OnaKhabar

ଧର୍ମେନ୍ଦ୍ରଙ୍କ ବଡ଼ ଖୁଲାସା

2,489

ଭୁବନେଶ୍ୱର (ଓଏନଏ): ବିଜେପି-ବିଜେଡି ସମ୍ପର୍କକୁ ନେଇ ଢ଼େର ଦିନ ହେଲା ଚର୍ଚ୍ଚା ଜାରିରହିଛି । ଏଥର ନିର୍ବାଚନ ପରେ ବିଜେଡି ଯେଉଁଭଳି ଭାବରେ ବିଭିନ୍ନ ଘଟଣାରେ ବିଜେପିକୁ ସମର୍ଥନ ଦେଇଚାଲିଛି ତାହା ପରେ ଏହି ସନ୍ଦେହ ଦେଖାଦେଇଛି । ଏ ସମ୍ପର୍କରେ ଓଡ଼ିଶା ବିଜେପିର ଅଘୋଷିତ ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ଖୁଲାସା କରିଛନ୍ତି । ସେ ଆଉ ଏହି ସମ୍ପର୍କକୁ ନେଇ ଆଉ କିଛି ଲୁଚାଛପା ରଖି ନାହାଁନ୍ତି । ସିଧାସଳଖ କହିଛନ୍ତି ସେ ଆଉ ସାଢ଼େ ୪ ବର୍ଷ ଧରି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯିବେ ନାହିଁ । ନିର୍ବାଚନ ହେବାକୁ ୬ ମାସ ଥିବ ସେ ନବୀନଙ୍କ ବିରୋଧରେ ସ୍ୱର ଉଠାଇବେ । ଧର୍ମେନ୍ଦ୍ରଙ୍କ ଏହି ରାଜନୀତି ଗୋଟି ଚାଳନା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ବିଜେଡି ବିରୋଧରେ ବିଜେପି ଏବେ ସେପରି କିଛି ଠୋସ କାର୍ଯ୍ୟକ୍ରମ ଗ୍ରହଣ କରିବ ନାହିଁ । ଯଦିଓ ଲୋକେ ସେମାନଙ୍କୁ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି । ଏକଥାକୁ ଯଦି ଅଧିକ ତର୍ଜମା କରାଯାଏ ତେବେ ବିଜେପି ବର୍ତ୍ତମାନ ଯେଉଁସବୁ ଘଟଣାରେ ବିଜେଡିକୁ ବା ସରକାରଙ୍କୁ ସମାଲୋଚନା କରୁଛନ୍ତି ତାହା ଔପଚାରିକତା ଦୃଷ୍ଟିରୁ ବିରୋଧୀ ଭୂମିକା ଗ୍ରହଣ କରିବା ପାଇଁ ବିରୋଧ କରୁଛନ୍ତି । ଏହା ପଛରେ ସେପରି ଆନ୍ତରିକତା ନାହିଁ । କେବଳ ଜନ ମତକୁ ଦୃଷ୍ଟିରେ ରଖି ବିରୋଧ କରିବାକୁ ବାଧ୍ୟ ହେଉଛନ୍ତି ।
ସମ୍ବାଦ ଓ କନକ ନ୍ୟୁଜର ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ଧର୍ମେନ୍ଦ୍ର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲା ବେଳେ ଏହି ‘ସମ୍ପର୍କ’ ନେଇ ସେ ତାଙ୍କ ମତ ରଖିଥିଲେ । ଖବର କାଗଜରେ ହେଡ ଲାଇନ ହେବ ଯେ, ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ଏଭଳି ଭାବରେ କଟୁ ଶବ୍ଦରେ ସମାଲୋଚନା କଲେ । ଏଥିପାଇଁ ନିର୍ବାଚନ ସମୟ ଆସୁ । ୬ ମାସ ଖଣ୍ଡେ ଲାଗିବା ସେଥିରେ । ଅମର ବାବୁ ତାଙ୍କ କାମରେ ଲାଗିଯିବେ, ଆମେ ଆମ କାମରେ ଲାଗିଯିବୁ । ତୁଷାର ଆମ ପଟରେ ଥିଲା ସେପଟେ ଯାଇଁ ମନ୍ତ୍ରୀ ହୋଇଛନ୍ତି । ଆରଥରକୁ ଆମ ପଟକୁ ଆସିଯାଇ ପାରେ । ଏ ପ୍ରତି ଯୋଗିତା ଆରଥରକୁ ଦେଖିବା । ଏ ପ୍ରତିଯୋଗିତା ନିର୍ବାଚନ ୬ ମାସ ଖଣ୍ଡେ ଥିବ ଦେଖିବା । କିନ୍ତୁ ଆମେ ଅଲଗା ଚିନ୍ତାଧାରା ଓ ବିଚାରାଧାରାକୁ ନେଇ କାର୍ଯ୍ୟ କରିବା, ଓଡ଼ିଶାକୁ କିପରି ଆଗକୁ ନେବା । ଏଥିନେଇ ବିଜେପି ପାଖରେ ସ୍ପଷ୍ଟତା ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନକୁ ବିନିଯୋଗ କରି ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ଶକ୍ତିଶାଳୀ ରାଜ୍ୟ କରିବାରେ ଆମର ଲକ୍ଷ୍ୟଅଛି । ଆମେ ଆମକଥାକୁ ନେଇକି ଆଗୋଉଛୁ । ବିଜେଡି ତା କଥା ନେଇ ଆଗୋଉଛି । ଏଥର ଓଡ଼ିଶାରେ ଗୋଟିଏ ମିଶ୍ର ଭୋଟ ହୋଇଛି, ଆମେ ଡବଲ ଇଞ୍ଜିନ କଥା ନେଇ ନିର୍ବାଚନ ଲଢ଼ୁଥିଲୁ । ଲୋକେ ସେ କଥାକୁ ଗ୍ରହଣ କଲେନାହିଁ । କହିଲେ ଅଧା ଇଞ୍ଜିନ ନିଅ, ଅଧା ଇଞ୍ଜିନ ଆମେ ଏଠାରେ ରଖିବୁ ।’
