OnaKhabar

ଜମ୍ମୁ-କାଶ୍ମୀର ପୁନର୍ଗଠନ: ପଟେଲଙ୍କୁ ଉତ୍ସର୍ଗ କଲେ ମୋଦୀ

116

ନୂଆଦିଲ୍ଲୀ : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୪୪ତମ ଜୟନ୍ତୀ ଉତ୍ସବ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଟେଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନକୁ ପଟେଲଙ୍କ ସମ୍ମାନରେ ଉତ୍ସର୍ଗ କରିଛନ୍ତି । ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଆରମ୍ଭ ହୋଇଥିବା ନୂଆ ବ୍ୟବସ୍ଥାର ଅର୍ଥ ନୁହେଁ ଯେ କେବଳ ଜମି ଉପରେ ପାଚେରି ପକାଇବା । ଏହାଦ୍ୱାରା ଦେଶର ଏକତା ଏବଂ ବିଶ୍ୱାସ ଅଧିକ ମଜବୁତ ହୋଇଛି ବୋଲି ସେ କହିଛନ୍ତି । ଜମ୍ମୁ-କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଂଚଳ ହେବା ପରିପ୍ରେକ୍ଷୀରେ ମୋଦି ଏଭଳି ମତ ରଖିଛନ୍ତି । ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ସରକାର ଦେଶର ଅର୍ଥନୈତିକ, ସାମ୍ବିଧାନିକ ସଂହତି ଦିଗରେ କାର୍ଯ୍ୟ କରିଛନ୍ତି ଏବଂ ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତ ନିଷ୍ପତ୍ତି ନେଇଛନ୍ତି । ତେଣୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଦେଶର ପ୍ରଥମ ଗୃହମନ୍ତ୍ରୀଙ୍କ ପାଦତଳେ ଉତ୍ସର୍ଗ କରୁଛି ବୋଲି ମୋଦି କହିଛନ୍ତି । ଧାରା ୩୭୦ ଜମ୍ମୁ-କାଶ୍ମୀରକୁ କେବଳ ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦ ଦେଇଥିଲା । ୩ ଦଶନ୍ଧୀର ଆତଙ୍କବାଦ କାର୍ଯ୍ୟକଳାପରେ ୪୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । । କିଛି ଶକ୍ତି ଭାରତର ବିବିଧତା ମଧ୍ୟରେ ଏକତାକୁ ବିଚ୍ଚିନ୍ନତାବତାଦ ଏବଂ ଆତଙ୍କବାଦ ଦ୍ୱାରା ଧ୍ୱଂସ କରିଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କେହି ଆମକୁ ପରାଜିତ କରିପାରିବେ ନାହିଁ ବୋଲି ମୋଦୀ କହିଛନ୍ତି ।