OnaKhabar

ବିଜେପୁର :୧୦ ପରେ ହେବ ଜୋରଦାର ପ୍ରଚାର

339

ଭୁବନେଶ୍ୱର : ଆସନ୍ତା ୧୦ ତାରିଖ ପରେ ଅର୍ଥାତ୍ ଦୁର୍ଗା ପୂଜା ଶେଷ ପରେ ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ କିନ୍ତୁ ବିଜେପୁର ନ ଛାଡିବା ପାଇଁ ନିର୍ବାଚନ ନେତା, ଦଳର ବିଧାୟକ ଓ ସାଂସଦଙ୍କୁ ନିର୍ଦେଶ ଦେଇଛନ୍ତି। ବରଂ ସ୍ଥାନୀୟ ଲୋକଙ୍କ ସହିତ ଦୁର୍ଗାପୂଜା ପାଳିବାକୁ କୁହାଯାଇଛି। ଏପଟେ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କର କହିବା କଥା ହେଉଛି, ଦଶହରା କାରଣରୁ ଜାତୀୟ ସ୍ତରର ନେତାମାନେ ଅନ୍ୟତ୍ର ବ୍ୟସ୍ତ ରହିଛନ୍ତି। ହେଲେ ଉପନିର୍ବାଚନ ପ୍ରଚାର ପାଇଁ ବିଜେପିର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସ୍ମୃତି ଇରାନି ଆସିବା ଚୂଡ଼ାନ୍ତ ହୋଇଛି। ପୂଜାଛୁଟି ସରିବା ମାତ୍ରେ ପ୍ରଚାର କାର୍ଯ୍ୟକୁ ବିଜେପୁରରେ ବିଜେପି ଜୋରଦାର କରିବ। ଆଉ କେଉଁ ନେତା ବିଜେପୁର ଆସିବେ, ତାହା ବି ସ୍ଥିର କରାଯିବ।
ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପୁରକୁ ପ୍ରଚାର କାର୍ଯ୍ୟରେ ଏଆଇସିସିରୁ କେଉଁ ନେତା ଆସିବେ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଆସନ୍ତା ୧୦ ତାରିଖ ପରେ ଏ ନେଇ ଆଲୋଚନା କରାଯିବ। ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ସାଧାରଣ ସଭା ପାଇଁ କେଉଁ ନେତାମାନେ ଯୋଗଦେବା ଆବଶ୍ୟକ ଅଛି ସେ ବାବଦରେ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ନିଷ୍ପତ୍ତି ନେଇ ଜଣାଇବେ। ସେହି ଅନୁଯାୟୀ, ରାଜ୍ୟସ୍ତରୀୟ ନେତାମାନେ ବିଜେପୁରରେ ପହଞ୍ଚି ପ୍ରଚାର କାର୍ଯ୍ୟ ଓ ସଭାରେ ଯୋଗଦେବେ।

Comments are closed.