OnaKhabar

ରାସ୍ତାରେ ୨୦ଘଣ୍ଟା ପଡିଲା ମୃତଦେହ

10

ପୁରୀ : ପୁରୀରେ ଦେଖିବାକୁ ମିଳିଛିଏକ ଅଭାବନୀୟ ଘଟଣା । ପ୍ରାୟ ସମୟରେ ପାରିବାରିକ କଳହକୁ ନେଇ କେବେ କେବେ ପିଟିପିଟି ମାରି ଦେଉଛନ୍ତିି ତ କେବେ ଛୋଟ ପିଲା ବଳି ପଡୁଛନ୍ତି ପାରିବାରିକ କଳହକୁ ନେଇ । ତେବେ ଏବେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀରେ ।
ପାରିବାରିକ କଳହକୁ ନେଇ ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟମାନେ ପିଟି ପିଟି ହତ୍ୟା କରିବା ପରେ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଶବଟି ରାସ୍ତାରେ ଦୀର୍ଘ ୨୦ ଘଣ୍ଟା ପଡ଼ି ରହିବା ପରେ ପୁଲିସ ଏହି ଶବକୁ ଜବତ କରିଛି। ପୁଲିସର ଏହି ଉଦାସୀନତାକୁ ସ୍ଥାନୀୟ ଲୋକେ ଆକ୍ଷେପ କରିଛନ୍ତି। ଗତକାଲି ରାତି ପ୍ରାୟ ଏଗାରଟା ସମୟରେ କେତେକ ଦୁର୍ବୃତ୍ତ ଏହି ମୃତଦେହକୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ କନ୍ତେଶ୍ବର ରାସ୍ତାରେ ଏହି ମୃତଦେହ ପଡ଼ିଥିବାର ଖବର ଗତକାଲି ଅପରାହ୍ନ ୫ଟାରେ ମିଳିଥିଲା ବୋଲି ପୁଲିସ କହିଛି।
ମୋହରିର ଭାବେ କାର‌୍ୟ୍ୟ କରୁଥିବା ଚନ୍ଦନପୁର ଥାନା ଅନ୍ତର୍ଗତ ଆରଳ ଗ୍ରାମର ବିଜୟ ସେଠୀଙ୍କର ମୃତଦେହ ଦିନ ତମାମ କନ୍ତେଶ୍ବର ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ସମ୍ପର୍କରେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଗତକାଲି ରାତି ଏଗାରଟା ବେଳେ ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବିଜୟଙ୍କ ଶବକୁ ଘଟଣାସ୍ଥଳରୁ ଉଠାଇବାକୁ ପୁଲିସକୁ ପ୍ରାୟ ୨୦ ଘଣ୍ଟା ଲାଗିଯାଇଥିଲା।
ମୃତ ବିଜୟଙ୍କ ପତ୍ନୀ ଝରଣା ଅଭିଯୋଗ କରିଛନ୍ତି ଯେ ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ତାଙ୍କ ସ୍ବାମୀ ବିଜୟ ଫୋନ କରି ତାଙ୍କୁ କୁଟୁମ୍ବର ଭାଇମାନେ ସଂଘବଦ୍ଧ ହୋଇ ପିଟୁଥିବା ନେଇ ସେ ତାଙ୍କ ପତ୍ନୀ ଝରଣାଙ୍କୁ ଫୋନରେ କହିଥିଲେ। ଏହାପରେ ବିଜୟଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ନଳିବସନ୍ତ ଗାଁ’ସ୍ଥିତ ନିଜ ବାପ ଘରେ ରହୁଥିବା ଝରଣା ଆଜି ଆରଳ ଗ୍ରାମକୁ ଫେରି କନ୍ତେଶ୍ବରରେ ପହଞ୍ଚି ବିଜୟଙ୍କ ଶବକୁ ଚିହ୍ନଟ କରିଥିଲେ। ଏ ସମ୍ପର୍କରେ ଚନ୍ଦନପୁର ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିଥିଲା। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।