OnaKhabar

୫୦ବର୍ଷ ପାଇଁ ଘରୋଇ ସଂସ୍ଥା ନେବ ଭୁବନେଶ୍ୱର ବିମାନବନ୍ଦର

155

ଭୁବନେଶ୍ୱର : ୨୦୧୭-୧୮ ବର୍ଷରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ବାର୍ଷିକ କ୍ଷତି ଥିଲା ୧୯କୋଟି । ବିମାନବନ୍ଦର ଆରମ୍ଭ ହେବା ଦିନରୁ କେବେ ଲାଭରେ ଚାଲି ନଥିଲା । ବରଂ ଭାରତୀୟ ବିମାନବନ୍ଦର କର୍ତୃପକ୍ଷ(ଏଏଆଇ) ଏହାର ପରିଚାଳନା ପାଇଁ ବାର୍ଷିକ କୋଟି କୋଟି ଟଙ୍କା କ୍ଷତି ସହି ଆସୁଥିଲେ । ତେବେ ୨୦୧୮-୧୯ରେ ଭୁବନେଶ୍ୱର ବିମାନବନ୍ଦରର ବାର୍ଷିକ ଲାଭ ହେଲା ୧୭କୋଟି । ଏହି ଲାଭ ହେବା ପରେ ଏଏଆଇ ଆଉ ବିପଦ ମୁଣ୍ଡାଇବାକୁ ଚାହୁନାହିଁ । ତେଣୁ ଭୁବନେଶ୍ୱର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଯୋଜନା କରିଛି । ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣ ହୋଇଗଲେ ବାର୍ଷିକ ୧୦୦କୋଟି ଟଙ୍କା ପାଇବ ବୋଲି ଏଏଆଇ ଲକ୍ଷ୍ୟ କରିଛନ୍ତି ।
ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଏଏଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହା ଉପରେ କେବଳ କେନ୍ଦ୍ର କ୍ୟାବିନେଟ ମୋହର ବାଜିବା ବାକି ଅଛି। କ୍ୟାବିନେଟ ଅନୁମୋଦନ କଲେ ଯେକୌଣସି ମୁହୂର୍ତ୍ତରେ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ କରିବା ନେଇ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି। ବିମାନବନ୍ଦର ଘରୋଇକରଣ ହେଲେ ଏଠାରେ ଯାତାୟାତ କରୁଥିବା ଯାତ୍ରୀଙ୍କ ହିସାବରେ ଘରୋଇ ସଂସ୍ଥା ଏଏଆଇକୁ ଅର୍ଥ ଦେବ।
ବିମାନବନ୍ଦର ଘରୋଇକରଣ ହେଲେ ଏଟିସି ଟାୱାର, ଏହାର ସମସ୍ତ କର୍ମଚାରୀ ଓ ତଥ୍ୟ ଏବଂ ଯୋଗଯୋଗ ସମ୍ବନ୍ଧୀୟ ସମସ୍ତ କାର‌୍ୟ୍ୟ ଏଏଆଇ ଅଧୀନରେ ରହିବ। ବାକି ସବୁ ଘରୋଇ ସଂସ୍ଥା ହାତରେ ରହିବ। ବିମାନବନ୍ଦରର ଟର୍ମିନାଲରୁ ଆରମ୍ଭ କରି ରନ୍‌ୱେ, ଅଫିସ, ପାର୍କିଂ ଜୋନ୍ ସମେତ ବିମାନବନ୍ଦର ଅଧୀନରେ ଥିବା ସମସ୍ତ ଜମି ଘରୋଇ ସଂସ୍ଥାକୁ ୫୦ବର୍ଷ ପାଇଁ ଲିଜ୍ ଦିଆଯିବ। ଏବେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ କାର‌୍ୟ୍ୟ କରୁଛନ୍ତି ତାଙ୍କୁ ରଖିବା ନରଖିବା ନିଷ୍ପତ୍ତି ଘରୋଇ ସଂସ୍ଥାର। କିନ୍ତୁ ଏଏଆଇ କର୍ମଚାରୀଙ୍କୁ ଯଦି ଘରୋଇ ସଂସ୍ଥା ରଖେ ତେବେ ସର୍ବନିମ୍ନ ୩ବର୍ଷ ପର‌୍ୟ୍ୟନ୍ତ ଏଏଆଇ ଦେଉଥିବା ବେତନ ଦେବ। ଏହାପରେ ସେ କର୍ମଚାରୀ ବଦଳାଇ ପା‌ରିବ। କିନ୍ତୁ କୌଣସି ଏଏଆଇ କର୍ମଚାରୀଙ୍କର ଚାକିରି ଛଟେଇ ହେବନି। ବିମାନବନ୍ଦର ନିର୍ଦ୍ଦେଶକଙ୍କଠାରୁ ପିଅନ ପର‌୍ୟ୍ୟନ୍ତ ସମସ୍ତଙ୍କୁ ଘରୋଇ ସଂସ୍ଥା ତା’ ଇଚ୍ଛା ଅନୁଯାୟୀ ନିଯୁକ୍ତି ଦେବ।