OnaKhabar

ମୋଦି ଓ ନବୀନଙ୍କୁ ସୌମ୍ୟଙ୍କ ନିଶାନ

1,999

ଭୁବନେଶ୍ୱର (ଓଏନଏ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡ଼କୁ ବରିଷ୍ଠ ବିଜେଡି ନେତା ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ କଟାକ୍ଷ ଏବେ ରାଜନୈତିକ ମହଲରେ ଚର୍ଚାର ବିଷୟ ହୋଇଛି। ସୌମ୍ୟରଂଜନ ଯେଉଁଭଳି ଭାବରେ ତାଙ୍କ ମତକୁ ଉପସ୍ଥାପନ କରିଛନ୍ତି ସେଥିରେ ସେ ସୁଚାଇଛନ୍ତି ଏହି ଦୁଇ ନେତା ସମାଲୋଚନାକୁ ବରଦାସ୍ତ କରୁନାହାଁନ୍ତି। ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ରାଜନୀତିରେ ଭିନ୍ନମତକୁ ସମ୍ମାନ ଦେବା ହେଉଛି ଗଣତନ୍ତ୍ର ମୂଳମନ୍ତ୍ର। ହେଲେ ଉଭୟ ମୋଦି ଓ ନବୀନ ଭିନ୍ନ ମତକୁ ବରଦାସ୍ତ କରିବା ବଦଳରେ ଚପାଇ ଦେଉଛନ୍ତି ବୋଲି ସେ କହିଛନ୍ତି।
ସୌମ୍ୟରଂଜନଙ୍କ ପରିଚାଳନାରେ ପ୍ରକାଶିତ ସମ୍ବାଦ ଓ କନକନ୍ୟୁଜ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ତାଙ୍କ ମତ ରଖିଲା ବେଳେ ଏଭଳି କିଛି ସୂଚନା ଦେଇଛନ୍ତି ଯାହା ଉଭୟ ବିଜେପି ଓ ବିଜେଡି ମୁଖ୍ୟଙ୍କୁ ଜନସାଧାରଣ ସନ୍ଦେହ ସୃଷ୍ଟି ଦେଖିବେ । ଅନ୍ୟ ପଟରେ ଗଣମାଧ୍ୟମ ଆଉ ଏମାନଙ୍କ ପାଇଁ ସମ୍ପୂର୍ଣ ନିରପକ୍ଷ ହୋଇପାରୁ ନାହାଁନ୍ତି ବୋଲି ସେ ପରୋକ୍ଷରେ ସୂଚାଇଛନ୍ତି। ଗଣମାଧ୍ୟମ ଆଜି ରାଜନେତାଙ୍କ ଚାପରେ କବଳିତ। କେହି ମୁହଁ ଖୋଲି କିଛି କହିବା ସ୍ଥିତିରେ ନାହାଁନ୍ତି। କହିଲେ ବିପଦରେ ପଡ଼ିବେ। ସୌମ୍ୟରଂଜନ ତାଙ୍କ ମତ ରଖିଲା ବେଳେ କହିଛନ୍ତି “ଭିନ୍ନମତ ଗଣତନ୍ତ୍ରର ଏକ ଶକ୍ତି। କିନ୍ତୁ ଆମ ଗଣତନ୍ତ୍ରରେ ଭିନ୍ନମତକୁ ବରଦାସ୍ତ କରିବାର ମାନସିକତା କ୍ରମେ ହ୍ରାସ ପାଉଛି। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ହୋଇଥିଲେ ମଧ୍ୟ ଅନ୍ୟ ୩ ସ୍ତମ୍ଭ ତାହାକୁ ଭାଙ୍ଗିବାକୁ ବସିଲେଣି। ପ୍ରଧାନମନ୍ତ୍ରୀ ଯାହା ଦେଖୀପାରୁ ନାହାଁନ୍ତି, ମୁଖ୍ୟମନ୍ତ୍ରୀ ଯାହା ଶୁଣିପାରୁ ନାହାଁନ୍ତି ତାହା ସେମାନଙ୍କୁ ଦେଖାଇବାର ବା ଶୁଣାଇବାର କାମ ଗଣମାଧ୍ୟମର ରହିଛି।” ଏହି କଥା କହି ସୌମ୍ୟରଂଜନ ଦର୍ଶାଇ ଦେଇଛନ୍ତି ଯେ , ଏହି ଉଭୟ ନେତା ବିରୋଧାଭାବକୁ ଦେଖିବା କିମ୍ବା ଶୁଣିବାସ୍ଥିତିରେ ନାହାଁନ୍ତି।
