OnaKhabar

୫-ଟିକୁ ନେଇ ଅପରାଜିତା-ଅରୁପ ମୁହାଁମୁହିଁ

797

ଭୁବନେଶ୍ୱର (ଓଏନଏ): ବିଜେପି-ବିଜେଡି ରାଜନୀତିରେ ନେତାଙ୍କ ଭିତରେ ତୁତୁ ମେମେ କିଛି ନୂଆ କଥା ନୁହେଁ । ଅନେକ ବରିଷ୍ଠ ନେତାଙ୍କ ଭିତରେ ପରସ୍ପର ବିରୋଧରେ ମତ ଦେବା ଓ ଆକ୍ଷେପ କରିବା ଦେଖାଯାଇ ଆସିଛି । ଉଭୟ ଦଳର ନୂଆ ନେତା ବିଜେଡିର ଅରୁପ ପଟ୍ଟନାୟକ ଓ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ କେବେ କଥା କଟାକଟି ଦେଖାଯାଇ ନ ଥିଲା । ଆଜି ଉଭୟ ନେତାଙ୍କ ମତ ପଦାକୁ ଆସିଛି । ୫-ଟିକୁ ନେଇ ଏହି ଦୁଇ ନେତା ରଖିଥିବା ମତ ଚର୍ଚ୍ଚାର ବିଷୟ ହୋଇଛି । ଅପରାଜିତାଙ୍କ ମତକୁ ଅରୁପ କଟାକ୍ଷ କରିଛନ୍ତି ।
ଆଜି ଦୁଇଦଳ ପକ୍ଷରୁ ଗ୍ରହଣ କରାଯାଇଥିବା ଦଳୀୟ କାର୍ଯ୍ୟକ୍ରମକୁ ଆଧାର କରି ଉଭୟ ନେତା ଯୋଗଦେବା ଅବସରରେ ପ୍ରଶ୍ନ ରଖିଛନ୍ତି । ବିଜେଡି ପକ୍ଷରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଆଜି ଶେଷ ହୋଇଛି । ଏହି ଅବସରରେ ବଡ଼ ଧରଣର ସମାବେଶ ହୋଇଥିଲା । ସେହିପରି ବିଜେପି ପକ୍ଷରୁ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନକୁ ଆଜି ‘ଏକତା ଦିବସ’ ଭାବେ ପାଳନ କରାଯାଇ ଗଣଦୌଡ଼ କାର୍ଯ୍ୟକ୍ରମ କରାଯାଇଥିଲା । ଗଣଦୌଡ଼ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାଜିତା ୫-ଟିକୁ ସମାଲୋଚନା କରି କହିଛନ୍ତି “ମୁଁ ତ ଆଇଏଏସ, ଆଇପିଏସ ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି, ସେଥିରେ ଆମେ ଲେଫ୍ଟ ରାଇଟ ଶିଖୁ । ଲୋକଙ୍କୁ କେମିତି ହ୍ୟାଡେଲ କରାଯିବ ଟ୍ରେନିଂ ଦିଆଯାଏ ନାହିଁ । ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର ୫-ଟି ଆଣିଲେ । ଏହି ୨୦ ବର୍ଷ ଶାସନରେ କଣ ୫-ଟି ସରକାରରେ ନ ଥିଲା କି? ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ ନୁହେଁ । ଏହା ଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୂର୍ବଳ ହୋଇଯିବ । ଆଇଏଏସ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇଥାଏ । ତେଣୁ ଏହା ସୁଶାସନ ନୁହେଁ ବରଂ ମନ୍ତ୍ରୀ ଓ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି ଅପରାଜିତା କହିଛନ୍ତି । ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ ଏହା ବହୁତ ପୁରୁଣା କଥା । ମୁଁ ଆଏଏସ ଟ୍ରେନିଂ ନେବାବେଳେ ୫-ଟି ଟ୍ରେନିଂ ଦିଆଯାଉଥିଲା । ଯଦି ସ୍ୱାସ୍ଥ୍ୟ ବିଭାଗରେ ୫-ଟି ଲାଗୁ କରାଯାଇ ଥାନ୍ତା ତେବେ କଣ ଏଥିରେ ସ୍ୱଚ୍ଛତା ଆସି ନ ଥାନ୍ତା କି? ଏଥିପାଇଁ ଏକ କ୍ଷମତା ସମ୍ପନ୍ନ ବିଭାଗ କହିଁକି ଗଠନ କରାଗଲା?”
ଅପରାଜିତାଙ୍କ ମତକୁ ବିରୋଧ କରି ଅରୁପ କହିଛନ୍ତି- କୌଣସି ଆଇଏଏସ କ ଆଇପିଏସ ଟ୍ରେନିଂରେ ଲୋକଙ୍କ ସହ କିପରି ବସିବେ, କେମିତି ମିଶିବେ ଏଗୁଡ଼ିକ ଶିଖାଯାଏନାହିଁ । ସେ ଭଦ୍ର ମହିଳା ଟ୍ରେନିଂରେ ୫-ଟି ଶିଖିଥିଲେ । ମୁଁ କିନ୍ତୁ ଟ୍ରେନିଂରେ ପ୍ୟାରେଡ ଶିଖିଛି । ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେବେ ସେତେବେଳେ ୫-ଟି ବାତିଲ କରିବେ ବୋଲି ଅରୁପ କହିଛନ୍ତି । ମନ୍ତ୍ରୀ ଓ ବିଧାୟକମାନେ ସମସ୍ତେ ସେବକ । ସାଧାରଣ ଲୋକଙ୍କ ଜୀବନରେ କାହାର ପାୱାର ଦରକାର ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଅପରାଜିତା ଓ ବିଜେଡି ପ୍ରାର୍ଥୀ ଭାବେ ଅରୁପ ଲଢ଼ୁଥିଲେ ।
୫-ଟି ଆରମ୍ଭ ହେବା ପରେ ତାକୁ ନେଇ ରାଜନୀତିକ ବାଦ ବିବାଦ ପ୍ରାୟ ଲାଗି ରହିଛି । ବିଶେଷ କରି ୫-ଟି ସଚିବ ଭି.କେ. ପାଣ୍ଡିଆନ ଯେବେଠାରୁ ଜିଲ୍ଲା ଗସ୍ତ କରି ହସ୍ପିଟାଲ ଯାଞ୍ଚ କରିବା ଓ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କଲେ ତା ପରଠାରୁ ବିବାଦ ଅଧିକ ବଢ଼ିଛି । ବିଭିନ୍ନ ସମୟରେ ଏହି ପ୍ରସଙ୍ଗକୁ ନେଇ ବିତର୍କ ମଧ୍ୟ ହୋଇଛି ।