OnaKhabar

୭ ଦାଦନ ଶ୍ରମିକ ଉଦ୍ଧାର

15

ନୂଆପଡ଼ା : ପାଟ୍ରୋଲିଂ କରୁଥିବା ସମୟରେ ନୂଆପଡ଼ା ଜିଲ୍ଲା ସଦର ପୁଲିସ ୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହାସହ ସେମାନଙ୍କୁ ଚାଲାଣ କରୁଥିବା ବୋଲେରୋ ଗାଡ଼ିକୁ ଜବତ କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି । ଦାଦନ ଶ୍ରମିକମାନେ ବରଗଡ଼ ଜିଲ୍ଲା ପାଇକମାଳ ଥାନା କାମସଦା ଗାଁର ବୋଲି ଜଣାପଡ଼ିଛି । ସେହିଭଳି ଅଟକ ଡ୍ରାଇଭର ହେଲେ କୋମନା ଥାନା କାଣ୍ଡେତରା ଗାଁର ଫିରୋଜ ଖାନ (୩୦) । ପଚରା ଉଚରା ପରେ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ପୁଲିସ କହିଛି ।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପାଇକମାଳ ଥାନା କାମସଦା ଗାଁର କେତେକ ଶ୍ରମିକ କାମଧନ୍ଦା ନପାଇ ଦାଦନ ଖଟି ଯିବାକୁ ସ୍ଥିର କରିଥିଲେ । କୋମନା ଥାନା ସେମେଲପାଲି ଗାଁର ଦାଦନ ସର୍ଦ୍ଦାର ସକିଲ ଖାନାଙ୍କଠାରୁ କିଛି ଟଙ୍କା ଅଗ୍ରୀମ ନେଇ ତେଲେଙ୍ଗାନାକୁ ଦାଦନ ଖଟିଯିବାକୁ ବାହାରିଥିଲେ । କାଣ୍ଡେତରା ଗାଁର ଏକ ବୋଲେରୋ ଗାଡ଼ିରେ କାମସଦା ଗାଁର ଜଗନ୍ନାଥ ବଗର୍ତ୍ତୀ(୩୫), ସ୍ତ୍ରୀ ସୁମିତ୍ରା ବଗର୍ତ୍ତୀ (୩୦), କୈଳାସ ଥାନାପତି (୩୫), ହନୁ ଥାନାପତି (୨୮), ମଜ ନାଏକ(୪୦), ବୃନ୍ଦାବନ ବଗର୍ତ୍ତୀ (୨୩), ଦାମଣି ଭୋଇ (୪୦) ପ୍ରମୁଖ ରାୟପୁର ଯାଉଥିଲେ । ସେଠାରୁ ଟ୍ରେନ ଯୋଗେ ତେଲେଙ୍ଗାନା ରାଜ୍ୟକୁ ଇଟା ଗଢ଼ିଯିବାକୁ ସ୍ଥିର ହୋଇଥିଲା । ଶ୍ରମିକ ବୋଝେଇ ବୋଲେରୋ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗେଟ୍ ନିକଟରେ ଛିଡ଼ା ହୋଇଥିଲା । ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ସଦର ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଗାଡ଼ିକୁ ଦେଖି ସନ୍ଦେହ ହେବାରୁ ବୋଲେରୋକୁ ଯାଞ୍ଚ କରିଥିଲା । ଗାଡ଼ିରେ ବସିଥିବା ଲୋକଙ୍କୁ ପଚରାଉଚୁରା କରି ଶ୍ରମିକ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପରେ ରାତିରେ ସେମାନଙ୍କୁ ଥାନାକୁ ନେଇଯାଇଥିଲା । ମଙ୍ଗଳବାର ସକାଳେ ସମସ୍ତ ଦାଦନ ଶ୍ରମିକଙ୍କୁ ଶ୍ରମ ବିଭାଗ ଅଧିକାରୀ ଆସି ପଚରାଉଚୁରା କରିଥିଲେ । ଉଦ୍ଧାର ଶ୍ରମିକ ମଧ୍ୟରେ ଜଣେ ମହିଳା ଅଛନ୍ତି । ଉଦ୍ଧାର ଶ୍ରମିକଙ୍କୁ ପୁଲିସ୍ ନିଜ ଗାଁକୁ ପଠାଇଦେଇଛନ୍ତି ବୋଲି ଆଇଆଇସି ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି ।