OnaKhabar

ବିଭିନ୍ନ ଉନ୍ନୟନ ଯୋଜନାକୁ ନେଇ ନରସିଂହଙ୍କ ଆଲୋଚନା

259

ବିକାଶମୂଳକ କାମକୁ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା

ବଲାଙ୍ଗିର ( ଦେବାଶିଷ ମିଶ୍ର ): ସ୍ଥାନୀୟ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜିଲ୍ଲାର ବିଭିନ୍ନ ପ୍ରକଳ୍ପକୁ ନେଇ ଏକ ଆଲୋଚନା କରିଥିଲେ | ଆଜିର ଏହି ବୈଠକରେ ଜିଲ୍ଲାରେ ଉନ୍ନୟନ ପ୍ରକଳ୍ପ ଚାଲିଛି ତଥା ନୂଆ ପ୍ରକଳ୍ପ ଆରମ୍ଭ ହେବାର ଅଛି ସେ ବାବଦରେ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଡାକି ସବିଶେଷ ଆଲୋଚନା କରିଥିଲେ | ଆଲୋଚନାରେ ପୂର୍ବ ବିଭାଗ ଦ୍ୱାରା ସହର ମଧ୍ୟରେ ଚାଲିଥିବା ରାସ୍ତା ଗୁଡିକର ସବିଶେଷ ତଥ୍ୟ ନେବା ସହ ତାହାର ଅଗ୍ରଗତି ବାବଦରେ ଉପସ୍ଥିତ ଥିବା ବିଭାଗିୟ ଯନ୍ତ୍ରୀ ଶ୍ରୀ ମହାନନ୍ଦଙ୍କ ଠାରୁ ପଚାରି ବୁଝିଥିଲେ | ପୃଥ୍ବୀରାଜ ହାଇସ୍କୁଲ ପଡିଆରେ କାମ ଚାଲିଥିବା ଇନଡୋର ଏବଂ ଆଉଟଡୋର ଷ୍ଟଡିୟମର ଅଗ୍ରଗତିକୁ ନେଇ ପୂର୍ତ ବିଭାଗ ଯନ୍ତ୍ରୀଙ୍କୁ ତୁରନ୍ତ କାମ ସାରିବାକୁ ନିର୍ଦେଶ ଦେଇଥିଲେ |
ଟେଣ୍ଡର ହୋଇସାରିଥିବା କିଛି ରାସ୍ତା କାମ ଆରମ୍ଭ ହୋଇନଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ଯାହାକିଛି ବାଧାବିଘ୍ନ ଅଛି ସେ ସବୁକୁ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷାକରି ତାର ସମାଧାନର ପନ୍ଥା ବାହାର କରିବାରକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ | ସହର ମଧ୍ୟରେ ନିଶାକାରବାର ବୃଦ୍ଧି ପାଉଥିବାରୁ ତା ବିରୁଦ୍ଧରେ ପୋଲିସ ପ୍ରଶାସନ କିମ୍ବା ଅବକାରୀ ବିଭାଗର ଅଧିକାରୀମାନେ କୌଣସି ଆଖୀଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି | ଏଥିରେ ଅଶୋନ୍ତୋଷ ପ୍ରକାଶ କରି ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ଯେତେ ଶିଘ୍ର ହେବ ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଦିଗରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ |
ଉପସ୍ଥିତ ଥିବା ରାଜସ୍ବ ବିଭାଗ ଅଧିକାରୀମାନଙ୍କୁସି ଯେତେଶିଘ୍ର ହେବ ଗରିବ ତଥା ଭୂମିହୀନମାନଙ୍କୁ ସରକାରୀ ଯୋଜନାରେ ଘର ଡିହ ଏବଂ ବିନାମୁଲ୍ୟରେ ବାସଗୃହ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ | ବିଶେଷ କରି ସହର ମଧ୍ୟରେ ଥିବା ବିଭିନ୍ନ ବନ୍ଧ ପୋଖରୀ ଆଡିରେ ତଥା ମଧ୍ୟରେ ଉଭୟ କଡରେ ଥିବା ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଜାଗାରେ ବିନା