OnaKhabar

ନିଜ ଉପରେ ଜରିମାନା ଲଗାଇଲେ ଜିଲ୍ଲାପାଳ

543

ଔରଙ୍ଗବାଦ:କେନ୍ଦ୍ର ସରକାର ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ଉପରେ ରୋକ ଲଗାଇଥିବା ବେଳେ ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ନେଇ ଦେଖିବାକୁ ମିଳିଛି। ଏ ନେଇ ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେଙ୍କ ନଜରକୁ ଆଣିଥିଲେ ଜଣେ ସାମ୍ୱାଦିକ। ଏହାପରେ ନିଜ କାର୍ଯ୍ୟାଳୟ ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ ନିଜ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ଜିଲ୍ଲାପାଳ। ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। କେଉଁ ନେତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ସେ ବାବଦରେ ସୂଚନା ଦେବାକୁ ଜିଲ୍ଲପାଳ ଗତକାଲି ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀ ଡ଼କାଇଥିଲେ। ଏହି ସମୟରେ ସାମ୍ୱାଦିକଙ୍କୁ ଚା’ ପିଇବାକୁ ଜିଲ୍ଲାପାଳଙ୍କୁ ଅଫିସ ତରଫରୁ ଦିଆଯାଇଥିଲା। ସାମ୍ୱାଦିକ ସମ୍ମିଳନୀ ଶେଷ ହେବା ପରେ ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ୍ ବ୍ୟବହାର ହେଉଥିବା ନେଇ ଜଣେ ସାମ୍ୱାଦିକ ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେଙ୍କ ନଜରକୁ ଆଣିଥିଲେ। ଏହାପରେ ଜିଲ୍ଲପାଳ କିଛି କହିବା ପୂର୍ବରୁ ନିଜ ଉପରକୁ ଦୋଷ ନେଇଥିଲେ। ଏଥିପାଇଁ ସେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ। ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ସାମ୍ୱାଦିକମାନେ ସାଧୁବାଦ ଜଣାଇଛନ୍ତି। ନିର୍ବାଚନ ପରେ ପ୍ଲାଷ୍ଟିକ ବ୍ୟାନ ଉପରେ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେବ ବୋଲି ଜିଲ୍ଲପାଳ କହିଛନ୍ତି। ସୂଚନାଯୋଗ୍ୟ ଗାନ୍ଧି ଜୟନ୍ତରୀରୁ ସାରା ଦେଶରେ ପ୍ଲାଷ୍ଟିକ୍ ବ୍ୟାନ ହୋଇଛି। ଯେଉଁମାନେ ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି ସେମାନଙ୍କ ନିକଟରୁ ପ୍ରଶାସନ ମୋଟା ଅଙ୍କର ଜରିମାନା ଆଦାୟ କରୁଛି।

Comments are closed.