OnaKhabar

ରାସ୍ତା ବାଧକ : ଖଟିଆରେ ଆଣିବା ବେଳେ ଅଧାବାଟରେ ଶିଶୁପୁତ୍ର ଜନ୍ମ ଦେଲେ ପ୍ରସୂତି

341

 

କୋରାପୁଟ : ଥମୁନି ଜନନୀ ଯନ୍ତ୍ରଣା । ଯାତାୟାତ ପାଇଁ ସବୁ ଦିନିଆ ରାସ୍ତା ନଥିବାରୁ ପହଁଚି ପାରିଲାନି ଗାଡ଼ି | ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଓଡ଼ିଶା-ଆନ୍ଧ୍ର ସୀମା କାପଲୋଡ଼ା ପଞ୍ଚାୟତର ଦିଗୁଭତ୍ରାପଲ୍ଲୀ ଗ୍ରାମରେ । ଫଳରେ ଜଣେ ଗର୍ଭବତୀଙ୍କୁ ଲୋକେ ୫ କିଲୋମିଟର ବାଟ ଖଟିଆରେ ବୋହି ଆଣିବାକୁ ପଡିଥିଲା | ଆଣିବାବେଳେ ଅଧା ରାସ୍ତାରେ ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ଖବର ଅନୁଯାୟୀ , ଦିଗୁଭତ୍ରାପଲ୍ଲୀ ଗ୍ରାମର ଶ୍ରୀନୁ ବିଡ଼ିକାଙ୍କ ସ୍ତ୍ରୀ ଭାରତୀଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ତେବେ ଦିଗୁଭତ୍ରାପଲ୍ଲୀ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ଯାଇ ପାରି ନଥିଲା । ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଭରାତୀଙ୍କୁ ଖଟିଆରେ ଭାର କରି ହସ୍ପିଟାଲ୍ ନେଉଥିଲେ । ଖଟିଆରେ ବୋହି ଆଣିବା ବେଳେ ଅଧା ବାଟରେ ଭାରତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ଗୁରୁତର ହୋଇ ପଡ଼ିଥିଲେ । କୌଣସି ପ୍ରକାରେ ଗ୍ରାମବାସୀ ଭାରତୀଙ୍କୁ ପ୍ରାୟ ୫ କିଲୋମିଟର ବୋହି ପି.ସିଲାବାଡ଼ି ଗ୍ରାମରେ ପହଞ୍ଚାଇବା ପରେ ସେଠାରୁ ଏକ କମାଣ୍ଡର ଜିପରେ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ଭାରତୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଡାକ୍ତର କୋରାପୁଟ କିମ୍ବା ରାୟଗଡ଼ା ନେଇ ଯିବାକୁ କହିଥିଲେ । ହେଲେ କୋରାପୁଟ ଓ ରାୟଗଡ଼ା ବନ୍ଧୁଗାଁରୁ ଦୂର ବାଟ ହୋଇଥିବାରୁ ପରିବାର ଲୋକେ ଭାରତୀଙ୍କୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଏକ ହସ୍ପିଟାଲକୁ ନେଇ ଯାଇଥିଲେ ।

Comments are closed.