OnaKhabar

ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଯୁବକ କରୁଥିଲା ବ୍ଲାକମେଲ ,ତା’ପରେ ଯୁବତୀ…..

113

ଜଗତସିଂହପୁର : ସାରା ଦେଶରେ ଅପରାଧର ସୀମା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି | ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ତେଣ୍ଟଇ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଯୁବକ କରୁଥିଲା ବ୍ଲାକମେଲ । ବାରମ୍ବାର ଗ୍ରାମସଭା ଓ ପୋଲିସରେ ଜଣାଇବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ଶେଷରେ ନିରାଶ ହୋଇ ଫ୍ୟାନରେ ଝୁଲି ପଡି ଜୀବନ ହାରିଦେଲେ ପୀଡିତା ଯୁବତୀ ।ସୂଚନାଯୋଗ୍ୟ ଯେ, ନାଉଗାଁ ଥାନା ତେଣ୍ଟଇ ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ହେଲା ଏକତରଫା ପ୍ରେମ କରିବା ସହ ବିଭିନ୍ନ ସମୟରେ ହଇରାଣ କରି ଆସୁଥିଲା । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଧମକ ଚମକ ଦେଉଥିଲେ । ଯୁବତୀଙ୍କ ଗାଧୋଇବା ବେଳର ଆପତ୍ତିଜନକ ଫଟୋ ଉଠାଇ ତାକୁ ପୀଡିତାଙ୍କର ଘର ନିକଟରେ ବିଭିନ୍ନ ସ୍ଥାନରେ ପୋଷ୍ଟର କରି ଲଗାଇଥିଲେ । ନିର୍ଯାତନା ଅସହ୍ୟ ହେବା ପରେ ଏ ବାବଦରେ ପୀଡିତାଙ୍କର ବାପା ମା ଗ୍ରାମ କମିଟିରେ ଜଣାଇବା ପରେ ବର୍ଷେ ତଳେ ଗାଁରେ କମିଟି ବସି ଏହାର ସମାଧାନ କରାଯାଇଥିଲା ।

କିଛି ଦିନ ପରେ ଅଭିଯୁକ୍ତ ଯୁବକ ପୁନର୍ବାର ପୂର୍ବ ନୀତି ଆପଣେଇବା ସହ ପୁଣି ହଇରାଣ କରିବାରୁ ପୀଡିତା ଓ ତାଙ୍କର ମା ନାଉଗାଁ ଥାନାରେ ଏ ବାବଦରେ ୬ ମାସ ତଳେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏ ବାବଦରେ କେବଳ ପ୍ରତିଶୃତି ଦେଇ ଘଟଣାକୁ ହାଲକା ଭାବରେ ନେଇ ବସି ପଡ଼ିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ପୁନର୍ବାର ପୀଡିତାଙ୍କର ସେହି ଆପତ୍ତିଜନକ ଫଟୋକୁ ତାଙ୍କର ବନ୍ଧୁ ବାନ୍ଧବ ଘରକୁ ମଧ୍ୟ ପଠାଇବା ସହ ପୀଡିତାଙ୍କର ବାହାଘର ପ୍ରସ୍ତାବକୁ ମଧ୍ୟ ଭାଙ୍ଗିବାରେ ଲାଗିଲା ।ପୁଣିଥରେ ପୀଡିତାଙ୍କର ଘର କବାଟରେ ସେହି ଫଟୋକୁ ଲଗାଇ ଚାଲି ଯାଇଥିଲା ଅଭିଯୁକ୍ତ ଯୁବକ । ବାରମ୍ବାର ଏପରି ନିର୍ଯାତନା ସାଙ୍ଗକୁ ଏଣେ ପୋଲିସ ପାଖରୁ ନ୍ୟାୟ ନପାଇବା ପରେ ପୀଡିତା ଘର ଭିତରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ନାଉଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ହେଲେ ଏଯାବତ ଅଭିଯୁକ୍ତ ଫେରାର ଥିବାର ସୂଚନା ମିଳିଛି |