ମୁଲ୍ୟରେ ଜମି ଓ ଘର ତିଆରି ପାଇଁ ଆଲୋଚନା ହୋଇଥିଲା | ସହର ମଧ୍ୟରେ ରାସ୍ତାଘାଟ କିମ୍ବା କୌଣସି ଉନ୍ନୟନ ପ୍ରକଳ୍ପ ତିଆରି ସମୟରେ ଜନସ୍ବାସ୍ଥ୍ୟ ବିଭାଗ, ମ୍ୟୁନିସିପାଲିଟି, ପୂର୍ତ ବିଭାଗ ଏବଂ ବିଦ୍ୟୁତ ବିଭାଗ ନିଜ ଭିତରେ ସମନ୍ବୟ ରକ୍ଷା କରିବା ନିତାନ୍ତ ଆବଶ୍ୟକ | ତାହା ହେଲେ ହିଁ ବଲାଙ୍ଗିର ସହର ଏକ ସୁନ୍ଦର ସହରରେ ପରିଣତ ହେବ ବୋଲି ଆଲୋଚନା ହୋଇଥିଲା |ହାତିଶାଳପଡାରୁ ଆସିଥିବା ଲକ୍ଷ୍ମୀଜୋର ବ୍ରିଜ କାମ ଶେଷ ପର୍ଯ୍ୟାୟରେ ଥିଲେ ହେଁ କିଛି ଜବର ଦଖଲ ସମସ୍ୟା ଯୋଗୁ ତାହା ସମ୍ପୂର୍ଣ ହୋଇପାରୁନାହିଁ | ଉପସ୍ଥିତ ଥିବା ଉପ-ଜିଲ୍ଲାପାଳ ସଂଜୟ ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଏବଂ ମ୍ୟୁନିସିପାଲିଟି ଯନ୍ତ୍ରୀ ପୋଲିସ ପ୍ରଶାସନର ସହାୟତା ନେଇ ଅତିଶିଘ୍ର ସମସ୍ୟାର ସମାଧାନ କରିବେ ବୋଲି ବୈଠକରେ ପ୍ରତିଶୃତି ଦେଇଥିଲେ |
ଟ୍ରକ ପାର୍କିଂ ପାଇଁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉପଜୁ ଥିବାରୁ ଟ୍ରକ ଟର୍ମିନାଲ ପାଇଁ ଅନେକ ଥର ପ୍ରଶାସନକୁ ବ୍ୟବସ୍ଥା କରିବାକୁ କୁହାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହେଇପାରୁନାହିଁ | ତେଣୁ ଏ ସମସ୍ୟାର ସମାଧାନ ପାଇଁ ସହର ମଧ୍ୟରୁ ଯେତେଶିଘ୍ର ହେବ ବାହାର ଏରିଆରେ ଟ୍ରକ ଟର୍ମିନାଲ ଏବଂ ସରକାରୀ/ବେସରକାରୀ ବସଷ୍ଟାଣ୍ଡ ସ୍ଥାନାନ୍ତରିତ କରିବାକୁ ଆଲୋଚନା ହୋଇଥିଲା | ସହର ମଧ୍ୟରେ ବେନିୟମ ଭାବରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ତିଆରି ହୋଇଥିବାରୁ ଟାଉନ ପ୍ଲାନିଂ ଅଧିକାରୀଙ୍କୁ ସେ ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ ଏବଂ ସହର ମଧ୍ୟରେ ଏକ ସବୁ ପ୍ରକାର ସୁବିଧା ଥିବା ଅଡିଟରିୟମ ର ଆବଶ୍ୟକତା ରହୁଥିବାରୁ ସେ ଉପରେ ବି ବିଧାୟକ ଶ୍ରୀ ମିଶ୍ର ଯୋଜନା କରୁଥିବା ପ୍ରକାଶ କରିଥିଲେ |
ଆଜିର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଉପ-ଜିଲ୍ଲାପାଳ ସଂଜୟ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଡ. ମହେଶ୍ବର ସ୍ୱାଇଁ , ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି, ପୂର୍ତ୍ତ  ବିଭାଗ ଯନ୍ତ୍ରୀ ଶ୍ରୀ ମହାନନ୍ଦ, ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ , ମ୍ୟୁନିସିପାଲିଟି ଯନ୍ତ୍ରୀ , ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ , ଶିକ୍ଷା ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ |

Comments are closed.