OnaKhabar

ରକ୍ତ ଦେଇ ୭ ବର୍ଷ ଝିଅର ଜୀବନ ରକ୍ଷାକଲେ ଏସ୍‌ପି ପ୍ରତୀକ ସିଂହ

1,286

ଫୁଲ‍ବାଣୀ : କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ରକ୍ତଦାନ କରି ୭ ବର୍ଷ ଝିଅର ଜୀବନ ରକ୍ଷାକରିଛନ୍ତି | ଝିଅଟିର ନାଁ ଅପିନୀ ଦିଗାଲ (୭)। ତାଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀ ଗାଁରେ।
ସୂଚନା ଅନୁଯାୟୀ, ଅପିନୀ ସିକିଲ୍‌ସେଲ୍‌ ରୋଗରେ ପୀଡ଼ିତ। ଗତ ଗୁରୁବାର ଦିନ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ରକ୍ତ ଆବଶ୍ୟକ ଥିବା ଡାକ୍ତର କହିଥିଲେ। ଏହା ପରେ ଅପିନୀଙ୍କ ବାପା ଲୋକନାଥ ରାଜୁ ନାମକ ଜଣେ ସ୍ୱେଚ୍ଛାସେବୀଙ୍କୁ ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ। ଅପିନୀଙ୍କ ରକ୍ତ ଗ୍ରୁପ B ପଜିଟିଭ୍‌ ହୋଇଥିବା ବେଳେ ସ୍ୱେଚ୍ଛାସେବୀ ଜଣଙ୍କ ରକ୍ତ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ତେବେ କୌଣସି ସୂତ୍ରରୁ ସେ ଜାଣିବାକୁ ପାଇଲେ ଯେ କନ୍ଧମାଳ ଏସ୍‌ପିଙ୍କ ବ୍ଲଡ୍‌ ଗ୍ରୁପ ବି ପଜିଟିଭ୍‌। ଏହା ପରେ ସେ ଏସ୍‌ପିଙ୍କୁ ଫୋନ୍ କରି ରକ୍ତ ଦେବାକୁ ଅନୁରୋଧ କରିଥିଲେ।
ରାଜୁଙ୍କ କଥା ଶୁଣି ଏସ୍‌ପି ଫୁଲବାଣୀ ସ୍ଥିତ ବ୍ଲଡ୍ ବ୍ୟାଙ୍କରେ ପହଞ୍ଚି ରକ୍ତ ଦେଇଥିଲେ। ତା’ପରେ ଅପିନୀଙ୍କୁ ରକ୍ତ ଦିଆଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା।