OnaKhabar

ଧର୍ମେନ୍ଦ୍ରଙ୍କ କଥାକୁ ଗୁରୁତ୍ୱ ଦେଲେନି ନବୀନ, ଶୁକ୍ରବାର ପୁଣି ଯିବେ ଧର୍ମେନ୍ଦ୍ର

457

ଭୁବନେଶ୍ୱର (ଓଏନଏ): ବିଜେପୁର ଉପ ନିର୍ବାଚନ ନେଇ ବିଜେପି-ବିଜେଡି ଭିତରେ ଟକରାଟକରି ଚାଲିଛି । ଉଭୟ ପକ୍ଷ ଆରୋପ ପ୍ରତ୍ୟାରୋପ ମଧ୍ୟ ଲାଗିଛନ୍ତି । ଗତ ୧୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ନିର୍ବାଚନ ପ୍ରଚାରରେ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଟାର୍ଗେଟ କରି ଗଦାଏ ପ୍ରଶ୍ନ ପଚାରିଥିଲେ । ଗୁରୁବାର ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାରରେ ଯାଇଛନ୍ତି । ବିିଭିନ୍ନ ଅଂଚଳକୁ ବୁଲି ରୋଡ ସୋ କରିଛନ୍ତି ।  ହେଲେ ଧର୍ମେନ୍ଦ୍ର ପଚାରିଥିବା ଗୋଟିଏ ହେଲେ ପ୍ରଶ୍ନର କୌଣସି ଉତ୍ତର ସେ ଦେଇନାହାଁନ୍ତି । ଧର୍ମେନ୍ଦ୍ର ଯାହା ସବୁ ବିଜେପୁରବାସୀଙ୍କ ଆଗରେ ନବୀନଙ୍କୁ ପ୍ରଶ୍ନ କରିଥିଲେ ଯେହେତୁ ନବୀନ ନିଜେ ପ୍ରଚାରକୁ ଓହ୍ଲାଇଛନ୍ତି ସେ ଏସବୁର ଜବାବ ଦେବେ ବୋଲି କୁହାଯାଉଥିଲା । ହେଲେ ସେପରି କିଛି ହେଲାନାହିଁ । ନବୀନ ତାଙ୍କ ଢ଼ଙ୍ଗରେ ଯେପରି ପ୍ରଚାର କରିବା କଥା ତାହା କରିଛନ୍ତି ।  ଧର୍ମେନ୍ଦ୍ର ପଚାରିଥିବା ପ୍ରଶ୍ନ ଭିତରେ ମୁଖ୍ୟପ୍ରଶ୍ନ ଥିଲା ହିଞ୍ଜିଳିକୁ ନ ଛାଡ଼ି ବିଜେପୁର କାହିଁକି ଛାଡ଼ିଲେ । ନବୀନ ଧର୍ମେନ୍ଦ୍ରଙ୍କୁ ଉତ୍ତର ନ ଦେଇ ତାଙ୍କୁ ଗୁରୁତ୍ୱ ଦେବାକୁ ଚାହିଁ ନାହାଁନ୍ତି ନା ବିବାଦ ଭିତରକୁ ଯିବାକୁ ଚାହିଁ ନାହାଁନ୍ତି ତାହା ବିଚାର୍ଯ୍ୟ । ନବୀନ ଆସନ୍ତାକାଲି ଶୁକ୍ରବାର ମଧ୍ୟ ବିଜେପୁର ପ୍ରଚାର କରିବେ । ଧର୍ମେନ୍ଦ୍ର ମଧ୍ୟ ଆସନ୍ତା କାଲି ବିଜେପୁରକୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରରେ ଯାଉଛନ୍ତି । ସେ ଚାରିଥିବା ପ୍ରଶ୍ନ ଉତ୍ତର ପାଇ ନ ଥିବାରୁ ଧର୍ମେନ୍ଦ୍ର ପୁଣି କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ।