ଏଥର ନିର୍ବାଚନ ପୂର୍ବରୁ ଯେଉଁଭଳି ଭାବରେ ବିଜେପି-ବିଜେଡି ମଧ୍ୟରେ ତିକ୍ତ ଧାରା ସୃଷ୍ଟି ହୋଇଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ରାତି ପାହିଲେ ଦୁଇ ଦଳ ଭିତରେ ଯେଉଁଭଳି ଝଗଡ଼ା ଓ କାଦୁଅ ଫିଙ୍ଗା ଚାଲୁଥିଲା ତାହା ଦେଖିଲେ ଯେ କେହି ତାଜୁବ ହେଉଥିଲା । ଏହାକୁ ଦେଖି ବିଜେପି ପ୍ରକୃତରେ ବିରୋଧୀ ଭୂମିକା ନିର୍ବାହ କରିବ ବୋଲି ଲୋକଙ୍କର ବିଶ୍ୱାସ ଆସିଲା । କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ରାଜ୍ୟରେ ଥିଲେ ବି ସେଭଳି ଭୂମିକା ଗ୍ରହଣ କରିପାରିଲା ନାହିଁ । ଦଳରେ ନେତାଙ୍କ ମଧ୍ୟରେ ଏଭଳି କଳି ଲାଗିଲା ସେଥିରୁ ନେତାମାନେ ବାହାରି ଲୋକଙ୍କ କଥା ଚିନ୍ତା କରିବା ପାଇଁ ଆଉ ସମୟ ମିଳିଲା ନାହିଁ । ଫଳରେ ଲୋକଙ୍କ ଭରଷା କଂଗ୍ରେସ ଉପରୁ ତୁଟିଗଲା । ରସାତଳକୁ ଗଲା କଂଗ୍ରେସ । କଂଗ୍ରେସକୁ ହଟାଇ ଲୋକେ ବିଜେପିକୁ ଆଗକୁ ଆଣିଲେ । ବିରୋଧୀ ଗାଦିରେ ବସାଇଲେ ।
କିନ୍ତୁ ନିର୍ବାଚନ ପରେ ହଠାତ ସ୍ଥିତି ବଦଳିଗଲା । ପରସ୍ପରକୁ ଏବେ ସହଯୋଗ କରିବାରେ ଲାଗିଛନ୍ତି । ଯାହା କେବେ ହେଉ ନ ଥିଲା ତାହା ହେଉଥିବା ଦେଖାଯାଉଛି । ରାଜନୀତିରେ ଏଭଳି ପଟ ପରିବର୍ତ୍ତନ ହୁଏ ତାହା ମଧ୍ୟ ଦେଖି ଅନେକ ପୁରୁଖା ନେତା ଆଶ୍ଚର୍ଯ୍ୟ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଘଟଣାରେ ସହଯୋଗ ଲୋଡୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ଦ୍ୱଧାରେ ତାହା ଯୋଗାଇ ଦେଉଛନ୍ତି । ଉଭୟଙ୍କ ସମ୍ପର୍କ ଏବେ ବେଶ ନିବିଡ ହୋଇଛି । କୌଣସି କେନ୍ଦ୍ରୀୟ ନେତା ଆଉ ବିଜେଡି ବିରୋଧରେ ସ୍ୱର ଉଠାଉନାହାଁନ୍ତି । ଏପରି କି ଯେଉଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ମାଟିରେ ପାଦ ଦେବା ପରଠାରୁ ଦିଲ୍ଲୀଫେରିବା ପର୍ଯ୍ୟନ୍ତ ପ୍ରତି କଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଥିଲେ ଆଉ ତାହା ଦେଖାଯାଉନାହିଁ । ଏବେ ସେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି ।
ଧର୍ମେନ୍ଦ୍ରଙ୍କ ଏହି ପରିବର୍ତ୍ତନ ନେଇ ଅନେକ ପ୍ରଶ୍ନ ଉଠିଛି । ଏହାକୁ ନେଇ ବହୁ ସମାଲୋଚନା ମଧ୍ୟ ହେଉଛି । ଏହା ଭିତରେ ଏବେ ଧର୍ମେନ୍ଦ୍ରଙ୍କ ମତ ସବୁ କିଛିକୁ ସ୍ପଷ୍ଟ କରିଛି । ସେ ଏବେ ଆଉ ନବୀନଙ୍କ ବିରୋଧରେ ସ୍ୱର ଉଠାଇବେ ନାହିଁ ବୋଲି ସଫା କହିଦେଇଛନ୍ତି । ବର୍ତ୍ତମାନ ଯେଉଁ ବିରୋଧାଭାବ ଉଭୟ ପକ୍ଷ ଭିତରେ କରାଯାଉଛି ତାହା କେବଳ ଔପଚାରିକ ବୋଲି ଧର୍ମେନ୍ଦ୍ରଙ୍କ ମତରୁ ସ୍ପଷ୍ଟ ହେଉଥିବା ଆଲୋଚନା ହେଉଛି ।

Comments are closed.