OnaKhabar

ନବୀନଙ୍କୁ ଜବାବ ଦେବାକୁ ବିଜେଡି ନେତାଙ୍କୁ ଦାମଙ୍କ ଆହ୍ୱାନ

709

ଭୁବନେଶ୍ୱର: (ଓଏନଏ) ସଚିବମାନଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସରକାରୀ କାର୍ଯ୍ୟକ୍ରମ ତଦାରଖ କରିବା ଘଟଣାକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ସହଜରେ ଗ୍ରହଣ କରିନାହାଁନ୍ତି । ଏହାଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନପ୍ରତିନିଧି ଗୁରୁତ୍ୱ ହରାଉଛନ୍ତି ବୋଲି ସେ ମତ ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ଜବାବ ଦେବା ପାଇଁ ସାହସ ସଞ୍ଚୟ କରିବାକୁ ବିଜୋଡି ନେତାଙ୍କୁ ଡାକ୍ତର ରାଉତ ଆହ୍ୱାନ ଦେଇଛନ୍ତି ।
ଡାକ୍ତର ରାଉତ ତାଙ୍କ ଖବରକାଗଜ ସମ୍ପାଦକୀୟରେ ଅତି କଟୁକରି ଏ ବିଷୟକୁ ସମାଲୋଚନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାତୀତ ଆସନ ଜିତି ସରକାର ଗଢ଼ିଛନ୍ତି । ମାତ୍ର ଏହି ସରକାର ଭିତରେ ରହିଥିବା ମନ୍ତ୍ରୀ ଓ ବିଧାୟକମାନଙ୍କ ସାମନ୍ୟତମ ପ୍ରଭାବ ରହିଥିବା ଭଳି ଜଣାପଡୁନାହିଁ । ବର୍ତ୍ତମାନ ରାଜ୍ୟରେ କିଛି ହାତଗଣତି ଅମଲା ପ୍ରଶାସନର ସୁଧାର ଆଣିବା ଲାଗି ଦାୟିତ୍ୱ ନେଇଛନ୍ତି… । ପ୍ରଶାସନିକ ସ୍ୱଚ୍ଛତା ଆଣିବା ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏଥିରେ ସନ୍ଦେହ ନାହିଁ । ମାତ୍ର ଯେଉଁଭଳି ଭାବେ ଏହାର ପ୍ରଚାର କରାଯାଉଛି ଓ ପ୍ରଦର୍ଶନ କରାଯାଉଛି ତାହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଲୋକ ପ୍ରତିନିଧିମାନଙ୍କ ଗୁରୁତ୍ୱକୁ ଯଥେଷ୍ଟ ହ୍ରାସ କରିବା ଭଳି ବୋଧ ହେଉଛି ।…..
ଡାକ୍ତର ରାଉତ କହିଛନ୍ତି, ସଚିବ, ଅମଲା, ଅଧିକାରୀମାନେ ଗସ୍ତ କରି ପ୍ରଶାସନରେ ସ୍ୱଚ୍ଛତା ଆଣିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ନୁହେଁ । କାରଣ ଏହା ଚୋରକୁ ଚୋର ଧରିବା ଲାଗି ନିୟୋଜିତ କରିବା ଭଳି କଥା । ମୁଖ୍ୟମନ୍ତ୍ରୀ ୫-ଟି ଲାଗୁ କରିଛନ୍ତି ବୋଲି ପ୍ରଚାର ହେଉଛି । ୫-ଟି ଲାଗୁ କରିବା ଅର୍ଥ କଣ? ଟ୍ରାନ୍ସପାରେନନ୍ସି, ଟାଇମ ଭଳି “ଟି” ଗୁଡ଼ିକ କଣ ଆଗରୁ ନ ଥିଲା ।…. ତେଣୁ ଯେଉଁମାନେ ୫-ଟି ଲାଗି ଦାୟୀ ସେମାନଙ୍କୁ ପୁଣି ୫-ଟିକୁ ଲାଗୁ କରିବାକୁ ଦିଆଯିବାର ଅର୍ଥ କଣ? ମୁଖ୍ୟମନ୍ତ୍ରୀ ଯଦି ସତରେ ୫-ଟିକୁନେଇ ସିରିଅସ ତେବେ ଏଥିଲାଗି ଜଣେମନ୍ତ୍ରୀଙ୍କୁ ଦାୟିତ୍ୱ ନ ଦେଇ ଜଣେ ସଚିବଙ୍କୁ ନିଯୁକ୍ତି କରିବାର କାରଣ ବୁଝାପଡୁନାହିଁ ।
