OnaKhabar

ବିଧାୟକଙ୍କ ଘର ସମ୍ମୁଖରେ ଧାନ ଗଦା କଲେ ଚାଷୀ

9

ସମ୍ବଲପୁର: ରାଜ୍ୟସ୍ତରରୁ ଅନଲାଇନ୍ ଟୋକନ୍ ବ୍ୟବସ୍ଥାରେ ଧାନ ସଂଗ୍ରହକୁ ନେଇ ପଶ୍ଚିମ ଓଡ଼ିଶାର ହୀରାକୁଦ ସେଚାଞ୍ଚଳରେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ସମ୍ବଲପୁର ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପାଇଁ ଗତ ୧୫ ତାରିଖରୁ ସମ୍ବଲପୁର ସଦର ଉପଖଣ୍ଡରେ ୟାର୍ଡ ଓ କ୍ରୟ କେନ୍ଦ୍ରଗୁଡ଼ିକ ଖୋଲିଥିଲେ ହେଁ ପ୍ରଥମ ୨ ଦିନରେ ପ୍ରଶାସନିକ ଅପ୍ରସ୍ତୁତି ଓ ପରେ ଅନଲାଇନ୍ ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ ଯୋଗୁଁ ଆଜି ପଞ୍ଚମ ଦିନରେ ବସ୍ତାଏ ସୁଦ୍ଧା ଧାନ କିଣାବିକା ହୋଇପାରିନାହିଁ । ଏଣେ ଜନ ପ୍ରତିନିଧି ଭାବେ ଜିଲ୍ଲାର ବିଧାୟକମାନେ ଚାଷୀଙ୍କ ସମସ୍ୟା ଦୃଢ଼ତାର ସହ ବିଧାନସଭାରେ ଉପସ୍ଥାପିତ କରିପାରୁ ନଥିବାରୁ ଚାଷୀଙ୍କ ରୋଷର ଶିକାର ହୋଇଛନ୍ତି । ପୂର୍ବ ଘୋଷଣା ମୁତାବକ ଆଜି ଚାଷୀମାନେ ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାନ ଜମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମ୍ବଲପୁରରେ ଚାଷୀମାନେ ପ୍ରଥମେ ରେଙ୍ଗାଲିର ବିଜେପି ବିଧାୟକ ନାଉରୀ ଚନ୍ଦ୍ର ନାୟକଙ୍କ ଭତ୍‌ରା ସ୍ଥିତ ବାସଭବନ ସମ୍ମୁଖରେ ଦୁଇଟି ଟ୍ରାକ୍ଟର ବୋଝେଇ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରେଢ଼ାଖୋଲର ବିଜେଡି ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀଙ୍କ ପାଳି ପଡ଼ିଥିଲା । ଚାଷୀମାନେ ଇଂ. ପୂଜାରୀଙ୍କ ବୃକ୍ସହିଲ୍ ସ୍ଥିତ ବାସଭବନ ଗେଟ ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର ରଖି ପ୍ରତିବାଦ କରିଥିଲେ । ଏହାପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନନ୍ଦପଡ଼ା ବାସଭବନ ଗଳି ରାସ୍ତାରେ ଚାଷୀମାନେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ । ବିଧାୟକମାନଙ୍କ ବାସଭବନ ଅଞ୍ଚଳରେ ପୁଲିସ୍ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଧାୟକ ଶ୍ରୀ ମିଶ୍ରଙ୍କ ବାସଭବନ ନନ୍ଦପଡ଼ାର ସଙ୍କୀର୍ଣ୍ଣ ଗଳିରେ ଥିବାରୁ ଚାଷୀମାନେ ବାଇକ, ଅଟୋ ରିକ୍ସାରେ ଧାନ ବସ୍ତା ଆଣିଥିଲେ ।
ସେହିପରି ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ୟାର୍ଡ ଓ କ୍ରୟକେନ୍ଦ୍ର ଖୋଲି ନ ଥିଲେ ହେଁ, କୁଚିଣ୍ଡାର ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ପାରୁଆଭାଡ଼ି ବାସଭବନ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିବା ଖବର ମିଳିଛି । ସରକାର ଅନଲାଇନ୍ ଟୋକନ ବ୍ୟବସ୍ଥାକୁ ବାତିଲ ନ କଲେ ଆସନ୍ତାକାଲି ବରେଇପାଲି ସ୍ଥିତ ସମ୍ବଲପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସମ୍ମୁଖରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ମଙ୍ଗଳବାର ଅପରାହ୍ଣରେ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଅନ୍ୟତମ ଆବାହକ ଅଶୋକ ପ୍ରଧାନ କହିଛନ୍ତି ଯେ, ଟୋକନ ବ୍ୟବସ୍ଥା କିଛି ନୂଆଁ ନୁହେଁ । ପୂର୍ବରୁ ମଧ୍ୟ ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ହୋଇ ଆସୁଛି କିନ୍ତୁ ତାହା ଜିଲ୍ଲାସ୍ତରରେ ବାସ୍ତବିକ ସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଲାଗୁ ହେଉଥିଲା । ୟାର୍ଡ ଓ କ୍ରୟକେନ୍ଦ୍ରମାନଙ୍କରେ ଇସ୍ୟୁ କରାଯାଉଥିବା ଟୋକନ ଅନୁସାରେ ଚାଷୀମାନେ ଧାନ ବିକ୍ରି କରୁଥିଲେ । ଚାଷୀ କେତେ ଧାନ ବିକ୍ରି କରିପାରିବେ ତାହା ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଉଥିଲା ।