OnaKhabar

ତୁଳସୀ ଗଛରେ ବନ୍ଧା ପଡିଛି ଜୀବନ

48

କେନ୍ଦୁଝର: ତୁଳସୀ ଗଛରେ ବନ୍ଧା ପଡିଛି ସଞ୍ଜନାର ଜୀବନ । ଗଛ ମରିଗଲେ ସଞ୍ଜନାର ପ୍ରାଣବାୟୁ ଉଡିଯିବ । ବଡ ବିଚିତ୍ର ଏ ସଂସାର । ଅନ୍ଧବିଶ୍ୱାସ ଭଳି ଘଟଣା ଏବେ ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଗାଁର ଜଣେ ଗୁଣିଆ କହିବା ଅନୁସାରେ ଏଭଳି କାର୍ଯ୍ୟ କରୁଛନ୍ତି ସଞ୍ଜନାର ବାପା ମା । ଗୋଟିଏ ପଟେ ଘର ଅଗଣାରେ ତୁଳସୀ, ଘର ବାରଣ୍ଡାରେ ସଞ୍ଜନା । ତୁଳସୀ ବଞ୍ଚିଲେ ସଞ୍ଜନା ବଞ୍ଚିବ, ତୁଳସୀ ମରିଗଲେ ସଞ୍ଜନାର ଜୀବନ ଦୀପ ସବୁଦିନ ପାଇଁ ଲିଭିଯିବ। କ୍ୟାନସର ପୀଡିତା ଝିଅକୁ ବଞ୍ଚଇବାକୁ ବିଶ୍ୱାସ-ଅନ୍ଧବିଶ୍ୱାସ ମଝିରେ ଛିଡା ହୋଇଥିବା ବାପାମାଆ ଏ ତୁଳସୀ ଗଛ ଲଗାଇଛନ୍ତି। ଆଉ ଗଛକୁ ବଞ୍ଚାଇ ରଖିବାକୁ ସକାଳୁ ସଞ୍ଜ ଯାଏ ପାଣି ଦେଉଛନ୍ତି।
ସେପଟେ କିଛି ବର୍ଷ ପୂର୍ବେ ଅଜଣା ରୋଗରେ ବଡ଼ଝିଅର ମୃତ୍ୟୁ ହୋଇଥିବାରୁ ସାନ ଝିଅକୁ ହରାଇବାକୁ ଚାହୁଁନି ମାଆ। ସେଇଥି ପାଇଁ ତ ଝିଅ ଦେହ ଭଲ ହେବା ପାଇଁ ନିତି ସକାଳରୁ ସଞ୍ଜ ଚଉରା ମୂଳେ ସଞ୍ଜନା ପାଇଁ ସଞ୍ଜବତୀ ଜାଳୁଛି। ଆଉ ଏ ତୁଳସୀ ଗଛ ସବୁଦିନ ବଞ୍ଚିରହୁ ବୋଲି ଭଗବାନଙ୍କୁ ଡାକୁଛି। ଆଉ ବାପାମାଆଙ୍କ ପରି ସଞ୍ଜନା ବି କର୍କଟ କୋଳରେ ଶୋଇରହି ଗଛ ବଞ୍ଚିରହୁ ବୋଲି ଆଖିରେ ଆଖିଏ ଆଶା ବାନ୍ଧିଛି।

ସୂଚନା ଅନୁଯାୟୀ, କେନ୍ଦୁଝର ସଦର ବ୍ଲକ ଧାତିକା ଗାଁର ଶୁକ୍ର ମହାକୁଡଙ୍କ ୧୦ ବର୍ଷର ସାନ ଝିଅ ସଞ୍ଜନା ସ୍କୁଲରେ ପାଠ ପଢୁଥିବା ସମୟରେ ହଠାତ ତଳେ ପଡ଼ି ଯାଇଥିଲା। ଘଟଣା ପରେ ପରିବାର ଲୋକେ ତାକୁ କେନ୍ଦୁଝର ଓ ପରେ କଟକ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ସଞ୍ଜନାକୁ ଟ୍ୟୁମର ହୋଇଥିବା କଥା ଡାକ୍ତର ଜଣାଇବା ସହ କଟକରେ ରହି ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ମାତ୍ର ଅଭାବ ଅନଟନରେ ଚଳୁଥିବା ଶୁକ୍ର ଝିଅର ଚିକିତ୍ସା କରାଇବାକୁ ଅକ୍ଷମ ଥିବାରୁ ସଞ୍ଜନାକୁ ଘରକୁ ଫେରାଇ ଆଣିଥିଲେ । ଦିନ ଗଡ଼ିବା ସହ ଝିଅର ଅବସ୍ଥା ବି ବିଗିଡ଼ିବାକୁ ଲାଗିଲା।
ଚାଷବାସ କରି ଘର ଚଳାଉଥିବା ଶୁକ୍ର ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ପୁଣି ଥରେ କଟକ ନେଇଥିଲେ ବି ଡାକ୍ତର କ୍ୟାନସର ସନ୍ଦେହ କରି ଆଚର‌୍ୟ୍ୟ ହରିହର କ୍ୟାନସର ହସ୍ପିଟାଲକୁ ପଠାଇଥିଲେ। ତେବେ କ୍ୟାନସରର ଜୀବାଣୁ ସାରା ଦେହକୁ ସଂକ୍ରମଣ କରି ସାରିଥିବାରୁ ଝିଅକୁ ବଞ୍ଚାଇବା ମୁସ୍କିଲ୍ ବୋଲି ଡାକ୍ତର ସିଧାସିଧା ମନାକରି ଦେଇଥିଲେ। ବାସ୍ ତାପରେ ଡାକ୍ତରୀ ବିଦ୍ୟାରୁ ଭରସା ତୁଟାଇ ଗୁଣି ଗାରେଡ଼ିର ସହାୟତା ନେଇଥିଲେ ବାପାମାଆ।