ଗତ ସାଧାରଣ ନିର୍ବାଚନରେ ନବୀନ ବିଜେପୁରରୁ ଓ ହିଞ୍ଜିକାଟୁରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ସ୍ଥାନରେ ସେ ଜିତିଥିଲେ । ବିଜେପୁର ତାଙ୍କର ନୂଆ ନିର୍ବାଚନମଣ୍ଡଳୀ ଥିଲା ବେଳେ ହିଞ୍ଜିଳି ପୁରୁଣା ନିର୍ବାଚନମଣ୍ଡଳୀ । ଏଣୁ ସେ ପୁରୁଣାକୁ ରଖି ନୂଆକୁ ଛାଡ଼ିଥିଲେ । ନିର୍ବାଚନ ସମୟରେ ବିଜେପୁରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ଓ ସେମାନଙ୍କ କଥା ବୁଝିବେ ବୋଲି କହିଥିଲେ । କିନ୍ତୁ ବିଜେପୁରବାସୀଙ୍କ ହାତ ଛାଡ଼ି ହିଞ୍ଜିଳିବାସୀଙ୍କ ସହ ରହିଲେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ବିଜେପୁରକୁ ପ୍ରଚାରକୁ ଯାଇଥିଲେ ସେ ସମୟରେ ନାନା ପ୍ରଶ୍ନ କରିଥିଲେ । ଏପରି କି ମୋର ସରକାର କାର୍ଯ୍ୟକ୍ରମକୁ ମଧ୍ୟ କଟାକ୍ଷ କରିଥିଲେ ।

ଧର୍ମେନ୍ଦ୍ର କହିଥିଲେ, ଏବେ ମୋର ସରକାର କଥା କୁହାଯାଉଛି ଆଗରୁ କାହା ସରକାର ଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ । ବିଜେପୁରବାସୀଙ୍କୁ ବିଶ୍ୱାସ ଦେଇ ଭୋଟ ଜିତିବା ପରେ ସେମାନଙ୍କ ହାତଛାଡ଼ି ବିଶ୍ୱାସଘାତକତା କରିଛନ୍ତି ବୋଲି ସେ କହିଥିଲେ । କାହିଁକି ୬ ମାସ ନପୁରୁଣୁ ମୁଖ୍ୟମନ୍ତ୍ରୀ ବିଜେପୁରବାସରୀଙ୍କୁ ନିରାଶ୍ରୟ କରି ପୁଣି ଏକ ଉପନିର୍ବାଚନ ସେମାନଙ୍କ ଉପରେ ଲଦିଦେଇଗଲେ । ଏଇଟା କଣ ନିର୍ବାଚନ ସମୟରେ ସର୍ତ୍ତ ଥିଲା କି? ମୁଖ୍ୟମନ୍ତ୍ରୀ ଲମ୍ବା ସମୟ ଧରି ପଦବୀରେ ରହିଛନ୍ତି । ହିଞ୍ଜିଳିକାଟୁକୁ ଚାହିଁ ଥିଲେ ଛାଡ଼ିପାରିଥାନ୍ତେ । ଯେଉଁ ଆଶା ଭରଷା ସାଧାରଣ ଗରୀବ ଲୋକଙ୍କ ମନରେ ଉତ୍ପନ୍ନ କରିଥିଲେ, ଯେଉଁ ବିକାଶର ଦାୟିତ୍ୱ ନେଇଥିଲେ, ସେଥିରେ ହିଞ୍ଜିଳିକାଟୁକୁ ଛାଡ଼ି ଯଦି ବିଜେପୁରକୁ ପ୍ରତିନିଧିତ୍ୱ କରିଥିଲେ କଣ ଭାଙ୍ଗି ପଡ଼ିଥାନ୍ତା । ହିଞ୍ଜିଳିକାଟୁରେ ଉପନିର୍ବାଚନ ନ ହୋଇ ବିଜେପୁରରେ କାହିଁକି ହେଲା । ଏହା ହେଉଛି ମୂଳ ପ୍ରସଙ୍ଗ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ ।

ନବୀନ ଆଜି ୨ ଦିନିଆ ପ୍ରଚାରରେ ଯାଇ ବିଜେପୁରରେ ପହଂଚିଛନ୍ତି । ସେ ପହଂଚିବା ପରେ କେବଳ ରୋଡ ସୋ’ ମାଧ୍ୟମରେ ତାଙ୍କ ପ୍ରଚାରକୁ ସୀମିତ ରଖିଛନ୍ତି । ସେ କୌଣସି ସଭା ସମିତି କରି ନାହାଁନ୍ତି । ଧର୍ମେନ୍ଦ୍ର ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ନାହାଁନ୍ତି ।

ଏବେ ‘ମୋ ସରକାର’ ଆଗରୁ କାହା ସରକାର ଥିଲା: ଧର୍ମେନ୍ଦ୍ର