OnaKhabar

ବଞ୍ଚି ରହିଛି ତୁଳସୀ ଗଛ ,ଲିଭିଗଲା ଜୀବନ ଦୀପ….

55

କେନ୍ଦୁଝର: ତୁଳସୀ ଗଛରେ ବନ୍ଧା ପଡିଛି ସଞ୍ଜନାର ଜୀବନ । ଗଛ ମରିଗଲେ ସଞ୍ଜନାର ପ୍ରାଣବାୟୁ ଉଡିଯିବ । ବଡ ବିଚିତ୍ର ଏ ସଂସାର । ଅନ୍ଧବିଶ୍ୱାସ ଭଳି ଘଟଣା ଏବେ ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲାରେ । ଗାଁର ଜଣେ ଗୁଣିଆ କହିବା ଅନୁସାରେ ଏଭଳି କାର୍ଯ୍ୟ କରୁଥିଲେ ସଞ୍ଜନାର ବାପା ମା । ଗୋଟିଏ ପଟେ ଘର ଅଗଣାରେ ତୁଳସୀ, ଘର ବାରଣ୍ଡାରେ ସଞ୍ଜନା । ତୁଳସୀ ବଞ୍ଚିଲେ ସଞ୍ଜନା ବଞ୍ଚିବ, ତୁଳସୀ ମରିଗଲେ ସଞ୍ଜନାର ଜୀବନ ଦୀପ ସବୁଦିନ ପାଇଁ ଲିଭିଯିବ। କ୍ୟାନସର ପୀଡିତା ଝିଅକୁ ବଞ୍ଚଇବାକୁ ବିଶ୍ୱାସ-ଅନ୍ଧବିଶ୍ୱାସ ମଝିରେ ଛିଡା ହୋଇଥିବା ବାପାମାଆ ଏ ତୁଳସୀ ଗଛ ଲଗାଇଥିଲେ। ଆଉ ଗଛକୁ ବଞ୍ଚାଇ ରଖିବାକୁ ସକାଳୁ ସଞ୍ଜ ଯାଏ ପାଣି ଦେଉଥିଲେ । ଆଉ ବାପାମାଆଙ୍କ ପରି ସଞ୍ଜନା ବି କର୍କଟ କୋଳରେ ଶୋଇରହି ଗଛ ବଞ୍ଚିରହୁ ବୋଲି ଆଖିରେ ଆଖିଏ ଆଶା ବାନ୍ଧିଥିଲା।

ହେଲେ ଏବେ ସବୁ କିଛି ଓଲଟା ହେଇଯାଇଛି । ବଞ୍ଚି ରହିଛି ତୁଳସୀ ଗଛ ଆଉ ସଞ୍ଜନାର ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଛି । ଆଉ ଉଠିବନି, ଯେତେ ଡାକିଲେ ବି ଜମା ଉଠିବନି, ମାଆର କୋହଭରା କାନ୍ଦ ତା କାନରେ ପଡିବନି କି ଛାତି ଫଟା ଚିତ୍କାରରେ ସେ ଉଠି ବସିବନି। କର୍କଟ ସହ ଯୁଦ୍ଧ କରି ହାରିଯିବା ପରେ ସବୁଦିନ ପାଇଁ ଶେଷ ଶଯ୍ୟାରେ ଶୋଇପଡିଛି କୁନି ଝିଅ ସଞ୍ଜନା। ଆଜି ସକାଳେ ମା’ ଝିଅ ପାଇଁ ଲଗାଇଥିବା ତୁଳସୀ ଗଛ ମୂଳେ ପାଣି ଢାଳି ମୁଣ୍ଡିଆ ମାରି , ଘର ଭିତରକୁ ଯାଇ ଦେଖିଲା ବେଳକୁ ସଞ୍ଜନା ସବୁ ଦିନପାଇଁ ଶୋଇ ଯାଇଥିଲା ଚିରନିଦ୍ରାରେ ।

ଘର ଅଗଣାରେ ଏବେ ବି ବିଶ୍ୱାସର ତୁଳସୀ ଗଛ ବଞ୍ଚି ରହିଛି, ହେଲେ ଘର ଭିତରେ ଆଖିବୁଜି ଶୋଇ ପଡିଛି ବାପାମାଆଙ୍କ ଆଶାବିଶ୍ୱାସ। ଝିଅକୁ ବଞ୍ଚାଇବାକୁ ବାପାମାଆ ଗୁଣିଆ କଥାରେ ପଡ଼ି ଏଇ ତୁଳସୀ ଗଛ ଲଗାଇଥିଲେ। ଗୁଣିଆ କହିଥିଲା ଯେତେଦିନ ଯାଏଁ ଏ ଗଛ ବଞ୍ଚି ଥିବ, ସେତେ ଦିନ ଯାଏଁ ତାଙ୍କ ଝିଅ ବଞ୍ଚି ରହିବ। ଆଉ ତାପରେ ବିଶ୍ୱାସର ବୃକ୍ଷ ମୂଳେ ପାଣି ଢାଳି ପୂଜିଥିଲେ ବାପାମାଆ। ଭାବିଥିଲେ ତୁଳସୀ ଗଛରୁ ବିଶ୍ୱାସର ପବନ ସଞ୍ଜନା ଦେହରେ ସଞ୍ଚରି ଯାଇ ତା ପାଇଁ ସଞ୍ଜିବନୀ ପାଲଟିବ। ହେଲେ ସେସବୁ ଭାବନା ଭୁଲ ହୋଇଗଲା।