OnaKhabar

ଘଟଣାସ୍ଥଳରୁ ମିଳିଲା ସିଗାରେଟ ଓ ମଦ ବୋତଲ, ମହିଳା ଆଇନଜୀବୀ ଦୀପାଳିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏବେ…

910

ଭୁବନେଶ୍ୱର : ମହିଆ ଆଇନଜୀବୀ ଦିପାଳୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି | ତେବେ ଏହି ଘଟଣାରେ ଧଉଳି ପୋଲିସ ମୃତ ଦିପାଳୀଙ୍କ ସାନ ଭଉଣୀ ସେଫାଳୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଜେରା କରିଥିବାର ଜଣା ପଡିଛି । ତେବେ ଦିପାଳୀଙ୍କ ପୁରୁଷ ବନ୍ଧୁ ବାଲେଶ୍ବରର ବ୍ୟବସାୟୀ ବିକ୍ରମକେଶରୀ ମିଶ୍ରଙ୍କ ସଂପର୍କରେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ଏହା ପୋଲିସକୁ ଅଡୁଆରେ ପକାଇଥିବା ବେଳେ ପୋଲିସ ଦୁଇଟି ଫୋନ୍ ଜବତ କରି ତାର କଲ୍ ରେକର୍ଡ ଯାଞ୍ଚ କରୁଛି । ତେବେ ଦିପାଳୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ଏହି ଘଟଣାର ତଦନ୍ତ ଆଗକୁ ବଢିବ ବୋଲି ପୋଲିସ କହିଛି ।
ଅପରପକ୍ଷରେ ଦିପାଳୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଭୁବନେଶ୍ବର ବାର୍ ଆସୋସିଏସନ ଉପଯୁକ୍ତ ତଦନ୍ତ ଦାବି କରିଛି । ଦିପାଳୀଙ୍କ ଶବ ଝୁଲନ୍ତା ଅବସ୍ଥାରେ ପୋଲିସ ଗତ ରବିବାର ଦିନ ଉଦ୍ଧାର କରିଥିଲା । ଦିପାଳୀ କେବଳ ଏକ ଅନ୍ତବସ୍ତ୍ର ପରିଧାନ କରିଥିବା ବେଳେ ତାଙ୍କ ନାକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ଏପରିକି ଦିପାଳୀଙ୍କ ଗୋଡ ମଧ୍ୟ ତଳେ ଲାଗି ରହିଥିଲା । ଶନିବାର ଦିନ ରାତି ୧୨ଟା ବେଳେ ଦିପାଳୀଙ୍କ ପୁରୁଷ ବନ୍ଧୁ ଦିପାଳୀଙ୍କ ସାନ ଉଭଣୀ ସେଫାଳୀଙ୍କୁ ଫୋନ୍ କରି କହିଥିଲେ ଯେ, ତାଙ୍କ ବଡ ଭଉଣୀ ଘରର କବାଟ ଖୋଲୁନାହାନ୍ତି । ତେଣୁ ସେଠାକୁ ଆସିବା ଲାଗି ସେଫାଳୀଙ୍କୁ ସେ କହିଥିଲେ । ତେବେ ଏହାପରେ ପୁରୁଷ ବନ୍ଧୁ କେଉଁ ଆଡେ ଓ କାହିଁକି ଫେରାର ହେଲେ ତାହା ମଧ୍ୟ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି ।ମୃତ ଦିପାଳୀଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଜେରା କରିପାରିଲେ ଏହି ରହସ୍ୟଜନକ ମୃତ୍ୟୁ ପଛରେ ରହିଥିବା ସମସ୍ତ ଅଡୁଆ ଖିଅକୁ ପୋଲିସ ଖୋଲିପାରନ୍ତା । କିନ୍ତୁ ପୁରୁଷ ବନ୍ଧୁଙ୍କୁ ଜେରା କରିବା ଲାଗି ପୋଲିସ ଉଦ୍ୟମ କରୁଥିଲେ ମଧ୍ୟ ସେ ଫେରାର ଅଛନ୍ତି । ରାଜଧାନୀର ଛାତି ଉପରେ ଘଟିଥିବା ଏହି ରହସ୍ୟଜନକ ମୃତ୍ୟୁ ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ ଏହାର ତଦନ୍ତ ଦାୟିତ୍ବ ସ୍ପେଶାଲ ସ୍କ୍ବାର୍ଡକୁ ପ୍ରଦାନ କରାଯାଇଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ ଜଣାପଡିଛି ଯେ, ଦିପାଳୀ ଓ ବାଲେଶ୍ବରର ବ୍ୟବସାୟୀ ବିକ୍ରମକେଶରୀ ମିଶ୍ରଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସଂପର୍କ ରହିଥିଲା । ଏପରିକି ସେମାନଙ୍କ ବିବାହ ସ୍ତରୀକୃତ ହୋଇସାରିଥିଲା । ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଦିପାଳୀଙ୍କୁ ଭେଟିବାକୁ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ଭୁବନେଶ୍ବର ଆସୁଥିଲେ । କିନ୍ତୁ ଗତ ଶନିବାର ସନ୍ଧ୍ୟାରେ କଣ ଏମିତି ଘଟିଲା ଯେ, ଦିପାଳୀ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କଲେ ବା ତାଙ୍କୁ ମାରି ଝୁଲାଇ ଦିଆଗଲା ତାହା ରହସ୍ୟଘେରରେ ରହିଛି । ତେବେ ଏହି ରହସ୍ୟକୁ ଆହୁରି ଗୋଳମାଳିଆ କରୁଛି ଘଟଣାସ୍ଥଳରୁ ମିଳିଥିବା ପୋଡା ସିଗାରେଟ୍ ଓ ମଦ ବୋତଲ ।