OnaKhabar

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବୃହତ ଖଣିଗୁଡିକୁ ନିଜ ଅଧିନରେ ରଖନ୍ତୁ – ନିରଞ୍ଜନ ପଟ୍ଟନାୟକ

581

ଭୁବନେଶ୍ୱର : ସଂପ୍ରତି ରାଜ୍ୟରେ ୨୦୨୦ ମାର୍ଚ୍ଚ ୩୧ ରିଖ ପୂର୍ବରୁ ପାଖାପାଖି ୨୦ଟି ଖଣିର ନିଲାମ ନିମନ୍ତେ ରାଜ୍ୟ ସରକାର ଖଣି ଏବଂ ଖଣିଜ ସଂପଦ ବିକାଶ ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୫୭କୁ ଆଳ କରି ବିଜ୍ଞପ୍ତି ପ୍ରକାଶ କରିବାରେ ଲାଗିଛନ୍ତି ।
ପ୍ରକାଶଥାଉକି ଉକ୍ତ ଲୁହାପଥର ଖଣିଗୁଡିକ ୫୦ ବର୍ଷରୁ ପ୍ରାୟ ଉଦ୍ଧ୍ୱର୍ ହେବ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ଖଣି ମାଲିକମାନେ ଖଣିଗୁଡିକୁ ବିକଶିତ କରି ନିଜସ୍ୱ ଉଦ୍ୟୋଗ ବିନା ଖଣି ବ୍ୟବସାୟ କରି ଆସୁଛନ୍ତି । ଉକ୍ତ ଖଣି ଗୁଡିକରେ ନିର୍ଦ୍ଦିଷ୍ଟ ପରିମାଣରେ ଗଚ୍ଛିତ ଖଣିଜ ସଂପଦକୁ ନୂଆ କରି ନିଲାମ କରି ନୂତନ ଖଣି ମାଲିକଙ୍କ ଅକ୍ତିଆରରେ ପରିଚାଳନା ମୂଲ୍ୟହୀନ ସଦୃଶ । ଅପରପକ୍ଷେ ରାଜ୍ୟରେ ନୂତନ ଲୁହାପଥର ଖଣିଗୁଡିକୁ ଯଥାଶୀଘ୍ର ଚିହ୍ନଟ କରିବା ସହ ଏହାକୁ ବିକଶିତ କରିବା, ସମସ୍ତ ଆଇନଗତ ଅନୁମତି ପାଇବା ଯଦିଓ ବହୁ ଅର୍ଥ ବ୍ୟୟ ଓ ସମୟ ସାପେକ୍ଷ ମାତ୍ର ଗଢି ଉଠିଥିବା ଶିଳ୍ପକୁ କଂଚାମାଲ ଯୋଗାଇ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଇ ପାରିବେ ।
ଏମ୍.ଏମ୍.ଡି.ଆର. ଅଧିନିୟମ ୧୯୫୭ ଅଧିନସ୍ଥ ନିୟମାବଳୀକୁ ବିଶ୍ଳେଷଣ କରାଗଲେ ରାଜ୍ୟ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ପାଇଁ ମଧ୍ୟ ଖଣିକୁ ସଂରକ୍ଷିତ କରିପାରିବେ । ଏହା ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର କରେ । ଅବିକଶିତ ନୂତନ ଖଣିଗୁଡିକୁ ରାଜ୍ୟ ସରକାର ଘରୋଇ ଖଣି ବ୍ୟବସାୟୀମାନଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରାଇ ନିଲାମ ଡାକି ନିର୍ଦ୍ଧାରିତ ସମୟ ଅବଧି ପରେ ରାଷ୍ଟ୍ରାୟତ ଉଦ୍ୟୋଗ ହାତକୁ ଦେଇ ପାରିବେ । ଯଦ୍ୱାରା ରାଜ୍ୟରେ ଗଢି ଉଠିଥିବା ଶିଳ୍ପ ଓ ସହଯୋଗୀ ଶିଳ୍ପସଂସ୍ଥା କଂଚାମାଲ ପାଇବାରୁ ବଂଚିତ ହେବେନାହିଁ ଏବଂ ନିରାପଦ ଓ ନିର୍ଭୟରେ ଖଣି ବ୍ୟବସାୟ କରିବାରେ କୌଣସି ଅନ୍ତରାୟ ସୃଷ୍ଟି ହେବନାହିଁ ।
ରାଜସ୍ଥାନ ଓ ଗୁଜରାଟ ସରକାରଙ୍କ ପରି ରାଜ୍ୟ ସରକାର ସ୍ୱଳ୍ପ ଖର୍ଚ୍ଚରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ଅନୁବନ୍ଧିତ କଲେ ଅଧିକ ଆୟ କରିବା ସହ ରାଜ୍ୟ ରାଜସ୍ୱକୁ ବୃଦ୍ଧି କରିପାରିବେ । ଉପରୋକ୍ତ ଦିଗଗୁଡିକୁ ରାଜ୍ୟ ସରକାର ରାଜ୍ୟବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ପୁନଃବିଚାର କଲେ ସମସ୍ତଙ୍କର ମଙ୍ଗଳ ହୋଇପାରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ଏ ଦିଗରେ ପ୍ରଯତ୍ନ ହେବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

Comments are closed.