜିତ କୋଣ୍ଡଙ୍କେଲ, ପାଟଣାଗଡ଼ ଆଇଆଇସି ପି. ରାଉତରାଏ, ସବ୍‌ଇନ୍ସପେକ୍ଟର ପ୍ରଣୟ ମୁର୍ମୁ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ ।
ମୃତକ କମଲର ସାଙ୍ଗ ସୋନୁ ଓ କୁଲଦୀପ ଦୁହେଁ ଷ୍ଟେସନରେ ଥିବା ଚାନ୍ଦ ହୋଟେଲରୁ ବିରିୟାନି ଆଣି କମଲକୁ ଛାଡ଼ି ଚାଲିଯାଇଥିଲେ । ଆଣିଥିବା ବିରିୟାନିକୁ ମୃତକ କମଲ ଓ ତାର ପ୍ରେମିକା ଦୁହେଁ ଛାତ ଉପରେ ଖାଇବା ମଧ୍ୟରେ ପ୍ରେମିକାର ମା ପୁଷ୍ପା ସୁନା ଦେଖିଥିଲେ । ଏହାପରେ ସ୍ୱାମୀ ଦୁର୍ଜେ ସୁନା, ଗଗନ ସୁନା, ରଘୁନାଥ ସୁନା ଓ ରାଜନ ସୁନା ମିଶି କମଲଙ୍କୁ ମାଡ଼ ମାରିବା ସହିତ କାଠ ଫାଳିଆରେ ନିର୍ଦ୍ଧୁମ ପିଟିଥିଲେ । ଫଳରେ ଘଟଣାସ୍ଥଳରେ କମଲଙ୍କ ମୃତ୍ୟୁ ହୋଇଥିଲା । ପରେ ମରିଯାଇଥିବା ଜାଣିପାରି ରାଧାସ୍ୱାମୀ ସତସଙ୍ଗର ପରିତ୍ୟକ୍ତ କୂଅ ଭିତରକୁ ଫିଙ୍ଗି ଦେଇଥିଲେ । ତେବେ ଘଟଣା ଘଟିବା ଦିନ ଦୀର୍ଘ ସମୟ ଧରି କମଲ ଘରକୁ ନଫେରିବାରୁ ମୃତ କମଲଙ୍କ ପରିବାର ବର୍ଗ ଖୋଜାଖୋଜି କରିଥିଲେ । ପରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଖୋଜି ଆଜି ହତ୍ୟାକାରୀଙ୍କୁ ଗିରଫ କରିଛି ।