OnaKhabar

ପ୍ରସ୍ତାବିତ ମଦଭାଟି ବନ୍ଦ କରିବା ଦାବିରେ ସୁରଙ୍ଗୀ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

10

ବ୍ରହ୍ମପୁର: ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତେଜିବାରେ ଲାଗିଛି । ଏଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲା । ସମାଜରେ ଶାନ୍ତି ପ୍ରତିଷ୍ଠା ଓ ବଜାୟ ରଖିବାକୁ ହେଲେ ମଦ ବନ୍ଦ କରିବା ଜରୁରୀ । ଏଥିଯୋଗୁଁ କେବଳ ଯେ ଯୁବପିଢି ବିପଥଗାମୀ ହେଉଛନ୍ତି ଓ ପରିବାର ଉଜୁଡି ଯାଉଛି ଏହା ନୁହଁ ବରଂ ସମାଜ ଉପରେ ସିଧାସଳଖ ପ୍ରଭାବ ପଡୁଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଇଲାକାରେ ମଦ ବିରୋଧୀ ଆନ୍ଦୋଳନ ତେଜୁଥିବା ବେଳେ ଏହାର ନେତୃତ୍ୱ ନେଉଛନ୍ତି ମହିଳାମାନେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତରେ ଏକ ଦେଶୀ ମଦ ଭାଟି ସ୍ଥାପନ ହେବାକୁ ଯାଉଛି । ଯାହାକୁ ତୀବ୍ର ବିରୋଧ କରୁଛନ୍ତି ସମଗ୍ର ପଞ୍ଚାୟତବାସୀ । ପୂର୍ବରୁ ଏନେଇ ଆପତ୍ତି ଓ ଅଭିଯୋଗ କରିଥିବା ବେଳେ ଆଜି ସୁରଙ୍ଗୀ ପଂଚାୟତର ବହୁ ପୁରୁଷ ଓ ମହିଳା ଏକାଠି ହୋଇ ଛତ୍ରପୁରରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପ୍ରସ୍ତାବିତ ଦେଶୀ ମଦ ଭାଟିକୁ ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି।