OnaKhabar

ସୌମ୍ୟଙ୍କୁ ରାଜନୀତି ଛଡ଼ାଇବାକୁ ଧର୍ମେନ୍ଦ୍ରଙ୍କ ପ୍ରୟାସ

1,908

ଭୁବନେଶ୍ୱର (ଓଏନଏ): ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ରାଜନୀତି ଛଡ଼ାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗ୍ରହ ଅଧିକ । ସମ୍ବାଦ-କନକଟିଭିର ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ଧର୍ମେନ୍ଦ୍ର ଏଭଳି ଏକ ପ୍ରସ୍ତାବ ଅନୁରୋଧ କରି ସୌମ୍ୟଙ୍କ ଆଗରେ ରଖିବା ଘଟଣା ଏବେ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶାର ବିକାଶ ଆଳରେ ଧର୍ମେନ୍ଦ୍ର ସୌମ୍ୟଙ୍କ ଆଡ଼କୁ ଯେଉଁ ବଲ ଗଡ଼ାଇଛନ୍ତି ତାହା ପଛରେ ସୁଦୁର ପ୍ରସାରୀ ଅଭିସନ୍ଧି ରହିଥାଇପାରେ ବୋଲି ଅନକେ ମତ ଦେଉଛନ୍ତି । ବହୁ ସାମ୍ବାଦିକ ଓ ଖବର କାଗଜମାଲିକ ଦେଶରେ ରାଜନୀତି କରୁଥିବାର ନଜିର ରହିଛି । ସୌମ୍ୟରଂଜନ ଯେ, ଏଥିରେ ବ୍ୟତିକ୍ରମ ଏକଥା ନୁହେଁ । ହେଲେ ଧର୍ମେନ୍ଦ୍ର କାହିଁକି ତାଙ୍କୁ ରାଜନୀତିରୁ ସନ୍ୟାସ ନେବା କଥା କହିଲେ, ତାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା । ଧର୍ମେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କ ମତ ରଖିବା ସମୟରେ କହିଛନ୍ତି “ଆଜି ବିନମ୍ରମତାର ସହ, ଜନ୍ମ ଦିନ ଅବସରରେ ସାର୍ବଜନୀନ ଭାବେ ମୁଁ କହିବାକୁ ଚାହୁଁଛି ମାନ୍ୟବର ସୌମ୍ୟରଂଜନ ପଟ୍ଟନାୟକ ବଡ଼ ବ୍ୟକ୍ତିତ୍ୱ । ତାଙ୍କ ବିବେକ, ତାଙ୍କ ବିଚାର, ତାଙ୍କ ନିଷ୍ପତ୍ତି ତାଙ୍କର । ସଭ୍ୟ ସମାଜରେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ନ ଦେଇ ମୋର ବିକଳ୍ପ ନାହିଁ । କେବେ କେବେ ମୋତେ ଲାଗେ ଯଦି ସୌମ୍ୟବାବୁ ମାନେ ଏମଏଲଏ, ଏମପି ହବାର ମୋହରୁ ମୁଁ ଧୃଷ୍ଟତା ଏ ଶବ୍ଦ ଲଗାଇ କହୁଛି ସମ୍ବାଦ ପତ୍ରର କେବଳ ଏଡିଟର ହୋଇଥାନ୍ତେ, ହୁଏତ ମୋ ରାଜ୍ୟ ଆହୁରି ଆଗକୁ ସମ୍ଭାବନା ଆଡ଼କୁ ଯାଇଥାନ୍ତା । ମୋତେ ଓଡ଼ିଆ ଭାବେ ଲାଗେ ।”
ସୌମ୍ୟଙ୍କ ପ୍ରତି ଧର୍ମେନ୍ଦ୍ର ଏ କଥା ପଦାକୁ ଆସିଲା ପରେ ତାକୁ ନେଇ ବିଭିନ୍ନ ମହଲରେ ଅନେକ କଥା କୁହାଯାଉଛି । ସୌମ୍ୟରଂଜନ ଯେତେବେଳେ ବିଜେଡିରେ ଯୋଗ ଦେଇ ନ ଥିଲେ ସେତେବେଳେ ତାଙ୍କ ଦ୍ୱାରା ସମ୍ପାଦିତ ଖବର କାଗଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବେଶ ଗର୍ଜୁଥିଲା । ସରକାରଙ୍କର ଛୋଟବଡ଼ ଯେତେସବୁ ତ୍ରୁଟି ରହୁଥିଲା ତାକୁ ଆଣି ସମାଲୋଚନାରେ ପୋତି ପକାଉଥିଲା । ନବୀନ ସରକାରଙ୍କୁ ଏଭଳି ଭାବରେ ପଦାରେ ପକାଉଥିଲେ ଯାହା ଅନେକ ସମୟରେ ବିଜେଡିକୁ ବେଶ ଅଡୁଆ ପରିସ୍ଥିତିର ମୁକାବିଲା କରିବାକୁ ପଡୁଥିଲା । ରାଜ୍ୟରେ ପ୍ରମୁଖ ବିରୋଧୀ ଭୂମିକା ଗ୍ରହଣ କରିବାରେ ସୌମ୍ୟଙ୍କ ଖବର କାଗଜ ଆଗରେ ଥିଲା । ଅବଶ୍ୟ ରାଜ୍ୟରେ ଅନ୍ୟ ଗଣମାଧ୍ୟମ ରହିଛି କିନ୍ତୁ ସେଥିରେ ଯେଉଁମାନେ ପ୍ରମୁଖ ଭୂମିକାରେ ଅଛନ୍ତି ସେମାନଙ୍କ ଭିତରୁ ଅନେକ ବିଜେଡି ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ । ଏଣୁ ସେମାନଙ୍କ ସ୍ୱର ସ୍ୱଭାବିକ ଭାବେ ସରକାର ବିରୋଧରେ ଯାଇ ନ ଥାଏ । କିନ୍ତୁ ସୌମ୍ୟରଂଜନ ଯେତେବେଳେ ବିଜେଡିରେ ଯୋଗଦେଲେ ତାହା ପରଠାରୁ ଆଉ ସରକାରୀ ବିରୋଧରେ ସେପରି ଶାଣିତ ସ୍ୱର ଶୁଭୁନାହିଁ ।

ବିଜେପି ଏଥର କ୍ଷମତାକୁ ଆସିବା ପାଇଁ ବହୁ ଉଦ୍ୟମ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଏଥିପାଇଁ ଦଳର ନେତୃତ୍ୱ ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଦାୟିତ୍ୱ ପୁରାପୁରି ଧର୍ମେନ୍ଦ୍ରଙ୍କ ଉପରେ ଛାଡ଼ି ଦେଇଥିଲେ । କିନ୍ତୁ ବିଜେପି ଓଡ଼ିଶାରେ ୩ ନମ୍ବରରୁ ଆସି ୨ ନମ୍ବରରେ ପହଂଚିବାରେ ସଫଳ ହୋଇଥିଲେ ବି ନବୀନଙ୍କୁ ହଟାଇବାରେ ଫେଲ ମାରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଓଡ଼ିଶା ଆସି ନବୀନଙ୍କ ବିରୋଧରେ ଯେତେସବୁ ଗର୍ଜନ କରିଥିଲେ ତାହା ବିଫଳ ହୋଇଥିଲା । ରାଜନୀତିରେ ଜନମତ ସୃଷ୍ଟି କରିବା ପାଇଁ ଗଣମାଧ୍ୟମର ଏକ ପ୍ରମୁଖ ଭୂମିକା ରହିଛି । ଏଣୁ ଗଣମାଧ୍ୟମ ଯଦି ସରକାରଙ୍କ ବିରୋଧରେ ଚୁପ ହୋଇଯାଏ ତାହାହେଲେ ଭିନ୍ନ ବାର୍ତ୍ତାଯିବ । ନିର୍ବାଚନ ସମୟରେ ବିଜେପି ଯାହା ସବୁ କହିଲା ତାହା ବିରୋଧୀ ଭାବରେ ସମାଲୋଚନା କରୁଥିବା କଥା ଲୋକେ ଭାବିଲେ । ଅନ୍ୟ ପଟରେ ବୈଜୟନ୍ତ ପଣ୍ଡା ବିଜେଡିରୁ ଗଲା ପରେ ତାଙ୍କ ଗଣମାଧ୍ୟମ ଯାହା ସବୁ କହିଲା ତାହା ଉପରେ ମଧ୍ୟ ଲୋକଙ୍କ ସମ୍ପୂର୍ଣ୍ଣ ଭରଷା ଆସିଲା ନାହିଁ । ବୈଜୟନ୍ତ ବିଜେଡି ଛାଡ଼ିଥିବାରୁ ତାଙ୍କ ଗଣମାଧ୍ୟମ ଯାହା କହିଲେ ବି ତାକୁ ଭିନ୍ନଭାବରେ ଲୋକେ ନେଲେ । ଏ କ୍ଷେତ୍ରରେ ସୌମ୍ୟବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଚତୁରତାର ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌମ୍ୟରଂଜନଙ୍କୁ ରାଜ୍ୟସଭା ଟିକେଟ ମୋହ ଦେଖାଇ ତାଙ୍କ ଦଳକୁ ନେଇଗଲେ । ଫଳରେ ଆଉ ତାଙ୍କ ଗଣମାଧ୍ୟମ ସରକାର ବିରୋଧରେ ଗର୍ଜିଲା ନାହିଁ । ଯାହା ଏକ ନିରପେକ୍ଷ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥାନ୍ତା ତାହା ହୋଇପାରିଲା ନାହିଁ । ଏହା ହୋଇଥିଲେ ହୁଏତ ବିଜେପିକୁ ଆଉ କିଛି ଫାଇଦା ମିଳିଥାନ୍ତା । ଏବେ ସୌମ୍ୟବାବୁ କେବଳ ସାଧା ବିଧାୟକ ହୋଇ ରହିଯାଇଛନ୍ତି । ତାଙ୍କ ମନରେ ନିଶ୍ଚୟ ମନ୍ତ୍ରୀ ହେବାର ଯେଉଁ ସ୍ୱପ୍ନ ଥିଲା ତାହା ଅଧୁରା ରହିଯାଇଛି । ଏହି ସୁଯୋଗରେ ଧର୍ମେନ୍ଦ୍ର ଚାହିଁଛନ୍ତି ସୌମ୍ୟଙ୍କୁ ବିଜେଡିରୁ ଦୂରେଇ ଆଣିଲେ ହୁଏତ ବିଜେପି ପାଇଁ ଫାଇଦା ହୋଇପାରେ ।
ଏଣୁ ରାଜ୍ୟ ସ୍ୱାର୍ଥର ଦ୍ୱାହି ଦେଇ ସେ ଏଭଳି ଗୋଟି ଚାଳନା କରିଥିବା କଥା ଅନେକ ମତ ରଖିଛନ୍ତି । ହୁଏତ ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟ ମହତ ହୋଇଥାଇ ପାରେ । ହେଲେ ଏହାକୁ ବିରୋଧୀମାନେ ଭିନ୍ନ ଦୃଷ୍ଟିରେ ନେଉଛନ୍ତି ।

Comments are closed.