OnaKhabar

ବିଜେପୁରରେ ବିଜେପିକୁ ଝଟକା: ଦଳ ଛାଡ଼ିଲେ ଅଶୋକ

637

ଭୁବନେଶ୍ୱର (ଓଏନଏ): ବିଜେପିର ବରିଷ୍ଠ ନେତା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଆଜି ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ବିଜେପୁର ଉପ ନିର୍ବାଚନ ଚାଲିଥିଲା ବେଳେ ଅଶୋକଙ୍କ ଏହି ଇସ୍ତଫା ଦଳ ପାଇଁ ଧକ୍କା ବୋଲି କୁହାଯାଉଛି । ଦଳ ତାଙ୍କୁ ଅଣଦେଖା କରୁଥିବା ନେଇ ସେ ଅଭିଯୋଗ କରି ଆସୁଥିଲେ । ସେ ଦଳ ଛାଡ଼ି ପାରନ୍ତି ବୋଲି କୁହାଯାଉଥିଲା । ଅସନ୍ତୁଷ୍ଟ ଥିବା ଅଶୋକ ଶେଷରେ ଦଳ ଛାଡ଼ିଛନ୍ତି । ଏପରି କି ଉପ-ନିର୍ବାଚନରେ ବିଜେପି ବିରୋଧରେ ଆବଶ୍ୟକ ପଡ଼ିଲେ ପ୍ରଚାର କରିପାରନ୍ତି ବୋଲି ସୂଚନା ମଧ୍ୟ ଦେଇଛନ୍ତି । କିନ୍ତୁ ବିଜେଡିରେ ଯୋଗଦେବା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ସେ ଦେଇ ନାହାଁନ୍ତି ।
ଅଶୋକ ପୂର୍ବରୁ ବିଜେଡିରେ ଥିଲେ । ବିଜେଡିରେ ତାଙ୍କୁ ଦଳୀୟ ଟିକେଟ ଦିଆ ନ ଯିବା ଫଳରେ ସେ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ବିଜେପିରେ ଆସି ଯୋଗଦେଇଥିଲେ । ୨୦୧୮ ବିଜେପୁରରେ ଉପନିର୍ବାଚନ ସମୟରେ ସେ ବିଜେପି ପ୍ରାର୍ଥୀ ହୋଇଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଆଉ ପ୍ରାର୍ଥୀ କରି ନ ଥିଲା । ଏଥର ଉପ ନିର୍ବାଚନରେ ବି ଦଳ ତାଙ୍କୁ ପ୍ରାର୍ଥୀ କଲାନାହିଁ । ଦଳର ପ୍ରଚାର କମିଟିରେ ବି ତାଙ୍କୁ ରଖାଗଲା ନାହିଁ । ଦଳ ପାଇଁ ନିର୍ବାଚନରେ କାର୍ଯ୍ୟ କରିବାକୁ ମଧ୍ୟ ତାଙ୍କୁ କିଛି ଦାୟିତ୍ୱ ଦିଆଗଲାନାହିଁ । ଏ ସବୁ ଘଟଣାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ଦଳ ତାଙ୍କୁ ପଚାରୁ ନାହିଁ ବୋଲି କହିଥିଲେ । ଦଳ କାହାକୁ ପ୍ରାର୍ଥୀ କଲା ନ କଲା ସେଥିନେଇ ସେ ବ୍ୟସ୍ତ ନୁହଁନ୍ତି ବୋଲି କହିଥିଲେ । କିନ୍ତୁ ଦଳର ନେତା ହୋଇ ତାଙ୍କୁ କିଛି ଦାୟିତ୍ୱ ଦିଆ ନ ଯିବାକୁ ସେ ଅବହେଳା ବୋଲି ଧରିଥିଲେ ।
ଇସ୍ତଫା ଆଜି ଦେବା ପରେ ସେ କହିଛନ୍ତି ଦଳର ସଙ୍ଗଠନ ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ଦାୟୀ । ବିଜେପି ବିରୋଧରେ ଉପନିର୍ବାଚନରେ ପ୍ରଚାର କରିବା ସମ୍ପର୍କରେ ସେ କହିଛନ୍ତି ଦଳୀୟକର୍ମୀମାନଙ୍କ ସହ ଆଲୋଚନା କରିବେ, କର୍ମୀମାନେ ଯଦି ନିଷ୍ପତ୍ତି ନେବେ ତେବେ ସେ ବିରୋଧରେ ପ୍ରଚାର କରିବେ । ବିଜେଡିରେ ଯୋଗଦେବା ସମ୍ପର୍କରେ କହିଛନ୍ତି ସେ ପରି କିଛି ସମ୍ଭାବନା ତାଙ୍କର ନାହିଁ । ବିଜେଡି ନେତାମାନଙ୍କ ସହ ସେ କୌଣସି ସମ୍ପର୍କ ରଖିନାହାଁନ୍ତି କିମ୍ବା ତାଙ୍କୁ କେହି ବିଜେଡି ନେତା ଯୋଗାଯୋଗ କରିନାହାଁନ୍ତି ବୋଲି ଅଶୋକ କହିଛନ୍ତି ।
ସେ ପୂର୍ବରୁ ବିଧାୟକ ଥିଲେ । ଏଣୁ ତାଙ୍କର କିଛି ନିଜସ୍ୱ ଭୋଟ ସେ ଅଂଚଳରେ ରହିଛି । ଜନସମର୍ଥନ ମଧ୍ୟ ଅଛି । ସେ ଯଦି ବିଜେପି ବିରୋଧରେ ଯିବେ ତେବେ ବିଜେପିର କିଛି ଭୋଟ ତାଙ୍କ ପାଇଁ କଟିବ ବୋଲି କୁହାଯାଉଛି ।

Comments are closed.