OnaKhabar

ଜିଲ୍ଲା ସ୍କୁଲସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଯାପିତ

159

ବାଳକ ବିଭାଗରେ ସ୍ମୃତିରଞ୍ଜନ ଓ ବାଳିକା ବିଭାଗରେ ଅନୀମା ଚାମ୍ପିଆନ

ବଲାଙ୍ଗିର : ବଲାଙ୍ଗିର ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍କୁଲସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଘବ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ଶିଳ୍ପଦ୍ଦ୍ୟୋଗୀ ସମରେନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଇଟ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀକର ମିଶ୍ର ଓ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ନେପାଳ ବାଗ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କ୍ରୀଡା କ୍ଷେତ୍ରରେ ସକ୍ରିୟ ଭାବେ ସେମାନେ ଅଂଶ ଗ୍ରହଣ କରୁଥିବାରୁ ଭବିଷ୍ୟତରେ ତାହା ସେମାନଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହେବ ବୋଲି କହିଥିଲେ । କ୍ରୀଡା ଆମକୁ ଶୃଙ୍ଖଳିତ କରିବା ସହିତ ସାମାଜିକ ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ବଲାଙ୍ଗୀରରେ ମଧ୍ୟ ଇତି ମଧ୍ୟରେ କ୍ରୀଡାର ଭିତ୍ତିଭୂମି ଗଢି ଉଠିବାରେ ଲାଗିଛି । ଭବିଷ୍ୟତରେ ଏହି ପିଲାମାନେ କ୍ରୀଡା କ୍ଷେତ୍ରରେ ବଲାଙ୍ଗୀର ପାଇଁ ଗୌରବ ଆଣିବେ ବୋଲି ମଧ୍ୟ ଶ୍ରୀ ମିଶ୍ର କହିଥିଲେ । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏକ ସୁଉଚ୍ଚ କ୍ରୀଡା ପରମ୍ପରା ରହିଛି । ବର୍ତ୍ତମାନ ଜିଲ୍ଲାରୁ ପ୍ରତିଭାବାନ ଖେଳାଳୀମାନେ ବାହାରୁଛନ୍ତି । ଭବିଷ୍ୟତରେ ସେମାନେ ସଫଳ ହେବା ପାଇଁ ଏଭଳି ଆୟୋଜନ ବେଶ ସହାୟକ ହେବ ବୋଲି ସମ୍ମାନୀତ ଅତିଥି ଶ୍ରୀକର ମିଶ୍ର କହିଥିଲେ । ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତେ ଛାତ୍ରଛାତ୍ରୀ ଜଣେ ଜଣେ ବିଜେତା । କାରଣ ସେମାନଙ୍କ ଯୋଗୁଁ ଏହି କ୍ରୀଡା ପ୍ରତିଯୋଗୀତା ସଫଳ ହୋଇଛି ବୋଲି ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବାଗ କହିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାରେ ଥିବା ୧୪ ଟି ବିଦ୍ୟାଳୟରୁ ୩୦୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଦୌଡକୁଦ , ଲମ୍ବଡିଆଁ , ଉଚ୍ଚଡିଆଁ , ସଟପୁଟ ଓ ଜେବଲିନ ଥ୍ରୋ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ୧୭ ବର୍ଷରୁ କମ ବାଳକ ବିଭାଗ ପ୍ରତିଯୋଗୀତାରେ ବଡମାଳ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ସ୍ମୃତି ରଞ୍ଜନ ମଲ୍ଲିକ ଓ ବାଳିକା ବିଭାଗରେ ଛତାମଖନା ଯୁଧିଷ୍ଠିର ମିଶ୍ର ଜୁନିଅର ମହାବିଦ୍ୟାଳୟର ଛାତ୍ରୀ ଅନୀମା ପଟେଲ ଚାମ୍ପିଆନ ହୋଇଥିବା ବେଳେ ୧୪ ବର୍ଷରୁ କମ ବାଳକ ବିଭାଗରେ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁନ୍ଦରା ଟୁଡୁ ଓ ବାଳିକା ବିଭାଗରେ ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସସ୍ମିତା ମହାକୁଡ ଚାମ୍ପିଆନ ହୋଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ କୁମୁଦିନି ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶାରୀରିକ କ୍ରୀଡା ନୀରିକ୍ଷକ ଜ୍ୟୋତି ରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।