ସେ ଆହୁରି କହିଛନ୍ତି, “ସୂଚନାକୁ ବିତରଣ କରିପାରିଲେ ସମସ୍ତଙ୍କ ପାଖରେ ସବୁକଥା ପହଂଚି ପାରିଲେ ସେମାନେ ମତ ନିର୍ମାଣ କରିପାରିବେ। କିନ୍ତୁ କେଜାଣି କାହିଁକି ମତ ଏକ କରିବା ପାଇଁ ଯେଉଁ ସହମତିର ଆବଶ୍ୟକତା ଅଛି, ଯେଉଁ ସହମତି ପାଇଁ ଆମେ ମତ ବିତରଣ କରିବାକୁ ଚେଷ୍ଟା କରୁଛୁ ସେ ମତକୁ ବିଭିନ୍ନ ଦୃଷ୍ଟିକୋଣରୁ ଅନ୍ୟମାନେ ବିଚାର କରୁଛନ୍ତି। ଯାହାକୁ ଯେଉଁ ମତ ନ ଶୁହାଇଲା ତାହା ଯେପରି ପ୍ରକାଶ ନ ପାଇବ ସେଥିପାଇଁ ଚାପ ପ୍ରୟୋଗ କରିବାରେ ଆମେ କେହି ନିଜ ନିଜ କ୍ଷେତ୍ରରେ କୁଣ୍ଠାବୋଧ ପ୍ରକାଶ କରୁନାହୁଁ। ମୁଁ କେବଳ ଏତିକି ବିନମ୍ରତାର ସହିତ କହିବାକୁ ଚାହେଁ ଯେ , ଭିନ୍ନମତକୁ ସମ୍ମାନ ଦେଲେ, ଅଳ୍ପମତକୁ ସମ୍ମାନ ଦେଲେ, ଅନ୍ୟମତକୁ ସମ୍ମାନ ଦେଲେ ନିଜ ମତର ପରକାଷ୍ଟା ସମ୍ପର୍କରେ ଯେଉଁ ଅସ୍ମିତା ଅଛି, ବିଶ୍ୱାସ ଅଛି ତାହା ଅତ୍ୟନ୍ତ ସମୃଦ୍ଧ ହେବ ସିନା ଦୂର୍ବଳ ହେବନାହିଁ।”
ଏହି ଅବସରରେ ସୌମ୍ୟରଂଜନ ତାଙ୍କ ଖବରକାଗଜର ସମ୍ପଦକୀୟ ନୀତି ସମ୍ପର୍କ ମଧ୍ୟ ଖୁଲାସା କରିଛନ୍ତି। ସେ ନିରପକ୍ଷ ନୁହଁନ୍ତି, ପକ୍ଷ ଭୁକ୍ତ ବୋଲି ଖୋଲାଖୋଲି କହିଛନ୍ତି। ଆମ ସମ୍ପାଦକୀୟ ନୀତି ହୋଇଛି ଯେ , “ନିରପକ୍ଷ ନ ହୋଇ ପକ୍ଷଭୁକ୍ତ ହେବୁ।”
ଏହି କାର୍ଯ୍ୟକ୍ରମରେ ଉଭୟ ବିଜେପି-ବିଜେଡିର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଉପସ୍ଥିଥିଲେ। ସରକାରୀ ଅଧିକାରୀମାନେ ବି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏ ସମସ୍ତଙ୍କୁ ଜଣାଇବା ପାଇଁ ସୌମ୍ୟରଂଜନ ତାଙ୍କ ମତ ରଖିଥିଲେ। ବାସ୍ତବିକ ସୌମ୍ୟରଂଜନଙ୍କ ଏହି ବକ୍ତବ୍ୟ ପଛରେ ସୁଦୂର ପ୍ରସାରୀ ପ୍ରଭାବ ରହିଛି। ସେ ଜଣାଇ ଦେଇଛନ୍ତି ଯେ , ଉଭୟ ବିଜେପି ଓ ବିଜେଡି ମୁଖିଆ ଯେଉଁ ଧାରାରେ ଚାଲୁଛନ୍ତି ତାହା ଠିକ ନୁହଁ। ଗଣତନ୍ତ୍ର ପ୍ରତି ଏଭଳି ମନୋଭାବ ବିପଦ ବୋଲି ସେ ସୂଚାଇଛନ୍ତି। ଗଣତନ୍ତ୍ରର ସୁରକ୍ଷାକାରୀ ଯଦି ବ୍ୟବସ୍ଥାକୁ ବିଗାଡ଼ିବେ ତେବେ ସୁରକ୍ଷା ଦେବ କିଏ। ଲୋକଙ୍କ ମନରେ ଏହି ପ୍ରଶ୍ନ ଉବେ ଉଠିଛି। ସୌମ୍ୟରଂଜନ କେବଳ ଜଣେ ଖବରକାଗଜ ସମ୍ପାଦକ ନୁହଁନ୍ତି, ସେ ବିଜେଡିର ଜଣେ ଆଗଧାଡ଼ିର ନେତା ମଧ୍ୟ । ରାଜ୍ୟସଭା ସାଂସଦ ପଦ ଛାଡ଼ି ସେ ବିଧାୟକ ହୋଇଛନ୍ତି। ବିଜେଡିରେ ତାଙ୍କର ବେଶ ପ୍ରଭାବ ରହିଛି। ରାଜନୀତିକୁ ସେ ପାଖରୁ ଦେଖି ଆସିଛନ୍ତି। ଏଣୁ ଉଭୟ ଦଳର ମୁଖିଆଙ୍କ ସମ୍ପର୍କ ତାଙ୍କର ଏହି ମତ ବେଶ ପ୍ରଣୀଧାନେଯାଗ୍ୟ ବୋଲି କୁହାଯାଉଛି।

Comments are closed.