OnaKhabar

ବାରମ୍ବାର ଏହି ସବୁ ଲକ୍ଷଣ ଦେଖାଯାଉଛି କି ତେବେ ଜାଣନ୍ତୁ କ’ଣ ହୋଇପାରେ

82

ଭୁବନେଶ୍ୱର : ବେଳେ ବେଳେ ହାତଗୋଡ଼ ଝିମ୍ ଝିମ୍ ଓ ବଧିରା ଲାଗେ । ଏମିତି କି ଲୋକେ ଏହି ସମୟରେ ଛିଡ଼ା ହେବାକୁ ଚେଷ୍ଟା କରି ତଳେ ପଡ଼ିଯିବାର ମଧ୍ୟ ଦେଖାଯାଏ । ଆପଣ କେବେ କେମିତି ଏଭଳି ସ୍ଥିତିର ସମ୍ମୁଖୀନ ହେଲେ ଭୟ କରିବାର କିଛି ନାହିଁ । କାରଣ ଅନେକ ସମୟରେ ଗୋଟିଏ ସ୍ଥାନରେ ଲଗାତାର ବସି ରହିଲେ ବା ଗୋଟିଏ କଡ଼ ମାଡ଼ି ଶୋଇଲେ, ସେହି ଅଙ୍ଗର ସ୍ନାୟୁ ଚାପି ହୋଇଯାଏ । ଫଳରେ ସେଠାକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ । ତା’ସହିତ ମସ୍ତିଷ୍କ ସେହି ଅଙ୍ଗକୁ ସଙ୍କେତ ବି ପଠାଇପାରେ ନାହିଁ । ତେଣୁ ସେହି ଅଙ୍ଗ ବଧିରା ହୋଇଯାଏ । ବହୁତ କ୍ଷେତ୍ରରେ ଏହା ଆଦୌ ଏକ ଚିନ୍ତାଜନକ କଥା ନୁହେଁ । ଅଳ୍ପ ସମୟ ପରେ ଏହି ସ୍ଥିତିରୁ ମୁକ୍ତି ମିଳିଯାଏ । ତେବେ ଏଭଳି ସମସ୍ୟା ଯଦି ନିୟମିତ ବ୍ୟବଧାନରେ ଅବା ଲଗାତାର ହେଉଛି, ତା’ହେଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଅନେକ ବଡ଼ ରୋଗର ସଙ୍କେତ ହୋଇଥାଏ । ତା’ହେଲେ ଆସନ୍ତୁ ଜାଣିବା, ଏହା କେଉଁ ସବୁ ରୋଗର ସଙ୍କେତ ହୋଇପାରେ ।

ଭିଟାମିନ୍ ଅଭାବ: ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଏକ ସମୟରେ ଶରୀରର ଏକାଧିକ ଅଙ୍ଗ ବଧିରା ହୁଏ, ତା’ହେଲେ ଶରୀରରେ ଭିଟାମିନର ଅଭାବ ରହିଛି। ଭିଟାମିନ୍-୧୨ ଅଭାବ ହେଲେ ମଧ୍ୟ ଏଭଳି ସମସ୍ୟା ଦେଖାଯାଏ । ରକ୍ତ ପରୀକ୍ଷାରୁ ଏହାକୁ ସଠିକ୍ ଭାବେ ଜାଣିହୁଏ। ତେଣୁ ବାରମ୍ବାର ଏଭଳି ସମସ୍ୟା ଦେଖାଗଲେ ନିଶ୍ଚୟ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ। ନହେଲେ ପରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ।

ବ୍ରେନଷ୍ଟ୍ରୋକ୍: ହାତଗୋଡ଼ ବଧିରା ହେବା ବ୍ରେନଷ୍ଟ୍ରୋକ୍ର ବି ଲକ୍ଷଣ ହୋଇପାରେ। ବାରମ୍ବାର ଗୋଡ଼ ବଧିରା ହେବା କ୍ଷେତ୍ରରେ ୨୩ ପ୍ରତିଶତ ଲୋକ ବ୍ରେନଷ୍ଟ୍ରୋକର ଶିକାର ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି।

ଥାଇରଏଡ୍: ଶରୀରରେ ଥାଇରଏଡ୍ ହର୍ମୋନ୍ର ମାତ୍ରା ଅନିୟନ୍ତ୍ରିତ ହେଲେ ଅର୍ଥାତ୍ ଏହା ବଢ଼ିଗଲେ ବା କମିଗଲେ ମଧ୍ୟ ହାତଗୋଡ଼ ବଧିରା ହୋଇଯାଏ। ଥାଇରଏଡ୍ ହର୍ମୋନର ମାତ୍ରା ଅନିୟନ୍ତ୍ରିତ ହେଲେ ଥକା ଲାଗେ। ଶରୀରର ଓଜନ ବଢ଼ିଯାଏ ନହେଲେ କମିଯାଏ। କେଶ ମଧ୍ୟ ଝଡ଼ିଯାଏ। ଏଭଳି କ୍ଷେତ୍ରରେ ଡାକ୍ତର ରକ୍ତ ପରୀକ୍ଷା କରିବାକୁ କହିଥା’ନ୍ତି।

ଡାଇବେଟିସ୍: ଡାକ୍ତରଙ୍କ କହିବା ଅନୁଯାୟୀ, ବାରମ୍ବାର ହାତ ଓ ଗୋଡ଼ ବଧିରା ହୋଇଯିବା ମଧୁମେହ (ଡାଇବେଟିସ୍)ର ସଙ୍କେତ ହୋଇପାରେ। ଏକ ସର୍ଭେରୁ ଜଣାପଡ଼ିଛି, ପାଖାପାଖି ୩୩ ପ୍ରତିଶତ ମାମଲାରେ ଏଭଳି ଲକ୍ଷଣ ଡାଇବେଟିସ୍ ଯୋଗୁ ଦେଖାଯାଇଥାଏ। ଏଣୁ ବାରମ୍ବାର ହାତଗୋଡ଼ ବଧିରା ହେଉଥିଲେ, ଡାକ୍ତର ପ୍ରଥମେ ଡାଇବେଟିସ୍ ଅଛି କି ନାହିଁ ପରୀକ୍ଷା କରିବାକୁ କୁହନ୍ତି।