OnaKhabar

ଧାନ କିଣା ତାରିଖରେ କିଣି ପାରିଲେନି ଧାନ,ଚାଷୀ ଭୋଗିପାରେ ଧାନର ଅଭାବି ବିକ୍ରି !!

13
ସମ୍ପୁର୍ଣ୍ଣ ଅପ୍ରସ୍ତୁତ ସରକାର ଓ ପ୍ରଶାସନ..!
ବଲାଙ୍ଗିର(ଦେବାଶିଷ ମିଶ୍ର)- ଜିଲ୍ଲା ପ୍ରଶାସନ ଦ୍ୱାରା ଖରିଫ ଋତୁର ଧାନକିଣା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପସ୍ଥିତ ଥିବା ଅଧିକାରୀ ଚାଷୀନେତା ଓ ସମସ୍ତ ଲୋକ ପ୍ରତିନିଧିଙ୍କ ସମ୍ମୁଖରେ ଆଗାମୀ ୧୫ତାରିଖରୁ ଧାନକିଣା ହେବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଧାନ କିଣିବା ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ଅପ୍ରସ୍ତୁତ ବୋଲ ବୈଠକରେ ସ୍ପଷ୍ଟ ଜଣାପଡୁଥିଲା । କାରଣ ଧାନ କିଣିବା ପାଇଁ ଦରକାର ହେଉଥିବା ବିଭିନ୍ନ ଯନ୍ତ୍ର ଆର.ଏମ୍‌.ସି ଅଧିକାରୀମାନଙ୍କ ପାଖରେ ପ୍ରସ୍ତୁତ ନ ଥିବା ଆଲୋଚନାରୁ ଜଣାପଡିଥିଲା । ଆହୁରି ମଧ୍ୟ ଚାଷୀଙ୍କ ଠୁ ଧାନ ନେବା ପାଇଁ ଟୋକନ ଯାହାକି ଏ ବର୍ଷ ରାଜ୍ୟ ସ୍ତରରେ ଅନ୍‌ଲାଇନ ମାଧ୍ୟମରେ ଦିଆଯିବ ତାହା ମଧ୍ୟ ପ୍ରସ୍ତୁତ ନ ଥିଲା । ଯଦିଓ ମଣ୍ଡି ପରିଚାଳନା କରିବା ପାଇଁ ପେକ୍ସ ଦାୟିତ୍ୱ ନେବାର ସ୍ଥିରୀକୃତ ହୋଇଥିଲା କିନ୍ତୁ ସେଥି ପାଇଁ ହେବାକୁ ଥିବା ଖର୍ଚ୍ଚ ଆଜି ପର୍ଯ୍ୟନ୍ତ କିଏ କରିବ ନିଷ୍ପତ୍ତି ହୋଇପାରିନାହିଁ । ଏପରିକି ଟ୍ରାନ୍ସପୋଟେସନକୁ ନେଇ ମଧ୍ୟ ରାଜ୍ୟ ତଥା ଜିଲ୍ଲା ଉଭୟ ସ୍ତରରେ ସରକାର ଓ ପ୍ରଶାସନ ନିଷ୍ପତ୍ତି ନେବାରେ ବିଫଳ ହୋଇଛନ୍ତି । ଫଳରେ ଆଜି ଆମ ଅଞ୍ଚଳର ଚାଷୀ ହିଁ ଧାନ ଅଭାବି ବିକ୍ରିର ସମ୍ମୁଖିନ ହେବାକୁ ଯାଉଛି ବୋଲି କୁହାଯାଉଛିା
ଆହୁରି ମଧ୍ୟ ଟୋକନ, ଟ୍ରାନ୍ସପୋଟେସନ ଓ ଓଜନକୁ ନେଇ ରାଜ୍ୟସ୍ତରରେ କୌଣସି ନିଷ୍ପତ୍ତି ହୋଇ ପାରୁନଥିବାରୁ ତଥା ଜିଲ୍ଲାସ୍ତରରେ ମଧ୍ୟ ମଣ୍ଡି ଖୋଳିବା ପାଇଁ ଯେତେ ସବୁ ଯନ୍ତ୍ରପାତି ଓ ସରଞ୍ଜାମ ଦରକାର ତାହା ପ୍ରଶାସନ ପାଖରେ ନ ଥିବାରୁ ଆଜି କେବଳ ନାମକୁ ମାତ୍ର ଗୋଟିଏ ପ୍ୟାକ୍ସରେ ମଣ୍ଡିରେ ପୂଜା କରି ପ୍ରଶାସନ ତାର ନିଜର ଦାୟିତ୍ୱ ସାରି ଦେଇଛି । ନିଷ୍ପତ୍ତି ଅନୁସାରେ ୧୫୮ଟି ପ୍ୟାକ୍ସ ଏବଂ ୧୬ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ୧୫ତାରିଖରେ ଧାନ କିଣିବା କଥା କିନ୍ତୁ ସେହି ନିଷ୍ପତ୍ତି ରେ ପ୍ରଶାସନ ଆଜି ବିଫଳ ହୋଇଛି । ଜିଲ୍ଲା ଯୋଗାଣ ଅଧିକାରୀ ତଥା ପ୍ରଶାସନ ଆଗରେ ଧାନ କିଣାକୁ ନେଇ ପ୍ରଶ୍ନର କୌଣସି ଉତ୍ତର ନାହିଁ । ସମଗ୍ର ଜିଲ୍ଲାରେ ୧୭୪ଟି ଜାଗାରେ ଧାନ କିଣିବା ଘୋଷଣା କରାଯାଇଥିବା ବେଳେ, ପ୍ରଶାସନ କେବଳ ଗୋଟିଏ ମଣ୍ଡିରେ ସାଂଙ୍କେତିକ ପୂଜା କରି ନିଜ ଦାଇତ୍ୱ ରୁ ହାତ ଝାଡିଦେଇଛି ବୋଲି ଅଭିଯୋଗ ହେଉଛି ।
ପ୍ରଥମେ ମରୁଡି ଓ ପରେ ବନ୍ୟାର ଶିକାର ହୋଇଥିବା ବଲାଙ୍ଗିର ଚାଷୀ ଯାହା କିଛି ସଶ୍ୟ ବଂଚାଇ ପାରିଛି ତାକୁ ମଧ୍ୟ ମିଲର୍ସ କିମ୍ବା ଦଲାଲ ହାତରେ ଅଭାବି ବିକ୍ରି କରିବାର ସମ୍ଭବନା ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ସରକାର ଯଦି ଧାନକିଣା କୁ ନେଇ ସ୍ଥିରୀକୃତ ହୋଇଥିବା ନିଷ୍ପତ୍ତି ଜିଲ୍ଲାସ୍ତରରେ ଶିଘ୍ର ଏବଂ କଡାକଡି ଭାବରେ ପାଳନ ନ କରେ ତେବେ ଆମ ଅଞ୍ଚଳର ଚାଷୀର ଆର୍ଥିକ ଅବସ୍ଥା ଆହୁରି ଖରାପ ଆଡକୁ ଗତି କରିବ ବୋଲି ଚାଷି ମହଲକୁ ଚିନ୍ତା ମାଡୁଛିା