OnaKhabar

ଜିଲ୍ଲାରୁ ୫ଦିନ ପରେ କିଣିବେ ଧାନ, କେତେ ପ୍ରସ୍ତୁତ ପ୍ରଶାସନ !

18

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଇତି ମଧ୍ୟରେ ଗତ ୭ ତାରିଖ ଅପରାହ୍ନ ଘ.୩.୩୦ମି.ରେ ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଖରିପ ଋତୁ ପାଇଁ ଧାନକିଣା ପ୍ରସ୍ତୁତି ବୈଠକ ସରିଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ସରୋଜ ମେହେର, ମନ୍ତ୍ରୀ ଟୁକୁୁନି ସାହୁଙ୍କ ପ୍ରତିନିଧି, ସାଂସଦଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା, କୃଷକ ନେତା ଓ କୋଓପ୍ରୋଟିଭ୍ ବ୍ୟାଙ୍କ ସଭାପତି ଓ ଅଧିକାରୀ, କୃଷକ ନେତା ତଥା ଧାନ କିଣା ସହିତ ସଂପୃକ୍ତ ସମସ୍ତ ବିଭାଗର ଅଧିକାରୀମାନେ ସାମିଲ ଥିଲେ । ଦିର୍ଘ ସାଢେ ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଯଦିଓ ଆଲୋଚନାରେ ଉପସ୍ଥିତ ନେତୃତ୍ୱ ଓ ଅଧିକାରୀମାନେ ଏ ବର୍ଷର ଧାନ କେବେ,କିପରି, କେଉଁ ପ୍ରକ୍ରିୟାରେ କିଣାଯିବ ତତ୍‌ପରତା ସହ ଆଲୋଚନା କରିଥିଲେ । ସେଠାରେ କିନ୍ତୁ ଧାନ କିଣା ସହିତ ସଂପୃକ୍ତ, ଚାଷୀ ବ୍ୟତିତ କୌଣସି ବି ସରକାରୀ ଅଥବା ସମବାୟ ବିଭାଗର କାଣିଚାଏ ମଧ୍ୟ ପ୍ରସ୍ତୁତ ଥିବା ପରି ଜଣାପଡୁନଥିଲା । ପ୍ରଥମରୁ ତ ବଲାଙ୍ଗିର ଜିଲ୍ଲାରେ ସଅଳ କିସମ ଧାନ ଅମଳ ହୁଏ । ତେଣୁ ପଶ୍ଚିମ ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ଧାନ କିଣା ପ୍ରସ୍ତୁତି ବୈଠକ ସରିଯାଇଥିବା ବେଳେ ଏଠାରେ ଏତେ ବିଳମ୍ବ କାହିଁକି ଏବଂ ଧାନକିଣା ତାରିଖ ଧାର୍ଯ୍ୟ କଲାବେଳକୁ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏଠିକାର ବାସ୍ତବ ସ୍ଥିତି ସହ ମେଳ ଖାଉ ନାହିଁ । ଧାନ କିଣା ପାଇଁ ଦିଆଯାଉଥିବା ଟୋକନ ମଧ୍ୟ ଦିଆ ଆରମ୍ଭ ହୋଇ ନ ଥିବାରୁ ତାରିଖ ନିର୍ଣ୍ଣୟ କରିବା ପାଇଁ ସେଠାରେ ତୁତୁ ମେମେ ଦେଖାଯାଇ ଥିଲା । ସବୁଠାରୁ ଦୁଃଖର ବିଷୟ ହେଲା ଚାଷୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ହିତକର ଯୋଜନା ଆଣୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଧାନ କିଣିଲା ବେଳେ ଦରକାର ହେଉଥିବା ସର୍ବ ନିମ୍ନ ଯନ୍ତ୍ରପାତି ମଧ୍ୟ କୌଣସି ପ୍ୟାକ୍ସରେ ମହଯୁଦ ନାହିଁ । ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଏଫଏଫ.ଏ.କ୍ୟୁ. ମାନ ନିର୍ଣ୍ଣୟ ପାଇଁ ଯନ୍ତ୍ରପାତି ଅଛି ନା ନାହିଁ ପ୍ରଶ୍ନରେ କୃଷି ସମବାୟ ତଥା ନିୟନ୍ତ୍ରିତ ବଜାର କମିଟିର ଅଧିକାରୀମାନେ ସମ୍ପୁର୍ଣ୍ଣ ନିରବ ରହିଥିଲେ । ଏପରିକି ଏଫ୍‌.ଏ.କ୍ୟୁ. ନିର୍ଦ୍ଧାରଣ ପାଇଁ ଦରକାର ହେଉଥିବା ମାନ ନିଣ୍ଣୟ ଅଧିକାରୀ (କ୍ୱାଲିଟି ଏନ୍‌ଲେଟିକ୍ସ) ଅଧିକାରୀ ଧାନ କେତେ ପ୍ରକାର ଅଛି ତାହା ମଧ୍ୟ କହିପାରିନଥିଲେ । ଆହୁରି ମଧ୍ୟ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନ ନନ୍ ଏଫ୍‌.ଏ.କ୍ୟୁ. କିପରି ଏଫ.ଏ.କ୍ୟୁ. କରାଯିବ ତାହା ଉପରେ ମଧ୍ୟ ସେଠାରେ ଉପସ୍ଥିତ ଥିବା କୌଣସି ଅଧିକାରୀ ଉତ୍ତର ଦେଇପାରିନଥିଲେ । ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ସରୋଜ ମେହେର, ସାଂସଦ ପ୍ରତିନିଧିଙ୍କ ସମସ୍ତ ପ୍ରଶ୍ନରେ ମଧ୍ୟ ଧାନ କିଣା ଅଧିକାରୀମାନେ ସମ୍ପୁର୍ଣ୍ଣ ନିରବ ରହୁଥିବା ଦେଖାଯାଇଥିଲା । ତେଣୁ କୌଣସି ପ୍ରକାର ପ୍ରସ୍ତୁତି ନ ଥାଇ ଧାନ କିଣା ପାଇଁ ଆସନ୍ତା ୧୫ ତାରିଖ ଧାର୍ଯ୍ୟ କରିବା କେତେ ଦୂର ଯଥାର୍ଥତା ଅଛି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଶର ଅର୍ଥନୀତିରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଚାଷୀ ଦିର୍ଘ ୩ମାସରୁ ଉର୍ଦ୍ଧ୍ୱ ଜମିରେ ଅକ୍ଲାନ୍ତ ପରିଶ୍ରମ କରି ଧାନ ଅମଳ କରୁଥିବାରୁ ତାର ସେହି ପରିଶ୍ରମ ପ୍ରତି ଏହା ତାଚ୍ଛଲ୍ୟ ନୁହେଁ ତ ! କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଆଣୁଥିବା ବେଳେ ଧାନ ବିକିଲାବେଳକୁ ଚାଷୀ ଏ ଅଧିକାରୀମାନଙ୍କ ଠୁ ଠକେଇ ହେବ ନି ତ ? ଏହି ଅପ୍ରସ୍ତୁତ ଅଧିକାରୀମାନଙ୍କ ଯୋଗୁଁ ଚାଷୀ ତାର ଧାନର ସର୍ବନିମ୍ନ ମୁଲ୍ୟ ପାଇପାରିବ ତ ? ତେଣୁ ଏଠାରେ ସ୍ପଷ୍ଟ ଜଣାପଡୁଛ, ଯେ ସରକାରଙ୍କ ଶିତତାପ ନିୟନ୍ତ୍ରୀତ କୋଠାରୀରେ ଚାଷୀଙ୍କୁ ନେଇ ହେଉଥିବା ଯୋଜନା ତୃଣମୁଳ ସ୍ତରରେ ସମ୍ପୁର୍ଣ୍ଣ ଓଲଟି ଯାଉଥିବାରୁ ଏହି ସମସ୍ତ ଯୋଜନା, କାର୍ଯ୍ୟକ୍ରମ କ୍ରମାଗତ ଭାବେ ବର୍ଷକୁ ବର୍ଷ ଚାଷୀ ଓ ଦେଶର ଅର୍ଥନିତିକୁ ଦୁର୍ବଳ କରିବାରେ ଲାଗିଛି ବୋଲି ଚାଷି ମହଲରେ ଚର୍ଚା ହେଉଛି ।