OnaKhabar

ଗଞ୍ଜେଇ ଚେରା ଚାଲାଣ, ହାଇୱା ସହିତ ୧୧୦୦ କିଲୋ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

409

ବଲାଙ୍ଗିର (ଦେବାଶିଷ ମିଶ୍ର)- ସମ୍ପ୍ରତି ବଲାଙ୍ଗୀର ବିଭିନ୍ନ ନିଶା କାରବାର ର ଏକ ହବ ପାଲଟିଯାଇଛି । ସହରରେ ବ୍ୟାପକ ପରିମାଣରେ ବେଆଇନ ଭାବେ ନିଶା କାରବାର ଚାଲିଥିବା ବେଳେ ବଲାଙ୍ଗୀର ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଚାଲାଣ କରାଯାଉଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହାର ପ୍ରମାଣ ଦେଖିବାକୁ ମିଳିଛି । ଏକ ହାଇୱାରେ ପ୍ରଚୁର ପରିମାଣରେ ଗଞ୍ଜେଇ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡିଛି । ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ସମ୍ପୃକ୍ତ ହାଇୱା ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ୪୪ ପ୍ୟାକେଟ ଗଞ୍ଜେଇ ଜବତ କରିଛି ଓ ଗାଡିର ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା କରୁଛି । ବଲାଙ୍ଗୀର ସହର ଭିତରୁ ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ପୁଲିସର ସୂଚନା ଅନୁଯାୟୀ , ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାଇୱାରେ ପ୍ରଚୁର ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା । ଗାଡି ଟି ଟିଟିଲାଗଡ ପଟୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ମଧ୍ୟ ସୂଚନା ମିଳିଥିଲା । ସୂଚନା ମୁତାବକ ବଲାଙ୍ଗୀର ସହର ପ୍ରବେଶ ଦ୍ୱାର ଆରଟିଓ ଛକ ଠାରେ ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଜଗି ରହିଥିଲେ । ହାଇୱା ଗାଡି ଟି ସେଠାରେ ପହଁଚିବା ପରେ ତନଖି କରାଯାଇଥିଲା । ତନଖି ସମୟରେ ୪୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା । ପ୍ରତିଟି ପ୍ୟାକେଟରେ ୨୫ କେଜି ଲେଖାଏଁ ଗଞ୍ଜେଇ ଭର୍ତ୍ତି କରି ରଖା ଯାଇଥିଲା । ପୁଲିସ ଗାଡିର ଡ୍ରାଇଭର ନିରଞ୍ଜନ ପ୍ରଧାନଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା । ମାଲକାନଗିରିରୁ ଗଞ୍ଜେଇ ବୋଝେଇ କରି ସମ୍ବଲପୁର ନେଉଥିବା କଥା ନିରଞ୍ଜନ ପୁଲିସ ଆଗରେ କହିଥିଲା । ଆଜି ସକାଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ସନ୍ତୋଷ ଦାସଙ୍କ ଉପସ୍ଥିତିରେ ପୁଲିସ ଗଞ୍ଜେଇ ଜବତ କରିଥିଲା । ଡ୍ରାଇଭର ର କହିବାନୁଯାୟୀ , ସମ୍ବଲପୁରରେ ଗାଡି ପହଁଚିବା ପରେ ସେଠାରୁ ତାକୁ ଅନ୍ୟ ଜଣେ ନେଇଥାନ୍ତେ । ତେବେ କିଏ ଏହି ଗଞ୍ଜେଇ ଚାଲାଣ ପଛରେ ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ , ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରାଯାଇଥାନ୍ତା ।