ରାଜ୍ୟରେ ଏବେ ଯେଉଁ ପ୍ରଶାସନିକ ସଂସ୍କାର ଅଣାଯାଇଛି ଏହା ସ୍ୱାଗତଯୋଗ୍ୟ । ଏହା ଏବେ ନୁହେଁ ବରଂ ୨୦ ବର୍ଷ ତଳୁ ହେବାର ଥିଲା । ମାତ୍ର ଯେଉଁ ଢ଼ଙ୍ଗରେ ଏହା ହେଉଛି ତାହା ଯଥୋଚିତ ପଦକ୍ଷେପ ବୋଲି ପ୍ରତୀୟମାନ ହୁଏନି । ଏହାଦ୍ୱାରା ଜନପ୍ରତିନିଧିମାନେ ସେମାନଙ୍କ ଅଂଚଳରେ ଗୁରୁତ୍ୱହୀନ ହୋଇ ପଡୁଛନ୍ତି ।
ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ଡାକ୍ତର ରାଉତ ସମାଲୋଚନା କରି କହିଛନ୍ତି ଉପର ଅଫିସରଙ୍କ କାମ ହେଲା ତଳ ଅଫିସରର କାମ ଦେଖିବା । ତଳ ଅଫିସରର କାମ ହେଲା ସେ ଅନ୍ୟାନ୍ୟ କର୍ମଚାରୀଙ୍କ କାମ ଦେଖିବ ଓ ଜଗିବ । ଯଦି ତଳ ଅଫିସର ଦୋଷୀ ବୋଲି ପ୍ରମାଣିତ ହୁୃଏ ତେବେ ଏଥିଲାଗି ପ୍ରଥମ ଦୋଷୀ ହେଲା ଉପର ଅଫିସର ବା ସଚିବ । ତେଣୁ ମାର ଭଣ୍ଡାରିଆକୁ ମାର ନ୍ୟାୟରେ କେବଳ ତଳିଆ କର୍ମଚାରୀମାନଙ୍କୁ ସସପେଣ୍ଡ କରିବାରେ କିଛି ଅର୍ଥନାହିଁ ।
ଏକ ଦୀର୍ଘସ୍ଥାୟୀ ପ୍ରଶାସନିକ ସଂସ୍କାର ଆଣିବା ଦିଗରେ ଜନପ୍ରତିନିଧିମାନଙ୍କୁ ଦାୟିତ୍ୱ ଅର୍ପଣ କରିବା ଏକ ଗଣତାନ୍ତ୍ରିକ ସାଂସ୍କର ବ୍ୟବସ୍ଥାରେ ଅଧିକ ଯୁକ୍ତିସଙ୍ଗତ । ଜନପ୍ରତିନିଧିମାନଙ୍କୁ ଆଡେଇ ଦେଇ ସଚିବମାନେ ଯେଉଁଭଳି ଢ଼ଙ୍ଗରେ ରାଜ୍ୟରେ ପ୍ରଶାସନିକ ସଂସ୍କାର ନାମରେ ହିଟଲରି ଶାସନ ଆରମ୍ଭ କରିଛନ୍ତି ତାହା ଆଗାମୀ ଦିନରେ ରାଜ୍ୟର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହାନୀ ପହଂଚାଇବ । ଜନସାଧାରଣଙ୍କ ନିକଟରେ ଲୋକପ୍ରତିନିଧିମାନେ କେବଳ ସଖୀ କଣ୍ଢେଇ ହୋଇ ରହିଯିବେ ।
ଆମର ପ୍ରୀୟ ମୁଖ୍ୟମନ୍ତ୍ରୀ ସଚିବମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବାରୁ ରାଜ୍ୟରେ ଲୋକପ୍ରତିନିଧିମାନେ ତାଙ୍କ ନିକଟରେ ଗୁରୁତ୍ୱ ହରାଇଛନ୍ତି ।
ଆମକୁ ଯାହା ହେଲେ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରିବାକୁ ହେବ… । ନିକଟରେ ବିଜେପି ନେତା ମୁରଲୀ ମନୋହର ଯୋଶୀ ଗୋଟିଏ ସଭାରେ କହିଥିଲେ ଦେଶ ଏଭଳି ଜଣେ ନେତାଙ୍କୁ ଆବଶ୍ୟକ କରୁଛି ଯିଏ ବିନା ଭୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ଛିଡ଼ା ହୋଇ ତାଙ୍କୁ ପ୍ରଶ୍ନ ପଚାରିପାରିବ ଓ ତାଙ୍କ ସହ ଯୁକ୍ତି କରିପାରିବ । ମାତ୍ର ଦୁର୍ଭାଗ୍ୟ ଦେଶରେ ଏଭଳି ନେତା ଦେଖିବାକୁ ମିଳୁନାହାଁନ୍ତି । ଆମ ରାଜ୍ୟ ପରୀପ୍ରେକ୍ଷୀରେ ଏଭଳି ମନ୍ତବ୍ୟ ପ୍ରଜୁଯ୍ୟ ହେବକି? ସେ ଦୃଷ୍ଟିରୁ ନିର୍ବାଚିତ ପ୍ରତିନିଧିମାନେ ନିଜେ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ଜାଣିବା ଦରକାର ବୋଲି ଡାକ୍ତର ରାଉତ ଉଲ୍ଲେଖ କରିଛନ୍ତି । ଏକଥା ଦର୍ଶାଇ ଡାକ୍ତର ରାଉତ ବିଜେଡି ନେତାଙ୍କୁ ଆହ୍ୱାନ ଦେବା ସହ ସରକାରୀ ଅଫିସରମାନଙ୍କ କାର୍ଯ୍ୟକୁ କଟାକ୍ଷ କରିଛନ୍ତି ବୋଲି ମତ ପ୍ରକାଶ ପାଇଛି ।